ମାଙ୍ଗାଲୁରୁ ବିସ୍ଫୋରଣ ପଛରେ ଆତଙ୍କବାଦୀ: ଚିହ୍ନଟ ହେଲା ସନ୍ଦିଗ୍ଧ

ପୂର୍ବରୁ ୟୁଏପିଏରେ ମାମଲା ରହିଥିଲା, କୋଏମ୍ବାଟୋର ମଧ୍ୟ ଯାଇଥିଲା

ନୂଆଦିଲ୍ଲୀ: ଗତକାଲି କର୍ଣ୍ଣାଟକର ମାଙ୍ଗାଲୁରୁରେ ହୋଇଥିବା ଅଟୋରିକ୍ସା ବିସ୍ଫୋରଣ ଏକ ଦୁର୍ଘଟଣା ନଥିଲା ବରଂ ତାହା ଆତଙ୍କବାଦୀଙ୍କ କାର୍ଯ୍ୟ ଥିଲା ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗତମାସ ୨୩ ତାରିଖରେ କୋଏମ୍ବାଟୋରରେ ହୋଇଥିବା ବିସ୍ଫୋରଣ ସହିତ ଏହାର ଅନେକ ସାମଞ୍ଜସ୍ୟ ରହିଛି। ମାଙ୍ଗାଲୁରୁର କାଙ୍କାନାଡ଼ି ଥାନା ଅଧୀନ ନଗୋରି ନିକଟରେ ଅଟୋରିକ୍ସାଟି ଯିବା ସମୟରେ ବିସ୍ଫୋରଣ ହୋଇଥିଲା। କର୍ଣ୍ଣାଟକ ପୁଲିସ ଘଟଣାସ୍ଥଳରୁ ଏକ ପୋଡ଼ା ପ୍ରେସର କୁକର ସହିତ କିଛି ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏଥିସହିତ ଏକ ଗ୍ୟାସ ବର୍ଣ୍ଣର, ପୋଡ଼ା ବ୍ୟାଟେରି ଆଦି ମିଳିଛି। ବିସ୍ଫୋରଣରେ ଅଟୋରିକ୍ସାର ଡ୍ରାଇଭର ଏବଂ ଜଣେ ଯାତ୍ରୀ ଆହତ ହୋଇଛନ୍ତି। ଏକ କୋଠା ନିର୍ମାଣ ସ୍ଥଳରେ ଏହି ବିସ୍ଫୋରଣ ହୋଇଥିଲା।

ଗୁରୁତର କ୍ଷତି ପହଞ୍ଚାଇବା ଏହି ବିସ୍ଫୋରଣର ଲକ୍ଷ୍ୟ ଥିଲା ବୋଲି କର୍ଣ୍ଣାଟକର ପୁଲିସ ମହାନିର୍ଦ୍ଦେଶକ ପ୍ରବୀଣ ସୁଦ୍‌ କହିଛନ୍ତି। କେନ୍ଦ୍ରୀୟ ଏଜେନ୍ସି ସହାୟତାରେ ସ୍ଥାନୀୟ ପୁଲିସ ଏହି ଘଟଣାର ତଦନ୍ତ ଚଳାଇଛି। ସେହିଭଳି କର୍ଣ୍ଣାଟକ ଗୃହମନ୍ତ୍ରୀ ଆରାଗା ଜ୍ଞାନେନ୍ଦ୍ର ମଧ୍ୟ ଏହି ଘଟଣାର ତଦନ୍ତରେ ସ୍ଥାନୀୟ ପୁଲିସକୁ କେନ୍ଦ୍ରୀୟ ଏଜେନ୍ସି ସହାୟତା ପ୍ରଦାନ କରୁଛି ବୋଲି କହିଛନ୍ତି। ଉକ୍ତ ବିସ୍ଫୋରଣରେ ଆହତ ବ୍ୟକ୍ତି ବର୍ତ୍ତମାନ ପର୍ଯ୍ୟନ୍ତ କଥା କହିବାକୁ ସକ୍ଷମ ହୋଇନାହାନ୍ତି। ପୁଲିସ ସମସ୍ତ ପ୍ରକାର ସୂଚନା ଓ ପ୍ରମାଣ ସଂଗ୍ରହ କରିବାରେ ଲାଗିଛି। ଏହା ଆତଙ୍କବାଦୀଙ୍କ କାର୍ଯ୍ୟ ଥିବା ସ୍ପଷ୍ଟ ହୋଇଥିବା ବେଳେ ସନ୍ଦିଗ୍ଧ ସଂପର୍କରେ ମଧ୍ୟ ଜଣାପଡ଼ିଥିବା ନେଇ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିକୁ କର୍ଣ୍ଣାଟକ ପୁଲିସ ଅବଗତ କରାଇଛି। ସେମାନେ ଏକ ଟିମ୍‌ ମାଙ୍ଗାଲୁରୁ ପଠାଇଛନ୍ତି।

ମାଙ୍ଗାଲୁରୁ ପୁଲିସ ଅଟୋରେ ଆଇଇଡି ବିସ୍ଫୋରଣ ଘଟାଇଥିବା ଅଭିଯୁକ୍ତକୁ ଚିହ୍ନଟ କରିଛି। ତା ନାମ ମହମ୍ମଦ ସାରିକ। ପବୂର୍ରୁ ୟୁଏପିଏରେ ତା ନାମରେ ମାମଲା ରୁଜୁ ହୋଇଥିଲା। ମାଙ୍ଗାଲୁରୁର ସର୍ବସାଧାରଣ ପ୍ରାଚୀରରେ କିଛି ଲେଖା ଓ ଚିତ୍ର ପାଇଁ ତା ନାମରେ ଏହି ମାମଲା ହୋଇଥିଲା। ତେବେ ସେ ଜାମିନରେ ବାହାରେ ଥିଲା। କେବଳ ସେତିକି ନୁହେଁ, ଆତଙ୍କବାଦୀ ମାମଲାରେ ସେ ଫେରାର ଥିଲା ଏବଂ ପୁଲିସର ୱାଣ୍ଟେଡ ତାଲିକାରେ ରହିଥିବା ଜଣାଯାଇଛି। ଚଳିତବର୍ଷ ସେପ୍ଟେମ୍ବରରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ ମାଜ୍‌ ଏବଂ ୟାସିନ। ସେମାନଙ୍କ ଘର ଭଦ୍ରାବତୀରେ ଏବଂ ସେମାନଙ୍କ ଘରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା। ପୁଲିସ ସନ୍ଦେହ କରିଥିଲା ଯେ ସେହି ଦୁଇଜଣ ବ୍ୟକ୍ତି ମହମ୍ମଦ ସାରିକ୍‌ ପାଇଁ କାର୍ଯ୍ୟ କରୁଥିଲେ। ତେଣୁ ସାରିକ୍‌କୁ ଧରି ପଚରାଉଚରା ପାଇଁ ପୁଲିସ ଉଦ୍ୟମ ଚଳାଇଥିଲା।

ଶନିବାର ଦିନ ସାରିକ ମାଙ୍ଗାଲୁରୁ ଫେରିଥିଲା। କିନ୍ତୁ ସେ ଏକ ନକଲି ଆଧାର କାର୍ଡ ବ୍ୟବହାର କରୁଥିଲା। ଏହାକୁ ଆଧାର କରି ସେ ତାହାର ଯୋଜନା କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିଥିଲା। ଆହତ ଅଟୋ ଡ୍ରାଇଭରଙ୍କ ଶରୀର ୪୦ ପ୍ରତିଶତ ପୋଡ଼ି ଯାଇଛି। ବର୍ତ୍ତମାନ କଙ୍କାନାଡ଼ିରେ ଏକ ହସ୍ପିଟାଲରେ ତାକୁ ଚିକିତ୍ସା କରାଯାଉଛି। ମହୀଶୂରରେ ସାରିକ୍‌ ନେଇଥିବା ଭଡ଼ା ଘରେ ପୁଲିସ ପହଞ୍ଚିଥିଲା। ସେଠାରୁ ପୁଲିସ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଫୋରେନସିକ ଲାବୋରେଟୋରି ଟିମ ଅଭିଯୁକ୍ତର ଘରୁ ଜିଲେଟିନ ପାଉଡର, ସର୍କିଟ ବୋର୍ଡ, ଛୋଟ ବୋଲ୍ଟ, ବ୍ୟାଟେରି, ଉଡ ପାୱାର, ଆଲୁମିନିୟମ ମଲ୍ଟି ମିଟର, ତାର, ମିକ୍ସର ଜାର, ପ୍ରେସର କୁକର ଆଦି ଜବତ କରିଛି। ଏଥିସହିତ ଗୋଟିଏ ମୋବାଇଲ ଫୋନ,‌ ଦୁଇଟି ନକଲି ଆଧାର କାର୍ଡ ଏବଂ ଗୋଟିଏ ଫିନୋ ଡେବିଟ୍ କାର୍ଡ ଜବତ କରାଯାଇଛି। ସନ୍ଦିଗ୍ଧର ପରିଚୟ ଓ କେଉଁ ସଂଗଠନ ସହିତ ସେ ଜଡ଼ିତ ବୋଲି ପ୍ରଶ୍ନ ହେବାରୁ କର୍ଣ୍ଣାଟକ ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି, ଗତ କିଛିମାସ ମଧ୍ୟରେ ସଂପୃକ୍ତ ବ୍ୟକ୍ତି ଜଣକ ଯେଉଁସବୁ ସ୍ଥାନକୁ ଯାତ୍ରା କରିଛି ସେ ସଂପର୍କିତ ତଥ୍ୟ ସଂଗ୍ରହ କରାଯାଉଛି। ସେ କିଛିଦିନ ତଳେ ତାମିଲନାଡ଼ୁର କୋଏମ୍ବାଟୋର ଯାଇଥିବା ନେଇ ସୂଚନା ମିଳିଛି।

ସମ୍ବନ୍ଧିତ ଖବର