ଏଲଓସି ଅତିକ୍ରମ କରି ଆସୁଥିବା ଆତଙ୍କବାଦୀ ଜୀବିତ ଫେରିବେ ନାହିଁ  : ସେନାମୁଖ୍ୟ

ନୂଆଦିଲ୍ଲୀ :  ଏଲଓସି ପାରକରି ଭାରତକୁ ଆସୁଥିବା କୌଣସି ଆତଙ୍କବାଦୀ ଜୀବିତ ଫେରିବେ ନାହିଁ । ଏପରି ସତର୍କବାଣୀ ଶୁଣାଇଛନ୍ତି ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନାରାଓ୍ବାଣେ ।

ଆଜି ଜମ୍ମୁ ଓ କଶ୍ମୀରର ନାଗ୍ରୋଟାରେ ହୋଇଥିବା ସଫଳ ଅପରେସନ ପରେ ନିଜର ପ୍ରତିକ୍ରିୟା ରଖି ଜେନେରାଲ ନାରାଓ୍ବାଣେ  କହିଛନ୍ତି ଯେ ପାକିସ୍ତାନ ଓ ତାହାର ଆତଙ୍କବାଦୀମାନଙ୍କୁ ସ୍ପଷ୍ଟ ବାର୍ତ୍ତା ଦିଆଯାଇଛି ଯେ ଯେଉଁମାନେ ଭାରତ ମଧ୍ୟକୁ ପ୍ରବେଶ କରିବେ ସେମାନେ ଜୀବିତ ଫେରିବେ ନାହିଁ । ଆଜି ହୋଇଥିବା ଅପରେସନ ଭାରତୀୟ ସେନା ଓ ଜମ୍ମୁ ଓ କଶ୍ମୀର ପୁଲିସ ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ଥିବା ସମନ୍ବୟକୁ ଦର୍ଶାଉଛି ବୋଲି ସେ କହିଛନ୍ତି ।

ଆଜି ସକାଳେ ଜମ୍ମୁର ନାଗ୍ରୋଟାରେ ହୋଇଥିବା ଅପରେସନରେ ଜୈସ-ଇ-ମହମ୍ମଦର ୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ ।  ଏକ ଟୋଲ ପ୍ଲାଜାରେ ସୁରକ୍ଷା ଯାଞ୍ଚ ଚାଲିଥିବାବେଳେ ଏକ ଟ୍ରକରେ ଯାଉଥିବା ଆତଙ୍କବାଦୀମାନେ ସୁରକ୍ଷା ବଳ ଉପରକୁ ଗୁଳି ଚଳାଇଥିଲେ । ଏହାର ଜବାବରେ ସୁରକ୍ଷା ବଳ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇ ଆତଙ୍କବାଦୀମାନଙ୍କୁ ମାରି ଦିଆଯାଇଥିଲା । ଭାରତୀୟ ସେନା, ଜମ୍ମୁ ଓ କଶ୍ମୀର ପୁଲିସ ଓ ସିଆରପିଏଫ ପକ୍ଷରୁ ମିଳିତ ଭାବେ ଏହି ଅପରେସନ କରାଯାଇଥିଲା ।

ସମ୍ବନ୍ଧିତ ଖବର