ଭାଇରାଲ୍‌ ହେଲା କଶ୍ମୀରୀ ଯୁବକଙ୍କୁ ଆତଙ୍କବାଦୀମାନେ ଗୁଳି ମାରି ହତ୍ୟା କରୁଥିବାର ଭିଡିଓ

ଶ୍ରୀନଗର: ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଦକ୍ଷିଣ କଶ୍ମୀରର ପୁଲ୍‌ଓ୍ଵାମା ଜିଲ୍ଲା ଅନ୍ତର୍ଗତ ନିକଲୋରା ଅଞ୍ଚଳରେ ହିଜ୍‌ବୁଲ୍‌ ମୁଜାହିଦୀନ୍‌ ଆତଙ୍କବାଦୀମାନେ ନଦୀମ ମଞ୍ଜୁର ନାମକ ଜଣେ ୧୮ ବର୍ଷିୟ ଯୁବକଙ୍କୁ ଅପହରଣ କରି ଗୁଳିମାରି ହତ୍ୟା କରିଥିଲେ। ହିଜ୍‌ବୁଲ୍‌ ଆତଙ୍କବାଦୀମାନେ ତାଙ୍କୁ ସ୍ୱୟଂକ୍ରିୟ ବନ୍ଧୁକରେ ତାଙ୍କୁ ଗୁଳିମାରୁ ଥିବାର ଦୃଶ୍ୟସମ୍ବଳିତ ଏକ ଭିଡିଓ ଶୁକ୍ରବାର ଦିନ କଶ୍ମୀର ଉପତ୍ୟକାରେ ଭାଇରାଲ୍‌ ହୋଇଛି।

ମିଳିଥିବା ଖବର ଅନୁସାରେ, ହିଜ୍‌ବୁଲ୍‌ ଆତଙ୍କବାଦୀମାନେ ନଦୀମଙ୍କୁ ତାଙ୍କ ଶୋପିଆନ୍‌ ଅନ୍ତର୍ଗତ ସଫନଗରୀ ଗାଁରେ ଥିବା ତାଙ୍କ ଘରୁ ଅପହରଣ କରି ନେଇ ପରେ ପୁଲ୍‌ଓ୍ଵାମାରେ ତାଙ୍କୁ ହତ୍ୟା କରିଥିଲେ।

ନଦୀମ୍‌ଙ୍କୁ ହତ୍ୟା କରାଯାଉଥିବା ଭିଡିଓରେ ଦେଖାଯାଉଛି ଆତଙ୍କବାଦୀମାନେ ତାଙ୍କୁ ପୁଲିସ ସୂଚନାଦାତା କହି ଦୋଷାରୋପ କରୁଛନ୍ତି।

ଜଣେ ଶୀର୍ଷସ୍ତରୀୟ ପୁଲିସ ଅଧିକାରୀ କହିଛନ୍ତି ଯେ ଏହି ଭିଡିଓର ସତ୍ୟାସତ୍ୟ ବିଷୟରେ ଅନୁସନ୍ଧାନ କରାଯାଉଛି। ପଡ଼ୋଶୀ ପୁଲ୍‌ଓ୍ଵାମା ଜିଲ୍ଲା ଅନ୍ତର୍ଗତ ନିକଲୋରା ଠାରେ ନଦୀମଙ୍କ ଶବ ମିଳିଥିଲା।

ପୁଲ୍‌ଓ୍ଵାମାର ଏସ୍‌ଏସ୍‌ପି ଚନ୍ଦନ କୋହଲି କହିଛନ୍ତି: ମଞ୍ଜୁରଙ୍କର ଗୁଳିବିଦ୍ଧ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇଥିଲା। ଏ ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଛି।

ଘଟନା ପରେ ପରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଖୋଜିବାକୁ ତଲାସ୍‌ ଚାଲିଛି।

ସଫନଗରୀ ଗାଁର ଅନ୍ୟ ଜଣେ ବ୍ୟକ୍ତି ଅବଦୁଲ୍‌ ରହିମ୍‌ ଦର୍‌ଙ୍କ ୨୫ ବର୍ଷିୟ ପୁଅ ଶହିଦ୍‌ ଅହମଦ୍‌ ଦର୍‌ ମଧ୍ୟ ଗତକାଲି ଠାରୁ ନିରୁଦ୍ଦେଶ ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର