କଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ : ୨ ଯୁବକଙ୍କୁ ଅପହରଣ ପରେ ହତ୍ୟା

୪୮ ଘଣ୍ଟାରେ ଦ୍ବିତୀୟ ହତ୍ୟାକାଣ୍ଡ

ଶ୍ରୀନଗର : ଜମ୍ମୁ କଶ୍ମୀରର ସୋପିଆନ୍‌ ଜିଲ୍ଲାରେ ଆଜି ଆତଙ୍କବାଦୀମାନେ ବର୍ବର କାଣ୍ଡ ଘଟାଇଛନ୍ତି। ସେମାନେ ଜଣେ ୧୯ ବର୍ଷୀୟ କିଶୋରଙ୍କୁ ଅପହରଣ କରିନେଇ ଗଳା କାଟି ଅତି ନିଷ୍ଠୁର ଭାବେ ହତ୍ୟା କରିଛନ୍ତି। ରାଜ୍ୟରେ ୪୮ ଘଣ୍ଟା ମଧ୍ୟରେ ଦୁଇଜଣଙ୍କୁ ଅପହରଣ କରି ହତ୍ୟା କରାଯିବା ପରେ ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଇନଫର୍ମର ସନ୍ଦେହରେ ଆତଙ୍କବାଦୀମାନେ ଛୋଟ ପିଲାଙ୍କୁ ଅପହରଣ କରି ଏଭଳି ହତ୍ୟା ଚଳାଇଛନ୍ତି।

ମିଳିଥିବା ଖବର ମୁତାବକ ଶନିବାର ଆତଙ୍କବାଦୀମାନେ ସୋପିଆନ୍‌ ଜିଲ୍ଲା ସଇଦପୋରା ପୟିନ୍‌ ଗ୍ରାମରେ ପ୍ରବେଶ କରି ଲୋକଙ୍କୁ ଭୟଭୀତ କରିଥିଲେ। ବନ୍ଧୁକ ଦେଖାଇ ସେମାନେ ମୋଟ ୩ ଜଣଙ୍କୁ ଅପହରଣ କରିନେଇଥିଲେ। ଅପହୃତଙ୍କ ମଧ୍ୟରେ ହୁଜୈଫ୍‌ ଆସ୍ରଫ୍‌ ଓରଫ ରାଜା କାନ୍ଦୁର୍‌, ସାହିଦ ଗାନାଏ ଓ ଫାରୁକ୍‌ ଠୋକର୍‌ ଥିଲେ। ସମସ୍ତଙ୍କ ବୟସ ୨୦ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି। ଅପହରଣର କିଛି ଘଣ୍ଟା ପରେ ହୁଜୈଫ୍‌ଙ୍କ ମୃତଦେହ ଉକ୍ତ ଗ୍ରାମଠାରୁ ୧୦ କିଲୋମିଟର ଦୂର ହର୍‌ମେନ୍‌ ଗ୍ରାମରୁ ଉଦ୍ଧାର କରାଯାଇଛି। ଅନ୍ୟ ଦୁଇଜଣଙ୍କୁ ଆତଙ୍କବାଦୀମାନେ ଛାଡ଼ିଦେଇଛନ୍ତି।

ସୋପିଆନ୍‌ ଜିଲ୍ଲା ଏସ୍‌ପି ସନ୍ଦୀପ ଚୌଧୁରୀ କହିଛନ୍ତି, ହୁଜୈଫ୍‌ଙ୍କୁ ଆତଙ୍କବାଦୀମାନେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ତାଙ୍କ ଗଳାରେ ଗଭୀର କ୍ଷତ ଦେଖିବାକୁ ମିଳିଛି। ତେଣୁ ତାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ସ୍ପଷ୍ଟ ବୁଝାପଡୁଛି। କ’ଣ ପାଇଁ ଏହି ୩ ଜଣଙ୍କୁ ଅପହରଣ କରାଗ‌ଲା ଏବଂ ହୁଫୈଜଙ୍କୁ କାହିଁକି ହତ୍ୟା କରାଗଲା, ତାହା
ଜାଣିବା ପାଇଁ ତଦନ୍ତ ଜାରି ରହିଛି। ତେବେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର୍‌ ଅବଦୁଲ୍ଲା ଏହାକୁ ଅତି ଅମାନବୀୟ ଘଟଣା ବୋଲି ଦର୍ଶାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଗୁରୁବାର ୧୮ ବର୍ଷୀୟ ନଦିମ ମଞ୍ଜୁର ଦାର୍‌ଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା। ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରିବା ପରେ ହତ୍ୟା କରିଥିଲେ। ଘଟଣାକୁ ମାତ୍ର ୪୮ ଘଣ୍ଟା ପୂରିଥିବା ବେଳେ ପୁଣି ଜଣଙ୍କୁ ଅପହରଣ ଓ ହତ୍ୟା କରାଯାଇଥିବାରୁ ସୋପିଆନ୍‌ରେ ଆତଙ୍କ ଖେଳିଯାଇଛି। ଅନ୍ୟ ଏକ ରିପୋର୍ଟରୁ ଜଣାଯାଇଛି ଶନିବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଜିଲ୍ଲାର ମିମେନ୍ଦର ଗ୍ରାମରୁ ଆଉ ଦୁଇଜଣଙ୍କୁ ଅପହରଣ କରିନେଇଛନ୍ତି। ଏହି ଦୁଇଜଣ ହେଉଛନ୍ତି ହାକିବ୍‌ ଜାଭେଦ ଓ ଇସ୍‌ଫାକ୍ ଅହମ୍ମଦ। ଉକ୍ତ ରିପୋର୍ଟ ଉପରେ ଏବେ ପୁଲିସ ତର୍ଜମା କରୁଛି। ଏହି ଅପହରଣ ଓ ହତ୍ୟା ଘଟଣା ପାଇଁ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ନିଜକୁ ଦାୟୀ କରିବା ସହ ଏକ ଅଡିଓ ଟେପ୍‌ ଜାରି କରିଛି। ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର କମାଣ୍ଡର ରିୟାଜ୍‌ ନାଇକୁ କହିଛି ଯେ ସଂଗଠନ ଏବେ ‘କର ଅବା ମର’ ନିୟମରେ କାର୍ଯ୍ୟ କରୁଛି। ପୁଲିସ ଇନ୍‌ଫର୍ମର ଭାବେ ଯେଉଁମାନେ କାର୍ଯ୍ୟ କରୁଛନ୍ତି, ଆମେ ସେମାନଙ୍କୁ ଟାର୍ଗେଟ୍‌ କରୁଛୁ। ଏହାକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର