ଦକ୍ଷିଣ ଭାରତରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, କେରଳ ଓ ତାମିଲନାଡୁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ଗୁଇନ୍ଦା ସଂସ୍ଥା ପକ୍ଷରୁ ହସ୍ତଗତ ହୋଇଥିବା ରିପୋର୍ଟ ମୁତାବକ ଦକ୍ଷିଣ ଭାରତରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି ବୋଲି ଭାରତୀୟ ସେନାର ଦକ୍ଷିଣାଞ୍ଚଳ କମାଣ୍ଡର କମାଣ୍ଡିଂ-ଇନ୍-ଚିଫ୍ ସୋମବାର ପ୍ରକାଶ କରିଛନ୍ତି। ଗୁଜୁରାଟର ସାର୍‌ କ୍ରିକ୍‌ ଅଞ୍ଚଳରୁ କିଛି ପରିତ୍ୟକ୍ତି  ଡଙ୍ଗା ଉଦ୍ଧାର ହେବା ପରେ ଏହି ଆଶଙ୍କା ଦୃଢ଼ୀଭୂତ ହୋଇଛି।

ଏ ନେଇ ଭାରତୀୟ ସେନାର ସର୍ଦନ କମାଣ୍ଡର ମୁଖ୍ୟ କମାଣ୍ଡିଂ-ଇନ୍‌-ଚିଫ୍‌ ଲ୍ୟୁଟନାଣ୍ଟ୍‌ ଜେନେରାଲ୍‌ ଏସ୍‌ କେ ସାଇନି କହିଛନ୍ତି, ‘ଆମ ପାଖରେ ଖବର ରହିଛି ଯେ ଦକ୍ଷିଣ ଭାରତରେ ଆତଙ୍କବାଦୀ ଆକ୍ରମଣ ଘଟିପାରେ। ନିକଟରେ କିଛି ପରିତ୍ୟକ୍ତ ଡଙ୍ଗା ଗୁଜୁରାଟର ସାର୍‌ କ୍ରିକ୍‌ ଅଞ୍ଚଳରୁ ଉଦ୍ଧାର ହୋଇଛି। ଏହି ଡଙ୍ଗାରେ ଆତଙ୍କବାଦୀ ଆସି ପାରି ଥାଆନ୍ତି। ତେବେ ଆତଙ୍କବାଦୀମାନଙ୍କ ଯୋଜନା ବିଫଳ କରିବା ପାଇଁ ଆମେ ପ୍ରସ୍ତୁତ ହେଉଛୁ।’

ସେନା ପକ୍ଷରୁ ଏପରି ସୂଚନା ମିଳିବା ପରେ କେରଳର ସମସ୍ତ ଜିଲ୍ଲାରେ ଆର୍ଲଟ ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପୁଲିସ୍‌ କଡ଼ା ନଜର ରଖିଛି। ସାର୍ବଜନୀନ ସ୍ଥାନରେ ସତର୍କତା ବଜାୟ ରଖିବା ପାଇଁ ସାରା ରାଜ୍ୟର ପୁଲିସ୍‌କୁ  ନିର୍ଦ୍ଦେଶ ଦିଆଯାଇଛି ବୋଲି କେରଳ ଡିଜିପି ଲୋକନାଥ ବେହେରା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାରେ ଗତ ଅଗଷ୍ଟ ୨୩ ତାରିଖରେ ୬ ଜଣ ଆତଙ୍କବାଦୀ ପ୍ରବେଶ କରିଥିବା କଥା ଗୁଇନ୍ଦା ବିଭାଗ ଖବର ଦେବା ପରେ କୋଏମ୍ବାଟୁର ସିଟି ପୁଲିସ୍‌ ଜିଲ୍ଲାରେ କମାଣ୍ଡୋ ଫୋର୍ସ ମୁତୟନ ପାଇଁ ଅନୁରୋଧ କରିଥିଲା। ଏହାକୁ ନଜରରେ ରଖି ସେଠାରେ ଫୋର୍ସ ମୁତୟନ କରାଯାଇଥିଲା।

ତାମିଲନାଡୁ ରାଜ୍ୟର ପ୍ରମୁଖ ୧୩ଟି ଚେକ୍‌ ପୋଷ୍ଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିଲା। ତାମିଲ୍‌ନାଡୁର କମାଣ୍ଡୋ ଫୋର୍ସ କୋଏମ୍ବାଟୁରଠାରୁ ୩୫ କିଲୋମିଟର ଦୂରରେ ଥିବା ମେଟଉପଲ୍ଲାୟମଠାରେ ଏକ ଫ୍ଲାଗ ମାର୍ଚ କରି ଲୋକଙ୍କ ଭିିତରେ ସୁରକ୍ଷାକୁ ନେଇ ବିଶ୍ୱାସ ସୃଷ୍ଟି କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର