ଜମ୍ମୁ ଓ କଶ୍ମୀର: ସିଆର୍‌ପିଏଫ୍‌ ତାଲିମ କେନ୍ଦ୍ରରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ସହିଦ ଓ ଦୁଇ ଜଣ ଆହତ

ନୂଆଦିଲ୍ଲୀ: ରବିବାର ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀରର ପୁଲଓ୍ଵାମା ଜିଲ୍ଲାସ୍ଥିତ ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ ଫୋର୍ସର (ସିଆର୍‌ପିଏଫ୍‌) ତାଲିମ କେନ୍ଦ୍ରରେ ଅନ୍ୟୂନ ଦୁଇ ଜଣ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏଥିରେ ଆହତ ହୋଇଥିବା ତିନି ଜଣ ଯବାନଙ୍କ ମଧ୍ୟରୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଯବାନ ଜଣକ ସହିଦ ହୋଇଯାଇଛନ୍ତି ବୋଲି ଜଣାପଡ଼ିଛି। ଅନ୍ୟ ଦୁଇ ଆହତ ଯବାନ ଏବେ ବିପଦମୁକ୍ତ ଅଛନ୍ତି।

ସମଗ୍ର ଅଞ୍ଚଳକୁ କର୍ଡନ୍‌ କରାଯାଇଛି।

ରାତି ପ୍ରାୟ ୨ଟା ୧୦ ମିନିଟ୍‌ ସମୟରେ ଲେଥପୋରା କ୍ୟାମ୍ପ୍‌ରେ ଘଟଣାଟି ଘଟିଛି। ଅବନ୍ତୀପୋରା ଠାରେ ଅବସ୍ଥିତ ତାଲିମ କ୍ୟାମ୍ପ୍‌ରେ ପ୍ରବେଶ କରିବାବେଳେ ଅସ୍ତ୍ରଶସ୍ତ୍ରଧାରୀ ଆତଙ୍କବାଦୀମାନେ ଗ୍ରେନେଡ୍‌ ଫିଙ୍ଗିବା ସହ ଗୁଳି ଚଳାଇଥିଲେ। ପ୍ରାୟ ୧୫ ରୁ ୨୦ ମିନିଟ୍‌ କାଳ ଗୁଳି ଚଳାଇବା ପରେ ଆତଙ୍କବାଦୀମାନେ ପାଖରେ ଥିବା ଏକ କୋଠାଘରକୁ ପଳାଇ ଯାଇଥିଲେ।

ଆକ୍ରମଣ ସମ୍ବନ୍ଧରେ ସିକ୍ୟୁରିଟି ପୁଲିସକୁ ପୂର୍ବରୁ ସୂଚନା ମିଳିଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟକୁ କହିଛନ୍ତି।
ଏବେ ସେଠାରେ ଘରକୁ ଘର ଏବଂ ଛାତରୁ ଛାତ ତଲାସ ଚାଲିଛି। କ୍ୟାମ୍ପ୍‌ ଅଞ୍ଚଳରେ ଆତ୍ମ ଗୋପନ କରିଥିବା ଆତଙ୍କବାଦୀମାନଙ୍କୁ ମୁକାବିଲା କରିବାକୁ ପାରାମିଲିଟାରି ଫୋର୍ସ ପ୍ରସ୍ତୁତ ହୋଇ ରହିଛନ୍ତି।

ସିଆର୍‌ପିଏଫ୍‌ କ୍ୟାମ୍ପ୍‌ର ଡିଜି ଆର୍‌ ଆର୍‌ ଭଟନାଗର କହନ୍ତି: ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଘଟିଥିବା ଗୁଳି ବିନିମୟ ଯୋଗୁଁ ୩ ଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ଅଛନ୍ତି।

ଆତଙ୍କବାଦୀମାନେ କ୍ୟାମ୍ପ୍‌ ଅଞ୍ଚଳରେ ଅଛନ୍ତି। ତଲାସ ଅଭିଯାନ ଚାଲିଛି।

ଆକ୍ରମଣରେ ଜୈସ୍‌-ଏ-ମହମ୍ମଦର ହାତ ଥିବା ସନ୍ଦେହ କରାଯାଉଛି।

କଶ୍ମୀରର ଡିଜି ଏସ୍‌ପି ବୈଦ୍ୟ କହନ୍ତି: ରାତି ଦୁଇଟା ସମୟରେ ଆକ୍ରମଣ ହୋଇଥିଲା। ଆକ୍ରମଣ ପଛରେ ଜୈସ୍‌-ଏ-ମହମ୍ମଦ ରହିଥିବା ଅନୁମାନ କରା ଯାଉଛି। ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣକାରୀ। ଖୁବ୍‌ ଶୀଘ୍ର ସେମାନଙ୍କୁ ଖୋଜି ବାହାର କରି ସମଗ୍ର ଘଟଣାକୁ ସ୍ୱାଭାବିକ କରିବୁ।

ଏବେ ସେ ଅଞ୍ଚଳରେ ଇଣ୍ଟର୍‌ନେଟ୍‌ ସେବା ମନ୍ଥର କରାଯାଇଛି।

ସିଆର୍‌ପିଏଫ୍‌ କହିଛି: ରାତି ୨ଟା ୧୦ ମିନିଟ୍‌ରେ ଫିୟାଦୀନ ଲେଥପୋରା କ୍ୟାମ୍ପ୍‌ରେ ପ୍ରବେଶ କରିବାକୁ ସମର୍ଥ ହୋଇଥିଲେ। ରିପୋର୍ଟ ଅନୁସାରେ, ଜମ୍ମୁ ଏବଂ କଶ୍ମୀର ପୋଲିସ କମାଣ୍ଡୋ ତାଲିମ ଅଞ୍ଚଳ ପାର୍ଶ୍ୱରୁ ପ୍ରାଥମିକ ଆକ୍ରମଣ ହେବାରୁ ଆମ ଲୋକଙ୍କ ଭିତରୁ ଆହତ ହୋଇଥିଲେ। ଅନ୍ୟାନ୍ୟ କ୍ୟାମ୍ପ୍‌ରେ ମଧ୍ୟ ଏଭଳି ଆକ୍ରମଣ ହୋଇ ପାରେ।

ଗତ ସପ୍ତାହରେ, ଡିସେମ୍ବର ୨୬ ତାରିଖ ଦିନ ଦକ୍ଷିଣ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ନିରାପତ୍ତା ବଳ ସହ ଏନ୍‌କାଉଣ୍ଟର୍‌ ଘଟି ଶୀର୍ଷସ୍ତରୀୟ ଜେଇଏମ୍‌ କମାଣ୍ଡର୍‌ ନୂର୍‌ ମହମ୍ମଦ ତାନ୍ତ୍ରେ ନିହତ ହୋଇଥିଲା।

ମୃତ୍ୟୁର ସୌଦାଗର ଭାବେ ଜଣା ଶୁଣା ତାନ୍ତ୍ରେ ଜଣେ ଦୁର୍ଦ୍ଦନ୍ତ ଆତଙ୍କବାଦୀ ଏବଂ ଜମ୍ମୁ ଓ କଶ୍ମୀରରେ ହୋଇଥିବା କେତେ ଗୁଡ଼ିଏ ଆକ୍ରମଣ ଆୟୋଜନ କରିବାରେ ମାଷ୍ଟର୍‌ ମାଇଣ୍ଡ୍‌ର ଭୂମିକା ନେଇଥିଲା। ଆନ୍ତର୍ଜାତିକ ସ୍ତରରେ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ଜେଇଏମ୍‌କୁ ଏହା ଥିଲା ଏକ ବଡ଼ ଧକ୍କା।

ସମ୍ବନ୍ଧିତ ଖବର