କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ

oପୁଲଓ୍ଵାମାରେ ୨ ପୁଲିସ କର୍ମୀ ସହିଦ oଅନନ୍ତନାଗରେ ୧୦ ଯବାନ ଆହତ :୨ ଆତଙ୍କବାଦୀ ଗିରଫ

ଶ୍ରୀନଗର: କଶ୍ମୀରରେ ଆଜି ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ୨ଟି ସ୍ଥାନରେ ଆକ୍ରମଣ କରିଛନ୍ତି। ପୁଲଓ୍ଵାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଜଣ ପୁଲିସ କର୍ମୀ ସହିଦ ହୋଇଯାଇଥିବା ବେଳେ ଅନନ୍ତନାଗରେ ସିଆର୍‌ପିଏଫ୍‌୍‌ ଉପରେ ହୋଇଥିବା ଗ୍ରେନେଡ ଆକ୍ରମଣରେ ୧୦ ଜଣ ଯବାନ ଆହତ ହୋଇଛନ୍ତି। ଉଭୟ ଅଂଚଳରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି । ରମଜାନ ଅବସରରେ ସରକାର କଶ୍ମୀରରେ ଆତଙ୍କବାଦୀ ନିପାତ ଅଭିଯାନ ବନ୍ଦ ରଖିଥିବା ବେଳେ ଏହାର ସୁଯୋଗ ନେଇ ଆତଙ୍କବାଦୀମାନେ ଅଧିକ ସକ୍ରିୟ ହୋଇଉଠିଥିବାରୁ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ନିୟନ୍ତ୍ରଣ ରେଖା ଅଂଚଳରେ ମଧ୍ୟ ଅନୁପ୍ରବେଶ ବଢ଼ିଯାଇଛି ଏବଂ ଦକ୍ଷିଣ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢ଼ିଛି।

ଅସ୍ତ୍ରବିରତି ପାଳନ ନ କରିବାକୁ ଆଜି ସେନା ଗୁରୁତ୍ୱାରୋପ କରିଥିବା ବେଳେ ଆତଙ୍କବାଦୀ ନିପାତ ଅଭିଯାନକୁ ମଧ୍ୟ ଜୋର୍‌ଦାର କରିବାକୁ ସଙ୍କେତ ଦେଇଛି।
ଆଜି ସକାଳେ ଆତଙ୍କବାଦୀମାନେ ପୁଲଓ୍ଵାମା କୋର୍ଟ ପରିସରରେ ଥିବା ପୁଲିସ ଫାଣ୍ଡି ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୨ ଜଣ ଯବାନ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ ଏବଂ ଅନ୍ୟ ୩ ଜଣ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ। ଏହି ଆକ୍ରମଣରେ ୪ ଜଣ ଆତଙ୍କବାଦୀ ସାମିଲ ଥିବା କୁହାଯାଇଛି । ସେହିଭଳି ଅନନ୍ତନାଗରେ ମଧ୍ୟ ସିଆର୍‌୍‌ପିଏଫ୍‌୍‌ର ୨ଟି ଟ୍ରକ୍‌୍‌ ଉପରେ ଆଜି ଆତଙ୍କବାଦୀ ଗ୍ରେନେଡ ମାଡ଼ କରିଥିଲେ । ଏଥିରେ ୧୦ ଜଣ ଯବାନ ଆହତ ହୋଇଛନ୍ତି ଏବଂ ସମସ୍ତ ଯବାନ ବିପଦମୁକ୍ତ ଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ସୁରକ୍ଷା ବାହିନୀ ହାତରୁ ଗତକାଲି ବନ୍ଧୁକ ଛଡ଼ାଇ ନେଇଥିବା ୨ ଜଣ ଆତଙ୍କବାଦୀଙ୍କୁ ଆଜି ରାଜୋରି ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର