ନିଦ ହଜାଇ ଦେଇଛି ‘ଟେରରାଇଜର୍ସ ୧୧୧’: ୨୪ଟି ବିମାନବନ୍ଦରରେ ହାଇଆଲର୍ଟ

ନାଗପୁର: ‘ଟେରରାଇଜର୍ସ ୧୧୧’ର ପ୍ରତିନିଧିତ୍ୱ କରୁଥିବା ଏବଂ ରକ୍ତାକ୍ତ ଆକ୍ରମଣର ଧମକ ଦେଉଥିବା ଏକ ଗୋଷ୍ଠୀର ବିସ୍ଫୋରକ ଇ-ମେଲ୍ ସୁରକ୍ଷା ଅଧିକାରୀଙ୍କ ନିଦ ହଜାଇ ଦେଇଛି। ଏଥିପାଇଁ ଦେଶର ୨୪ଟି ବିମାନବନ୍ଦର ଓ ଟର୍ମିନାଲକୁ ହାଇ ଆଲର୍ଟରେ ରଖାଯିବା ସହ ସ୍କ୍ରିନିଂ ଏବଂ ସୁରକ୍ଷା ବଳୟକୁ କଡ଼ାକଡ଼ି କରାଯାଇଛି। ଅନେକ ସ୍ଥାନରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସ୍‌ଏଫ୍)କୁ ମଧ୍ୟ ମୁତୟନ କରାଯାଇଛି। ଇମେଲ ଠିକଣା: [email protected]ରୁ ମିଳିଥିବା ଚିଠିକୁ ମଧ୍ୟ ପୂର୍ବ କେନ୍ଦ୍ରୀୟ ରେଳବାଇର ଜେନେରାଲ ମ୍ୟାନେଜରଙ୍କ ନିକଟକୁ ପଠାଯାଇଛି।

ଡାର୍କ ୱେବ୍‌ରେ ଉତ୍ପନ୍ନ ‘ଜିମେଲ୍’ର ଉତ୍ସ ଉପରେ ଶୀର୍ଷ ସାଇବର ସିକ୍ୟୁରିଟି ଓ ଆଇଟି ଏଜେନ୍ସିମାନେ ନଜର ରଖିବା ଆରମ୍ଭ କରିଛନ୍ତି। ସୋମବାର ସକାଳ ୯.୨୭ରେ ଏହି ଇମେଲ୍ ମିଳିବା ପରେ ସମଗ୍ର ଦେଶରେ ସୁରକ୍ଷା ଓ ଗୁଇନ୍ଦା ଏଜେନ୍ସି ସକ୍ରିୟ ହୋଇଥିଲା। ବରିଷ୍ଠ ବିମାନବନ୍ଦର ନିର୍ଦ୍ଦେଶକ ତଥା ଡ. ବାବାସାହେବ ଆମ୍ବେଡ଼କର ଅନ୍ତର୍ଜାତୀୟ ବିମାନବନ୍ଦରର ମୁଖ୍ୟ ପରିଚାଳନା ଅଧିକାରୀ ଏମ୍‌ଏ ଆବିଦ ରୁହିଙ୍କ କାର୍ଯ୍ୟାଳୟରୁ ଖବର ପାଇବା ପରେ ନାଗପୁର ସିଟି ପୁଲିସ ସିପି ରବୀନ୍ଦ୍ର ସିଙ୍ଗଲ ଓ ତାଙ୍କ ଟିମ୍ ତୁରନ୍ତ ବିମାନବନ୍ଦରରେ ପହଞ୍ଚିଥିଲେ। ଅଲଗା ଅଲଗା ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ସ୍କ୍ୱାଡ୍‌କୁ ନିୟୋଜିତ କରାଯାଇଥିଲା।

ଇମେଲରେ କୁହାଯାଇଛି – ‘ଆମେ ସୁନିଶ୍ଚିତ କରିବୁ ଯେ ସବୁସ୍ଥାନରେ ରକ୍ତନଦୀ ବୋହିବ, ଆମେ ଯଥାସମ୍ଭବ ଅଧିକରୁ ଅଧିକ ମୃତ୍ୟୁ ଘଟାଇବାକୁ ଚାହୁଛୁ। ଯଦିଓ କେବଳ ବିମାନ ବନ୍ଦରରେ ଆକ୍ରମଣ ହେବ ବୋଲି ଲେଖା ଥିଲା, ତଥାପି ଇମେଲ୍ ଅନୁଯାୟୀ ଏହା ସିଆଇଏସ୍‌ଏଫ୍, ଏକ ବ୍ୟାଙ୍କ, ଏକ ବ୍ୟବସାୟିକ ଗୋଷ୍ଠୀ, ଆଣ୍ଡାମାନସ୍ଥିତ ଏକ ହଲିଡେ ଗ୍ରୁପ୍ ଏବଂ ଅନ୍ୟମାନଙ୍କୁ ମଧ୍ୟ ପଠାଯାଇଥିଲା। ‘ବୋମା ରଖିବା ବେଳେ କେହି ଦେଖି ନ ଥିଲେ, କିଛି ବିମାନରେ ୩ଟି ବିସ୍ଫୋରକ ଡିଭାଇସ୍ ରଖାଯାଇଛି ଏବଂ କିଛି ଘଣ୍ଟା ମଧ୍ୟରେ ସେଗୁଡ଼ିକ ବିସ୍ଫୋରଣ ହୋଇଯିବ’ ବୋଲି ଇମେଲରେ କୁହାଯାଇଥିଲା। ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ କହିବା ଅନୁସାରେ, ଏହି ଇମେଲ୍‌ରେ ବାସ୍ତବ ଆତଙ୍କବାଦୀ ବିପଦ ପରିବର୍ତ୍ତେ ହଇରାଣ କରିବା ଉଦ୍ଦେଶ୍ୟ ରହିଛି। ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ବାଡ୍, ରାଜ୍ୟ ଓ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ, ସିଆଇଏସ୍ଏଫ୍ ଏବଂ ଅନ୍ୟାନ୍ୟ ବିଭାଗ ବିମାନବନ୍ଦରରେ ଏକତ୍ରିତ ହୋଇ ସୁରକ୍ଷା ଅଭ୍ୟାସ କରିଛନ୍ତି।

ସମ୍ବନ୍ଧିତ ଖବର