ନ୍ୟୁୟର୍କ : ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଟେସ୍ଲା ମୁଖ୍ୟ ଏଲନ୍ ମସ୍କ। ଆମ ଭିତରେ ଶକ୍ତିଠାରୁ ଆରମ୍ଭ କରି ଆଧ୍ୟାତ୍ମିକତା ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଜଣାଇଛନ୍ତି। ମସ୍କଙ୍କ ସହିତ ସାକ୍ଷାତ ଚମତ୍କାର ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ନିଜକୁ ମୋଦୀଙ୍କ ଜଣେ ବଡ଼ ପ୍ରଶଂସକ କହୁଥିବା ମସ୍କ ଆଜି ସାକ୍ଷାତ ଆଲୋଚନା ପରେ କହିଛନ୍ତି, ମୁଁ ଭାରତର ଭବିଷ୍ୟତକୁ ନେଇ ବେଶ ଉତ୍ସାହିତ ଅଛି। ବିଶ୍ବର ଯେକୌଣସି ବଡ଼ ଦେଶ ତୁଳନାରେ ଭାରତରେ ଅଧିକ ସମ୍ଭାବନା ରହିଛି। ମୋଦୀ ଭାରତ ବିଷୟରେ ବହୁତ ଚିନ୍ତା କରୁଛନ୍ତି। ନୂଆ ପ୍ରଯୁକ୍ତି ଓ କଂପାନିକୁ ସେ ସମର୍ଥନ କରୁଛନ୍ତି। କିନ୍ତୁ ତାହା ଭାରତ ପାଇଁ ଲାଭଦାୟକ ହେଉ ବୋଲି ସେ ଚାହୁଛନ୍ତି। ଭାରତରେ ପୁଞ୍ଜିନିବେଶ କରିବା ଲାଗି ସେ ଆମକୁ ଆହ୍ବାନ ଦେଇଛନ୍ତି। ଆମ ଭେଟ ବହୁତ ଭଲ ଥିଲା। ତାଙ୍କୁ ମୁଁ ପସନ୍ଦ ପରେ ବୋଲି ମସ୍କ କହିଛନ୍ତି। ଟେସ୍ଲା ଖୁବ୍ଶୀଘ୍ର ଭାରତ ଆସିବ। ଆସନ୍ତା ବର୍ଷ ମୁଁ ଭାରତ ଯିବି। ଖୁବ୍ଶୀଘ୍ର ଭାରତ ସମ୍ପର୍କରେ କିଛି ଘୋଷଣା ହୋଇପାରେ ବୋଲି ସେ କହିଛନ୍ତି।
ଟେସ୍ଲା ଭାରତ ଆସିବା ଲାଗି ପ୍ରୟାସ କରୁଥିଲେ ମଧ୍ୟ କଂପାନିର ପ୍ରସ୍ତାବରେ ସରକାର ରାଜି ହେଉନାହାନ୍ତି। ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଜାରି ରହିଛି। ଟେସ୍ଲା ଚାହୁଛି, ପ୍ରଥମେ ଆମଦାନି କରି ଭାରତରେ ଗାଡ଼ି ବିକି ବଜାରରେ ଥିବା ସମ୍ଭାବନାକୁ ପରଖିବ। ଯଦି ସବୁ କିଛି ଠିକ୍ ରହିବ ତେବେ ଆଗକୁ ବଢ଼ିବ। ଏଥିପାଇଁ ଆମଦାନି ଶୁଳ୍କ କମ୍ କରିବାକୁ କଂପାନି ପ୍ରସ୍ତାବ ଦେଇଛି। ଟେସ୍ଲାର ସେହି ପ୍ରସ୍ତାବରେ ସରକାର ରାଜି ହେଉନାହାନ୍ତି। କୌଣସି ଏକ ନିର୍ଦ୍ଦିଷ୍ଟ କଂପାନି ଲାଗି ଆମଦାନି ଶୁଳ୍କ କମ୍ କରାଯାଇପାରିବନି ବୋଲି ସରକାର କହିଛନ୍ତି। ଯଦି ଟେସ୍ଲା ଭାରତରେ କାରଖାନା ସ୍ଥାପନ କରିବ ତେବେ ସରକାରଙ୍କ ଯେଉଁ ସବୁ ସ୍କିମ୍ ରହିଛି ତାହାର ଲାଭ ଉଠାଇପାରିବ ବୋଲି ସରକାର କହୁଛନ୍ତି।
ଗତ ମେ’ ୧୭ରେ ଟେସ୍ଲାର ପ୍ରତିନିଧି ଭାରତ ଆସି ଆଲୋଚନା କରିଥିଲେ। କିନ୍ତୁ ତା’ପରେ କୌଣସି ନିର୍ଦିଷ୍ଟ ଘୋଷଣା କରାଯାଇନଥିବାରୁ ଭାରତକୁ ନେଇ କଂପାନି ଏବେବି ଦ୍ବନ୍ଦ୍ବରେ ଥିବା ଅନୁମାନ କରାଯାଉଛି।