ଦିଲ୍ଲୀରେ ସେରୋ ସର୍ଭେ ଆରମ୍ଭ, ଟେ‌ଷ୍ଟିଂ ୪ ଗୁଣା ବୃଦ୍ଧି

୫ଟି ଅସ୍ତ୍ର ପାଇଁ ଦିଲ୍ଲୀ କରୋନାକୁ ମୁକାବିଲା କରିପାରିଛି: କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ଟେଷ୍ଟ୍‌ ୪ ଗୁଣା ବୃଦ୍ଧି ପାଇଛି। ଗତକାଲି ଦିଲ୍ଲୀରେ ସର୍ବାଧିକ ୨୧ ହଜାର ୧୪୪ ନମୁନା‌ ଟେଷ୍ଟ୍‌ କରାଯାଇଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି। ଆଜିଠାରୁ ଦିଲ୍ଲୀରେ ସେରୋ ସର୍ଭେ ଆରମ୍ଭ ହୋଇଛି। ତେବେ ୫ଟି ଅସ୍ତ୍ର ଦିଲ୍ଲୀକୁ କରୋନା ମୁକାବିଲା ଦିଗରେ ସହଯୋଗ କରିଛି। ବେଡ୍‌ ସଂଖ୍ୟା ବୃଦ୍ଧି, ଟେଷ୍ଟିଂ ଏବଂ ଆଇସୋଲେସନ୍‌, ପଲ୍ସ ଅକ୍ସିମିଟର ଏବଂ ଅକ୍ସିଜେନ୍‌ କନସେନ୍‌ଟ୍ରେଟର, ପ୍ଲାଜ୍‌ମା ଥେରାପି ଏବଂ ସର୍ଭେ, ସ୍କ୍ରିନିଂ ଦିଲ୍ଲୀକୁ କରୋନା ମୁକାବିଲା ଦିଗରେ ସହଯୋଗ କରିଛି ବୋଲି କେଜ୍ରିୱାଲ୍‌ ଆଜି ଏକ ଭର୍ଚୁଆଲ୍‌ କନଫରେନ୍ସ‌ରେ କହିଛନ୍ତି। କରୋନା ମୁକାବିଲା ଦିଗରେ କେନ୍ଦ୍ରର ସହଯୋଗ ପାଇଁ କେଜ୍ରିୱାଲ୍‌ ଧନ୍ୟବାଦ ଜଣାଇଛନ୍ତି। କେଜ୍ରିୱାଲ୍‌ କହିଛନ୍ତି, ଲକ୍‌ଡାଉନ୍‌ ଉଠିବାପରେ କରୋନା ସଂକ୍ରମଣ ହଠାତ୍‌ ବଢ଼ିଯିବ ବୋଲି ଆମେ ଆକଳନ କରିଥିଲୁ। ତେଣୁ ଲକ୍‌ଡାଉନ୍‌ ଉଠାଯିବ କି ନା’ ସେନେଇ ଲୋକମାନଙ୍କ ମତାମତ ନିଆଯାଇଥିଲା।

କ‌ରୋନା ନିୟନ୍ତ୍ରଣ ପାଇଁ ଅଧିକ ଲକ୍‌ଡାଉନ୍‌ ଯଥାର୍ଥ ନୁହେଁ ବୋଲି ଅନେକ କହିଥିଲେ। । ୫ଟି ଅସ୍ତ୍ର ବଳରେ ଦିଲ୍ଲୀ କରୋନା ସହ ଲଢ଼ୁଛି। ପ୍ରାରମ୍ଭରେ ଲୋକମାନଙ୍କର ବେଡ୍‌ ପାଇବାରେ ସମସ୍ୟା ଉପୁଜୁଥିଲା ଫଳରେ ମୃତ୍ୟୁ ଅଧିକ ରହୁଥିଲା। କିନ୍ତୁ ଏହି ସମସ୍ୟାର ତୁରନ୍ତ ସମାଧାନ କରାଗଲା। ବଡ଼ ବଡ଼ ହସ୍ପିଟାଲ୍‌ ଗୁଡ଼ିକରେ କେବଳ ୪୦ ପ୍ରତିଶତ ବେଡ୍‌ ଅନ୍ୟ ରୋଗୀଙ୍କ ପାଇଁ ସଂରକ୍ଷିତ ରଖି ସମଗ୍ର ହସ୍ପିଟାଲ୍‌କୁ କୋଭିଡ୍‌ ହସ୍ପିଟାଲ୍‌ରେ ପରିଣତ କରାଗଲା। ହୋଟେଲ୍‌ଗୁଡ଼ିକ ମଧ୍ୟ ହସ୍ପିଟାଲ୍‌ ପାଲଟିଲା। ଗତ କିଛି ସପ୍ତାହ ମଧ୍ୟରେ ଦିଲ୍ଲୀରେ ହସ୍ପିଟାଲ୍‌ ବେଡ୍‌ ସଂଖ୍ୟା ହଠାତ୍‌ ବୃଦ୍ଧି ପାଇଲା। ଦିଲ୍ଲୀରେ ଏବେ କୋଭିଡ୍‌ ରୋଗୀଙ୍କ ପାଇଁ ୧୩ ହଜାର ୫୦୦ ବେଡ୍‌ ଥିବାବେଳେ ଏଥିମଧ୍ୟରୁ ୬,୫୦୦ ଭର୍ତ୍ତି ହୋଇସାରିଛି। ଟେଷ୍ଟିଂ ଏବଂ ଆଇସୋଲେସନ୍‌ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଦିଲ୍ଲୀରେ ହୋମ୍‌ ଆଇସୋଲେସନ୍‌ରେ ରହୁଥିବା ରୋଗୀଙ୍କୁ ପଲ୍ସ୍‌ ଅକ୍ସିମିଟର ଏବଂ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ମିଳୁଛି। ଏହାଦ୍ବାରା ରୋଗୀର ଅକ୍ସିଜେନ୍‌ ସ୍ତର ଲଗାତାର ଯାଞ୍ଚ କରାଯାଇପାରିବ। ଫଳରେ ଜଣେ ରୋଗୀ ଯଦି ଅତ୍ୟନ୍ତ ସଙ୍କଟାପନ୍ନ ସ୍ଥିତିରେ ଥିବେ ତାହା ଜଣାପଡ଼ିଯିବ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି।

ସମ୍ବନ୍ଧିତ ଖବର