କାର୍‌ ସମେତ ଟେକ୍ସାସ୍‌ ତରୁଣଙ୍କୁ ଉଠାଇ ନେଇଥିଲା ଖଣ୍ଡିଆଭୂତ; ତାଙ୍କର ବିଶ୍ବାସ ନ ହେଲେ ବି ସେ ବଞ୍ଚିଲେ ଓ ଚାକିରି ପାଇଲେ

ଟେକ୍ସାସ୍: ସୋମବାର ଦିନ କାର୍‌ ଚଳାଉଥିବା ଟେକ୍ସାସ୍‌ର ତରୁଣ ରିଲେ ଲିଅନ୍‌ଙ୍କୁ ଭୀଷଣକାୟ ଖଣ୍ଡିଆଭୂତ (ଘୂର୍ଣ୍ଣିଝଡ଼ ବା ଟର୍ଣ୍ଣାଡୋ ) କାର୍‌ ସମେତ ଶୂନ୍ୟକୁ ଉଠାଇ ନେବା ପରେ ପୁଣି ତଳକୁ କଚାଡ଼ି ଦେବା ପରେ ସେ କାର୍‌ ଚଳାଇ ଦୂରକୁ ପଳାଇବାକୁ ସମର୍ଥ ହୋଇଥିଲେ।

ଟେକ୍ସାସ୍‌ ରାଜପଥରେ ସଂଘଠିତ ଏହି ଭୀଷଣକାୟ ଖଣ୍ଡିଆଭୂତ ହାବୁଡ଼ରେ ପଡ଼ି ଜଣେ ଟ୍ରକ୍‌ ଚାଳକଙ୍କର ନୂଆ ଟ୍ରକ୍‌ଟି କିପରି ପାଲକୁ ପାଲ ଗଡ଼ି ଯାଉଛି, ସେ ଦୃଶ୍ୟ ଥିବା ଏକ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ରିଲେଙ୍କ ଭିଡିଓରେ ଦେଖାଯାଉଛି ଖଣ୍ଡିଆଭୂତର ଭୀଷଣ ପବନରେ ତାଙ୍କ କାର୍‌ଟି ଉପରକୁ ଉଠିଯାଉଛି। କିନ୍ତୁ, ବିସ୍ମୟର କଥା ହେଉଛି ପୁଣି ତାହା ପୂର୍ବ ପରି ରାସ୍ତା ଉପ‌ରେ ପଡ଼ିଯାଉଛି। ଅର୍ଥାତ୍‌ କାର୍‌ଟି ନ ଓଲଟି ଠିକ୍‌ ଠାକ୍‌ ଭାବେ ରାସ୍ତା ଉପରେ ଥୋଇ ‌ହୋଇ ଯାଉଛି। ତା’ପରେ ଲିଅନ୍‌ କାର୍‌ ଷ୍ଟାର୍ଟ କରି ଆପଣା ଗନ୍ତବ୍ୟସ୍ଥଳକୁ ଯାଉଛନ୍ତି। ଉକ୍ତ ଭୀଷଣକାୟ ଖଣ୍ଡିଆଭୂତ ପ୍ରକୋପରେ ରାଜପଥ ନିକଟରେ ଥିବା ବହୁ ଗଛବୃଚ୍ଛ ଉପୁଡ଼ି ପଡ଼ିବା ସହ ଘରଦ୍ବାର ନ‌ଷ୍ଟ ହୋଇଯାଇଛି।

ସ୍ଥାନୀୟ ନିଉଜ୍‌ ଚାନେଲ୍‌କୁ କହିବା ବେଳେ ୧୬ ବର୍ଷିୟ ଲିଅନ୍‌ କହିଛନ୍ତି, ଭିଡିଓ ଦେଖିଲେ ଖଣ୍ଡିଆଭୂତ କବଳରୁ ବର୍ତ୍ତି ଯାଇଥିବା କଥା ଏବେ ବି ତାଙ୍କର ବିଶ୍ବାସ ହେଉନାହିଁ। ଧନ୍ୟ ଈଶ୍ବର ମୁଁ ବଞ୍ଚିଯାଇଛି।

ଘଟଣା ସମ୍ପର୍କରେ ବର୍ଣ୍ଣନା ଦେଇ ଲିଅନ୍‌ କହିଛନ୍ତି, ‘ହ୍ବାଟାବର୍ଗର୍‌’ରେ ଚାକିରି ପାଇଁ ଇଣ୍ଟର୍‌ଭ୍ୟୁ ଦେଇ ଘରକୁ ଫେରିବା ବେଳେ ଏଭଳି ଭୟାବହ ଘଟଣା ଘଟିଲା। ଅବଶ୍ୟ ଭାଙ୍ଗିରୁଜି ଚେପା ହୋଇଯାଇଥିବା କାର୍‌ଟିକୁ ବୀମା କମ୍ପାନି ନେଇଯାଇଛନ୍ତି।

ପରେ ‘ଏନ୍‌ବିସି’ ଏ ସଂକ୍ରାନ୍ତରେ ପ୍ରକାଶ କରିଥିବା ରିପୋର୍ଟରେ ଲେଖିଛି ଯେ, ନଷ୍ଟ ହୋଇଥିବା କାର୍‌‌ ନେଇ ‘ଫୋର୍ଟ ୱର୍ଥ’ର ଜଣେ କାର୍‌ ଡିଲର୍‌ ଲିଅନ୍‌ଙ୍କୁ ଗୋଟାଏ ଲାଲ୍‌ ୨୦୨୨ ଚେଭି ସିଲ୍‌ଭେରାଡୋ’ କାର୍‌ ଦେବାକୁ ଘୋ‌ଷଣା କରିଛନ୍ତି।

ଏହାଛଡ଼ା, ସେ ‘ହ୍ବାଟାବର୍ଗର୍‌’ରେ ଚାକିରି ମଧ୍ୟ ପାଇଯାଇଛନ୍ତି। ସୋମବାର ଠାରୁ ସେ ଚାକିରିରେ ଯୋଗ ଦେବେ‌ ବୋଲି ‘ଏନ୍‌ବିସି’ ରିପୋର୍ଟ କରିଛି।

ସମ୍ବନ୍ଧିତ ଖବର