ରାଜ୍ୟସଭାରେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସୂଚନା : ଓଡ଼ିଶା ପାଇଁ ବହୁ ପଦକ୍ଷେପ‌ ନେଇଛି କେନ୍ଦ୍ର

ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଟସର ସିଲ୍କର ବିକାଶ ପାଇଁ ୨ଟି ସ୍ୱତନ୍ତ୍ର ପ୍ରକଳ୍ପ
ନକଲ ରୋକିବା ଲାଗି ଓଡ଼ିଶା ହସ୍ତତନ୍ତ ସାମଗ୍ରୀର ଜିଆଇ ପଞ୍ଜୀକରଣ

ନୂଆଦିଲ୍ଲୀ : ଓଡ଼ିଶାରେ ବୟନ ଶିଳ୍ପ ବିକାଶ ଲାଗି କେନ୍ଦ୍ର ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟସଭାରେ ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ଏହା କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଇରାନୀ କହିଛନ୍ତି ଯେ, ସରକାର ବୟନ ଶିଳ୍ପ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ୬,୦୦୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଓଡିଶା ସମେତ ସମଗ୍ର ଦେଶରେ ଏହି ଯୋଜନାଗୁଡିକ ବୟନ ଶିଳ୍ପର ବିକାଶ ଦିଗରେ ସହାୟକ ହେବ।

ଚଳିତବର୍ଷ ସୁଦ୍ଧା ଓଡ଼ିଶାକୁ ଦିଆଯାଇଥିବା ଅର୍ଥ ସମ୍ପର୍କରେ ଉଲ୍ଲେଖ କରି କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଇରାନୀ କହିଛନ୍ତି ଯେ, ୨୦୧୬-୧୭ ମସିହା ପାଇଁ ୯.୯୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା‌େବଳେ ୨୦୧୭-୧୮ ବର୍ଷ ପାଇଁ ୧୧୫.୬୭ ଲକ୍ଷ, ୨୦୧୮-୧୯ ବର୍ଷ ପାଇଁ ୨୦୧୮-୧୯ ବର୍ଷ ପାଇଁ ୨୧୪.୭୬ ଲକ୍ଷ ଟଙ୍କା ଏବଂ ୨୦୧୯-୨୦ ବର୍ଷ ପାଇଁ ୧୧୩.୦୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ଏଥିସହିତ, ରାଜ୍ୟର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ତଫସିଲଭୁକ୍ତ ଜାତି ଓ ଜନଜାତି ଉପଯୋଜନା ଅଧୀନରେ ଟସର ସିଲ୍‌କର ବିକାଶ ପାଇଁ କେନ୍ଦ୍ର ସରକାର ୨ଟି ସ୍ୱତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି । ଗରିବ ତଥା ଅନଗ୍ରସର ତଫସିଲଭୁକ୍ତ ଜାତି ଓ ଜନଜାତି ବ୍ୟକ୍ତିମାନଙ୍କ ଆର୍ଥିକ ଅବସ୍ଥାର ଉନ୍ନତି ପାଇଁ ଏହି ୨ଟି ଯୋଜନା ପ୍ରଣୟନ କରାଯାଇଛି। ଟସର ଯୋଜନା ପରିବର୍ତେ ମହିଳା କିଷାନ ସଶକ୍ତୀକରଣ ପରିଯୋଜନା (ଏମ୍‌କେଏସପି), ବିଶେଷକରି ମହିଳାଙ୍କ ପାଇଁ ରାଜ୍ୟର କେତେକ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି। ବର୍ତମାନ ବୟନ ଆୟୁକ୍ତଙ୍କ କାର୍ଯ୍ୟାଳୟ ଅଧୀନରେ କେନ୍ଦ୍ର ବୟନ ମନ୍ତ୍ରାଳୟ ପକ୍ଷରୁ ଓଡିଶାର କଟକଠାରେ କଳତନ୍ତ ସେବା କେନ୍ଦ୍ର କାର୍ଯ୍ୟ କରୁଛି। ଏହି କେନ୍ଦ୍ର ଜରିଆରେ ତାଲିମ, ପରାମର୍ଶ, ତ୍ରୁଟି ବିଚ୍ୟୁତିର ପରୀକ୍ଷାନିରୀକ୍ଷା, ପରିପାଟୀର ବିକାଶ, ସମୂହ ବୀମା ଯୋଜନା ଅଧୀନରେ ପଞ୍ଜୀକୃତ କଳତନ୍ତ ବୁଣାକାର ଓ ଶ୍ରମିକମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ଅନ୍ୟପକ୍ଷରେ, ଓଡିଶାରେ ହସ୍ତତନ୍ତର ବିକାଶ ପାଇଁ ଚଳିତ ବର୍ଷକୁ ମିଶାଇ ଗତ ତିନି ବର୍ଷ ମଧ୍ୟରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରି କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଇରାନୀ କହିଛନ୍ତି ଯେ, ୧୫ଟି ମଣ୍ଡଳସ୍ତରୀୟ କ୍ଲଷ୍ଟର ନିମନ୍ତେ ୯.୦୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହଦ୍ୱାରା ୧୧,୦୧୬ଜଣ ହିତାଧିକାରୀ ଉପକୃତ ହେବେ । ୨୦ଟି ବିପଣନ କାର୍ଯ୍ୟକ୍ରମ ଜରିଆରେ ୩୭,୦୦୦ ହିତାଧିକାରୀଙ୍କ ପାଇଁ ୨.୫୦ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଛି। ୧,୧୨,୭୬୮ ହିତାଧିକାରୀଙ୍କ ପାଇଁ ୧୫.୫୫ କୋଟି ଟଙ୍କାର ବିପଣନ ଅନୁଦାନ ମଞ୍ଜୁର କରାଯାଇଛି। ଓଡ଼ିଶାର ହସ୍ତତନ୍ତ ସାମଗ୍ରୀର ନକଲ ରୋକିବା ଲାଗି ରାଜ୍ୟରେ ଉତ୍ପାଦିତ ନିମ୍ନୋକ୍ତ ସାମଗ୍ରୀଗୁଡ଼ିକୁ ଭୌଗଳିକ ସୀମାରେଖା ମାନକ (ଜିଆଇ) ଅଧୀନରେ ପଞ୍ଜୀକୃତ କରାଯାଇଛି। ଏହିସବୁ ସାମଗ୍ରୀଗୁଡ଼ିକ ହେଲା, କୋଟପାଡ ହସ୍ତତନ୍ତ କପଡ଼ା, ଖଣ୍ଡୁଆ ଶାଢ଼ି ଓ ବସ୍ତ୍ର, ସମ୍ବଲପୁରୀ ବାନ୍ଧ ଶାଢ଼ି ଓ ବସ୍ତ୍ର, ବୋମକେଇ ଶାଢ଼ି ଓ ବସ୍ତ୍ର, ଓଡିଶା ଇକଟ, ବ୍ରହ୍ମପୁର ପାଟ ଶାଢ଼ି ଓ ଯୋଡ଼, ହବସପୁରୀ ଶାଢ଼ି ଓ କପଡ଼ା, ଧଳାପଥର ପରଦା ଓ କପଡ଼ା, ଓ ଗୋପାଳପୁର ଟସର ଓ କପଡ଼ା। ଏଥିସହିତ, ୨,୮୭୬ ଜଣ ହିତାଧିକାରୀଙ୍କୁ ୯.୩୯ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି। ୪୧,୧୮୦ ଜଣ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଜନା, ୨୪,୮୫୬ ଜଣଙ୍କୁ ମହାତ୍ମା ଗାନ୍ଧୀ ବୁଣାକାର ବୀମା ଯୋଜନା, ୯,୯୩୦ ଜଣଙ୍କୁ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ୩,୩୪୮ ଜଣଙ୍କୁ ସମନ୍ୱିତ ମହାତ୍ମା ଗାନ୍ଧୀ ବୀମା ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇଛି । ପ୍ରାୟ ୧୩୮.୪୨ କୋଟି ଟଙ୍କା ମୂଲ୍ୟର ୧୭.୦୭ ଲକ୍ଷ କେଜି ସୂତା ମିଲ ମୂଲ୍ୟରେ ଏବଂ ୧୦୭.୨୧ କୋଟି ଟଙ୍କାର ୧୨.୫୬ ଲକ୍ଷ କେଜି ସୂତା ସଂଯୁକ୍ତ ସୂତା ଯୋଗାଣ ଯୋଜନା ଅଧୀନରେ ଶତକଡା ୧୦ ଭାଗ ରିହାତି ଦରରେ ଯୋଗାଇ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଇରାନୀ କହିଛନ୍ତି।

ସମ୍ବନ୍ଧିତ ଖବର