ନୂଆଦିଲ୍ଲୀ: ଛଅଦିନିଆ ଭାରତ ଗସ୍ତରେ ଆସିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ତାଙ୍କ ଗସ୍ତର ଦ୍ୱିତୀୟ ଦିନକୁ ଭାରତ ପାଇଁ ଅଧିକ ସ୍ମରଣୀୟ କରିଦେଇଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆୟୋଜିତ ନୈଶ୍ୟଭୋଜିରେ ପ୍ରଥମ ଦିନର ଗସ୍ତ ସାରିଥିବା ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀଙ୍କୁ ଆଜି ରାଷ୍ଟ୍ରପତି ଭବନରେ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଥିଲା। ପରେ ସେମାନେ ରାଜଘାଟ ଯାଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେଠାରୁ ଆସି ହାଇଦ୍ରାବାଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏହି ଅବସରରେ ଉଭୟ ଦେଶ ମଧ୍ୟରେ କୃଷି, ପ୍ରତିରକ୍ଷା, ବାଣିଜ୍ୟ, ଖଣିଜ ତୈଳ ଏବଂ ସାଇବର ସୁରକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ୯ଟି ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ପରେ ଉଭୟ ରାଷ୍ଟ୍ରନେତା ଗଣମାଧ୍ୟମ ଆଗରେ ମିଳିତ ବିବୃତି ରଖିଥିଲେ।
ସୂଚନା ଥାଉ କି, କିଛି ଦିନ ତଳେ ଜେରୁଜେଲମ୍କୁ ଇସ୍ରାଏଲର ରାଜଧାନୀ ଭାବେ ଘୋଷଣା ପ୍ରସ୍ତାବକୁ ବିରୋଧ କରି ଭାରତ ଜାତିସଂଘରେ ନିଜର ମତ ରଖିଥିବା ବେଳେ ଏହା ଦୁଇ ଦେଶର ନିବିଡ଼ ସମ୍ପର୍କ ମଧ୍ୟରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ନେତାନ୍ୟାହୁ କହିଛନ୍ତି। ସେହିପରି ଦୁଇ ଦେଶର ସମ୍ପର୍କକୁ ସେ ସ୍ୱର୍ଗରେ ପରିଣୟ ସହ ତୁଳନା କରିବା ସହ ଜେରୁଜେଲମ୍ ବିରୋଧରେ ଭାରତର ଗୋଟିଏ ମତ ଏହି ସମ୍ପର୍କକୁ କେବେ ତିକ୍ତ କରିଦେବନି ବୋଲି ନେତାନ୍ୟାହୁ ସ୍ପଷ୍ଟ କରିଥିଲେ। ସେହିପରି ଅନାବିଳ ଆତିଥ୍ୟ ପାଇଁ ସେ ମୋଦି ତଥା ଭାରତୀୟଙ୍କର ଭୂୟସୀ ପ୍ରଶଂସା କରିବା ସହ ମୋଦିଙ୍କୁ ଜଣେ ବାସ୍ତବ ବିପ୍ଳବୀ ନେତା ବୋଲି କହିଥିଲେ। ବିଶ୍ୱର ଅନେକ ସ୍ଥାନ ଭିନ୍ନ ଏଇ ଭାରତରେ ଇସ୍ରାଏଲୀମାନେ କେବେ ସାମ୍ପ୍ରଦାୟିକ ବିରୋଧର ଶିକାର ହୋଇନଥିବା ବିଷୟ ଏ ଦେଶର ମହାନ ସଂସ୍କୃତି, ସହନଶୀଳତା ଓ ଗଣତନ୍ତ୍ରର ମୂଲ୍ୟବୋଧକୁ ବୁଝାଏ ବୋଲି ନେତାନ୍ୟାହୁ କହିଛନ୍ତି।
ସେହିପରି ଭାରତରେ ମକର ସଂକ୍ରାନ୍ତି, ବିହୁ ଏବଂ ପୋଙ୍ଗଳ ପରି ଉତ୍ସବମୁଖର ସମୟରେ ପରିଭ୍ରମଣରେ ଆସିଥିବା ନେତାନ୍ୟାହୁଙ୍କୁ ମୋଦି ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି। ଦୁଇ ଦେଶର ମଙ୍ଗଳ ପାଇଁ ଉଭୟେ ଉଦ୍ୟମ କରିବେ ବୋଲି ଆଜିର ଦ୍ୱିପାକ୍ଷିକ ଆଲୋଚନା ଏବଂ ରାଜିନାମା ସ୍ୱାକ୍ଷରରୁ ସ୍ପଷ୍ଟ ହୋଇଛି ବୋଲି ମୋଦି କହିଛନ୍ତି। ଇସ୍ରାଏଲର ଜ୍ଞାନକୌଶଳ ଏବଂ ସାମରିକ ଯନ୍ତ୍ରାଂଶ ଆହରଣ ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ମୋଦି ଇସ୍ରାଏଲୀ ନିବେଶକମାନଙ୍କୁ ଆହ୍ଵାନ କରିଥିଲେ। ତେବେ ନେତାନ୍ୟାହୁଙ୍କ ପରି ରାଷ୍ଟ୍ରନେତାଙ୍କ ଉଦ୍ୟମରେ ଇସ୍ରାଏଲ ସହ ଭାରତର ସମ୍ପର୍କ ଆହୁରି ସୁଦୃଢ଼ ହୋଇପାରିବ ବୋଲି ମୋଦି କହିଛନ୍ତି।
ଇସ୍ରାଏଲ ସହ ୯ ଚୁକ୍ତି ସ୍ୱାକ୍ଷରିତ
ରାଷ୍ଟ୍ରପତି ଭବନରେ ନେତାନ୍ୟାହୁଙ୍କୁ ଭବ୍ୟ ସ୍ୱାଗତ
/sambad/media/post_attachments/wp-content/uploads/2018/01/issraeli-nityanahyu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)