ଠାକରେ-ସିନ୍ଦେ ସମର୍ଥକ ମୁହାଁମୁହିଁ: ବିଧାୟକଙ୍କ ପରିବାରକୁ ସୁରକ୍ଷା ପାଇଁ ଡିଜିପିଙ୍କୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ଆଉ ଜଣେ ବିଧାୟକ ସିନ୍ଦେ ଗୋଷ୍ଠୀରେ ସାମିଲ, ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ୪୮ ହେଲା

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟରେ ବିଜେପିର ପ୍ରବେଶ ପରେ ମାମଲା ଅଧିକ ସରଗରମ ହୋଇଉଠିଛି। ଆଜି ଶିବସେନାର ଆଉ ଜଣେ ବିଧାୟକ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହୋଇଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଉଭୟ ଶିବସେନା ଉପରେ ନିୟନ୍ତ୍ରଣ ଦାବି କରିଥିବା ବେଳେ ବିଭିନ୍ନ ଜିଲ୍ଲାରେ ହିଂସା ଓ ଉତ୍ତେଜନା ବଢ଼ୁଛି। ଆଜି ମଧ୍ୟ ଉଦ୍ଧବଙ୍କ ସମର୍ଥକମାନେ ବିଦ୍ରୋହୀ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ଓ ସେମାନଙ୍କ ପୋଷ୍ଟର ଚିରିବା ସହ ଜୋତାରେ ପିଟିଛନ୍ତି। ଏହାକୁ ନେଇ ୫୦ରୁ ଅଧିକ ସ୍ଥାନରେ ଉଦ୍ଧବ ଓ ସିନ୍ଦେଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଛନ୍ତି। ଶିବସେନା ସେନା ସଂଜୟ ରାଉତ ହିଂସାକୁ ଉସୁକାଉଥିବା ଏବଂ ବିଦ୍ରୋହୀ ବିଧାୟକଙ୍କୁ ବାରମ୍ବାର ଧମକ ଦେଉଥିବାରୁ ଏହାକୁ ନେଇ ମଧ୍ୟ ଉତ୍ତେଜନା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ରାଜ୍ୟପାଳ ଭଗତ ସିଂହ କୋସିୟାରୀ ଆଜି ପ୍ରଥମ ଥର ପାଇଁ ମାମଲାରେ ହସ୍ତକ୍ଷେପ କରିଛନ୍ତି ଏବଂ ଡିଜିପି ରଜନୀଶ ସେଠ୍‌ଙ୍କୁ ପତ୍ର ଲେଖି ବିଦ୍ରୋହୀ ବିଧାୟକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ତୁରନ୍ତ ସୁରକ୍ଷା ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଦ୍ରୋହୀ ବଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶିବସେନା ପ୍ରକ୍ରିୟା ଆରମ୍ଭ କରିଛି ଏବଂ ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ନୋଟିସ୍‌ ଜାରି କରିଛି। ଅନ୍ୟପକ୍ଷରେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ଆଜି ଗୌହାଟି ହୋଟେଲରେ ଏକ ବୈଠକ କରି ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିବା ସହ ଆଗାମୀ ଦୁଇ ଦିନ ମଧ୍ୟରେ ସରକାର ଗଠନ ପାଇଁ ଦାବି କରିବାକୁ ସଜବାଜ ହେଉଛନ୍ତି। କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନ୍‌ଭେ ଆଜି କହିଛନ୍ତି ମହାରାଷ୍ଟ୍ରର ଏମ୍‌ଭିଏ ସରକାର ଅତିବେଶିରେ ଆଉ ଦୁଇରୁ ତିନି ଦିନ ହିଁ ତିଷ୍ଠିପାରିବ। ଏହାପରେ ବିଜେପି ସରକାର ଗଠନ କରିବ ବୋଲି ସେ ସଙ୍କେତ ଦେଇଛନ୍ତି। ଆଜି ମହାରାଷ୍ଟ୍ରର ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଉଦ୍ଧବଙ୍କ ଅତି ଘନିଷ୍ଠ କୁହାଯାଉଥିବା ଉଦୟ ସାମନ୍ତ ମଧ୍ୟ ଗୌହାଟୀ ଯାଇ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଯାଇଛନ୍ତି। ଏମ୍‌ଭିଏରୁ ଶିବସେନା ମୁକ୍ତ ହେବା ଅତି ଜରୁରୀ ବୋଲି ସେ କହିଛନ୍ତି। ବିଦ୍ରୋହୀ ଗୋଷ୍ଠୀରେ ଏବେ ବିଧାୟକଙ୍କ ସଂଖ୍ୟା ୪୮ରେ ପହଞ୍ଚିଥିବା ବେଳେ ଏଥିରେ ଶିବସେନାର ୩୯ ବିଧାୟକ ଅଛନ୍ତି ଓ ଅନ୍ୟ ୯ ଜଣ ହେଉଛନ୍ତି ସ୍ବାଧୀନ ବିଧାୟକ।

ସମ୍ବନ୍ଧିତ ଖବର