ନୂଆଦିଲ୍ଲୀ : ଶିବ ସେନାରେ ବିଦ୍ରୋହ ପରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ମହା ବିକାଶ ଅଘାଡ଼ି (ଏମ୍ଭିଏ) ସରକାର ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗି ଯାଇପାରେ। ବିଦ୍ରୋହୀ ନେତା ଏକନାଥ ସିନ୍ଦେ ତାଙ୍କ ଜିଦରେ ଅଟଳ ରହିଛନ୍ତି। ଏନ୍ସିପି ଏବଂ କଂଗ୍ରେସ ସହ ମେଣ୍ଟ ଭାଙ୍ଗି ବିଜେପି ସହିତ ଶିବ ସେନା ପୁଣି ହାତ ମିଳାଇବାକୁ ଦାବି କରିଛନ୍ତି। ତାଙ୍କ ପ୍ରତି ଦଳୀୟ ବିଧାୟକମାନଙ୍କ ସମର୍ଥନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏଥିରେ ଅସହାୟ ହୋଇ ମୁଖ୍ୟମନ୍ତ୍ରୀ ଠାକରେ ତାଙ୍କ ପଦରୁ ଇସ୍ତଫା ଦେବାକୁ ସ୍ଥିର କରିଛନ୍ତି। ଆଜି ସନ୍ଧ୍ୟାରେ ସେ ମୁଖ୍ୟମନ୍ତ୍ରୀ ବାସଭବନ ଛାଡ଼ି ନିଜ ପାରିବାରିକ ଘରକୁ ଫେରି ଯାଇଛନ୍ତି। ଯେକୌଣସି ମୁହୂର୍ତ୍ତରେ ସେ ଇସ୍ତଫା ଘୋଷଣା କରିପାରନ୍ତି ବୋଲି କୁହାଯାଉଛି।
ଶିବସେନାର ବିଦ୍ରୋହୀ ବିଧାୟକମାନେ ଏବେ ସୁରଟରୁ ଯାଇ ଆସାମରେ ଡେରା ପକାଇଥିବା ବେଳେ ସେମାନେ ଏକନାଥ ସିନ୍ଦେଙ୍କୁ ଶିବସେନାର ବିଧାୟକ ଦଳ ନେତା ନିଯୁକ୍ତ କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ ଏନ୍ସିପି ଏବଂ କଂଗ୍ରେସ ମେଣ୍ଟରୁ ଓହରି ଶିବସେନା ପୁଣିଥରେ ବିଜେପି ସହ ମେଣ୍ଟ କଲେ ହିଁ ଦଳ ସୁଦୃଢ଼ ହେବ। ପୂର୍ବରୁ ଶିବସେନାର ୩ ଜଣ ହାଇ ପ୍ରୋଫାଇଲ୍ ନେତା ତଥା ରାଜ୍ ଠାକରେ, ଛଗନ ଭୂଜବଳ ଏବଂ ନାରାୟଣ ରାଣେ ମଧ୍ୟ ବିଦ୍ରୋହ କରି ବିଦାୟ ନେଇଥିଲେ। କିନ୍ତୁ ଚଳିତ ଥର କିଛି ଭିନ୍ନ ସ୍ଥିତି ଉପୁଜିଛି। ଏକନାଥ ସିନ୍ଦେ ଦାବି କରିଛନ୍ତି ଯେ ତାଙ୍କ ନିକଟରେ ୪୦ ବିଧାୟକଙ୍କ ସମର୍ଥନ ଅଛି। ଯଦି ଏହା ସତ ହୁଏ ତେବେ ଦଳ ଉପରେ ଦଖଲ ବଜାୟ ରଖିବା ଉଦ୍ଧବ ଠାକରେଙ୍କ ପାଇଁ ସହଜ ହେବନାହିଁ। ଶିବସେନାର ୫୫ ବିଧାୟକ ଅଛନ୍ତି। ତେବେ ବିଦ୍ରୋହୀ ନେତାମାନେ ଦଳ ବଦଳ ନିରୋଧ ଆଇନ ପରି କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ହେଲେ ସେମାନଙ୍କୁ ୩୭ ସଂଖ୍ୟା ଆବଶ୍ୟକ। ଇତିମଧ୍ୟରେ ବିଦ୍ରୋହୀ ଗୋଷ୍ଠୀର ୩୪ ଜଣ ବିଧାୟକ ରାଜ୍ୟପାଳ ଏବଂ ଉପବାଚସ୍ପତିଙ୍କୁ ପତ୍ର ଲେଖି ସିନ୍ଦେଙ୍କୁ ନେତା ନିର୍ବାଚିତ କରିଥିବା ଜଣାଇଛନ୍ତି। ତେବେ ସରକାର ଗଠନ ଲାଗି ସେମାନେ କୌଣସି ଦାବି କରି ନାହାନ୍ତି। କିନ୍ତୁ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ବିକଳ୍ପ ସରକାର ଗଠନ ଲାଗି ଦଳୀୟ ବିଧାୟକମାନଙ୍କ ସହିତ ବିଚାରବିମର୍ଶ ଚଳାଇଛନ୍ତି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଏକ ସମୟରେ ୨ଟି କ୍ଷତି ସହିବାକୁ ଯାଉଛନ୍ତି। ତାଙ୍କୁ ଡବଲ୍ ଝଟ୍କା ମିଳିପାରେ। ଠାକ୍ରେ କେବଳ ମୁଖ୍ୟମନ୍ତ୍ରୀ ପଦ ହରାଇବେ ନାହିଁ, ବରଂ ସେ ଦଳ ଉପରୁ ତାଙ୍କର ଦଖଲ ମଧ୍ୟ ହରାଇପାରନ୍ତି। ଶିବସେନା ନେତା ସଂଜୟ ରାଉତ ଏନେଇ ସୂଚନା ଦେଇ ସାରିଛନ୍ତି। ଏକ ଟ୍ବିଟ୍ କରି ରାଉତ କହିଛନ୍ତି ଯେ ଅତି ବେଶିରେ କ’ଣ ହେବ। ଆମ ସରକାର ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହରାଇବ। ଆମେ ସବୁ ସମୟରେ କ୍ଷମତାକୁ ଫେରି ପାରିବୁ କିନ୍ତୁ ଦଳର ଭାବମୂର୍ତ୍ତି ସବୁଠୁ ଉପରେ। ମହାରାଷ୍ଟ୍ରରେ ଏବେ ଚାଲିଥିବା ରାଜନୈତିକ ସଙ୍କଟ ଯୋଗୁଁ ବିଧାନସଭା ଭାଙ୍ଗି ଯାଇପାରେ ବୋଲି ସଂଜୟ ରାଉତ ଟ୍ବିଟ୍ କରି କହିଛନ୍ତି।
ତେଣେ ବୁଧବାର ସନ୍ଧ୍ୟାରେ ଏନସିପି ନେତା ଶରଦ ପାୱାର ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ଭେଟିଛନ୍ତି। ଏସଂପର୍କରେ ରାଉତ କହିଛନ୍ତି ଯେ ସାଂପ୍ରତିକ ରାଜନୈତିକ ସଙ୍କଟର ମିଳିତ ମୁକାବିଲା କରାଯିବ ବୋଲି ପାୱାର ପ୍ରତିଶ୍ରୁତି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Uddhav-Thackeray.jpg)