ବାଦୁଡ଼ି ସୁପ୍ ପିଇ ଥାଇଲାଣ୍ଡର ଯୁବତୀ ଗିରଫ

ବ୍ୟାଙ୍କକ୍ : ବାଦୁଡ଼ି ସୁପ୍ ପିଇବାର ଭିଡିଓ ପୋଷ୍ଟ କରିବାରୁ ଥାଇଲାଣ୍ଡ ପୁଲିସ ଜଣେ ୟୁଟ୍ୟୁବରଙ୍କୁ ଗିରଫ କରିଛି । ବାଦୁଡ଼ି ଶରୀରରୁ ମଣିଷ ଶରୀରକୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଯୋଗୁଁ ତାଙ୍କୁ ଗିରଫ କରାଯାଇଛି ।

ଉକ୍ତ ୟୁଟ୍ୟୁବରଙ୍କ ନାଁ  ହେଉଛି ଫେନଚାନୋକ୍ ଶ୍ରୀସୁନାକଲୁଆ । ସେ ନିଜର ୟୁଟ୍ୟୁବ ଚ୍ୟାନେଲ ‘ଜିନ ଜାପ ବେନ ନୁଆ ନୁଆ’ ( ମସଲାଦାର ଓ ସୁସ୍ବାଦୁ ଖାଆନ୍ତୁ ) । ନିକଟରେ ସେ ଏହି ଚ୍ୟାନେଲରେ ଏକ ଭିଡିଓ ପୋଷ୍ଟ କରିଥିଲେ । ସେଥିରେ ଦେଖାଯାଉଛି ଯେ, ସେ ଚେରି, ଟମାଟୋ ସହ ପ୍ରସ୍ତୁତ ହୋଇଥିବା ବାଦୁଡ଼ି ସୁପ ପିଉଛନ୍ତି । ଉକ୍ତ ସୁପରେ ଏକ ଗୋଟା ବାଦୁଡ଼ି ପଡ଼ିଥିବା ଦେଖାଯାଉଛି । ସୁପକୁ ସେ ପିଇବା ସହ ତାହା ଅତ୍ୟନ୍ତ ସୁସ୍ବାଦୁ ଲାଗୁଛି ବୋଲି ସେ ବର୍ଣ୍ଣନା କରୁଛନ୍ତି ।

ଏହି ଭିଡିଓ ଅପଲୋଡ ହେବା ପରେ ଲୋକମାନଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖାଯାଇଛି । ତେବେ ଅଧିକାଂଶ ଲୋକ ତାହାକୁ ବିରୋଧ କରୁଛନ୍ତି ।

ଏ ସଂପର୍କରେ ଥାଇଲାଣ୍ଡ ପୁଲିସ ଖବର ପାଇବା ପରେ ଉକ୍ତ ଯୁବତୀଙ୍କୁ ଗିରଫ କରି ଜେରା କରୁଛି । ଦୋଷ ପ୍ରମାଣିତ ହେଲେ ତାଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ ।

ଚୀନରୁ କରୋନା ସଂକ୍ରମଣ ବ୍ୟାପିବାର ଅନ୍ୟତମ କାରଣ ଭାବେ ଚୀନର ପଶୁ ବଜାରକୁ ଦେଖାଯାଉଛି । ଏଠାରୁ ବାଦୁଡ଼ି ଶରୀରରୁ ସଂକ୍ରମଣ ବ୍ୟାପିଥିବା କୁହାଯାଉଛି । ଏହି ଆଶଙ୍କା ମଧ୍ୟରେ ଥାଇଲାଣ୍ଡ ସରକାର ଉପରୋକ୍ତ ପଦକ୍ଷେପ ନେଇଛନ୍ତି ।

 

ସମ୍ବନ୍ଧିତ ଖବର