ନୂଆଦିଲ୍ଲୀ : ଥାଇଲାଣ୍ଡ ଓ କାମ୍ବୋଡ଼ିଆ ମଧ୍ୟରେ ଆଜି ପ୍ରବଳ ଗୁଳି ବିନିମୟ ହୋଇଛି ଏବଂ ଏହି ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଦୁଇ ଦେଶ ମଧ୍ୟରେ ଅଚାନକ ସାମରିକ ସଂଘର୍ଷ ଆରମ୍ଭ ହେବା ଚିନ୍ତାର କାରଣ ପାଲଟିଛି। ସୂଚନାନୁଯାୟୀ, ଆଜି ଉଭୟ ରାଷ୍ଟ୍ରର ସୁରକ୍ଷାକର୍ମୀଙ୍କ ମଧ୍ୟରେ ବିବାଦୀୟ ସୀମାରେ ସଂଘର୍ଷ ହୋଇଛି। ଥାଇଲାଣ୍ଡ ସେନା ଅନୁଯାୟୀ ଏହି ଘଟଣାରେ ୩ଟି ଥାଇ ପ୍ରଦେଶରୁ ସୈନିକଙ୍କ ସମେତ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଲୋକ ଏହି ଆକ୍ରମଣରେ ଆହତ ହୋଇଛନ୍ତି। ଗୁରୁବାର ଭୋର୍ ସମୟରେ ଥାଇଲାଣ୍ଡ ଓ କାମ୍ବୋଡ଼ିଆ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। କାମ୍ବୋଡ଼ିଆ ରକେଟ୍ ଆକ୍ରମଣ କରୁଛି ଏବଂ କାମ୍ବୋଡ଼ିଆର ସାମରିକ ଟାର୍ଗେଟ୍ ଉପରେ ଥାଇଲାଣ୍ଡ ବିମାନ ଆକ୍ରମଣ କରୁଛି ବୋଲି ଅଭିଯୋଗ ହେବା ସହ ଉତ୍ତେଜନା ତୀବ୍ର ହୋଇଥିଲା। କାମ୍ବୋଡ଼ିଆ ସହ ଥାଇଲାଣ୍ଡ ଏହାର ସୀମା ବନ୍ଦ କରିଥିବାବେଳେ ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଅଚାନକ ତିକ୍ତ ହୋଇଉଠିଛି। ଉଭୟ ରାଷ୍ଟ୍ର ସୀମା ନିକଟସ୍ଥ ଅଞ୍ଚଳରୁ ନିଜ ନିଜ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାପାଇଁ କହିଛନ୍ତି। ଥାଇଲାଣ୍ଡ ଏହାର ୪୦ ହଜାର ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ଖାଲି କରିଛି। ତେବେ ଆଜିର ସଂଘର୍ଷକୁ ନେଇ ଉଭୟ ଥାଇଲାଣ୍ଡ ଓ କାମ୍ବୋଡ଼ିଆ ପରସ୍ପରକୁ ଦାୟୀ କରିଛନ୍ତି। ଥାଇଲାଣ୍ଡ ଦାବି କରିଛି ଯେ ଥାଇଲାଣ୍ଡର ସୀମା ନିକଟସ୍ଥ ଅଞ୍ଚଳରେ କାମ୍ବୋଡ଼ିଆ ସେନା ଡ୍ରୋନ୍ ମୁତୟନ କରିବାରୁ ଏହି ସଂଘର୍ଷ ଆରମ୍ଭ ହୋଇଛି । ଅନ୍ୟପକ୍ଷେ କାମ୍ବୋଡ଼ିଆ ଦାବି କରିଛି ଯେ ଥାଇ ସୈନିକମାନେ ସୀମା ନିକଟସ୍ଥ ଖମେର-ହିନ୍ଦୁ ମନ୍ଦିର ଆଡ଼କୁ ଅଗ୍ରସର ହୋଇ ପୂର୍ବ ଚୁକ୍ତିକୁ ଉଲ୍ଲଂଘନ କରିବାରୁ ସଂଘର୍ଷ ଉପୁଜିଛି। ଥାଇ ସେନା କହିଛି ଯେ ଏହା ଗୁରୁବାର କାମ୍ବୋଡ଼ିଆର ସାମରିକ ଟାର୍ଗେଟ୍ ଉପରେ ବିମାନ ଆକ୍ରମଣ ଆରମ୍ଭ କରିଛି। ଅନ୍ୟପକ୍ଷେ କାମ୍ବୋଡ଼ିଆ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ଏକ ପ୍ରାଚୀନ ମନ୍ଦିର ନିକଟରେ ଥାଇଲାଣ୍ଡ ଜେଟ୍ରୁ ବୋମା ନିକ୍ଷେପ କରାଯାଇଛି। ଏହି ଘଟଣାରେ ସିସା କେଟ୍ ପ୍ରଦେଶରେ ୬ ନାଗରିକଙ୍କ ମୃତ୍ୟୁ ହୋଇଛି ବୋଲି ଥାଇ ସେନା କହିଛି। ୩ ସୀମାନ୍ତ ପ୍ରଦେଶରେ ୧୪ ଜଣ ଆହତ ହୋଇଛନ୍ତି। ୬ଟି ସୀମାନ୍ତ ଅଞ୍ଚଳରେ ସଂଘର୍ଷ ଜାରି ରହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)