ବ୍ୟାଙ୍କକ୍ : ସାମୁଦ୍ରିକ ଝଡ଼ରେ ଫସି ବୁଡ଼ିଯାଇଛି ଥାଇଲାଣ୍ଡ ନୌସେନାର ଏକ ଯୁଦ୍ଧ ଜାହାଜ । ଏହି ଜାହାଜରେ ପ୍ରାୟ ୧୦୦ ଜଣେ ନୌସେନା କର୍ମଚାରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୩୧ ଜଣ ନିଖୋଜ ଅଛନ୍ତି ।
ଥାଇଲଣ୍ଡର ସମ୍ବାଦପତ୍ର ଦି ବ୍ୟାଙ୍କକ୍ ପୋଷ୍ଟର ରିପୋର୍ଟ ଅନୁସାରେ ରବିବାର ବିଳମ୍ବିତ ରାତିରେ ଏଚଟିଏମଏସ ସୁଖୋଥାଇ ନାମକ ଏହି ଯୁଦ୍ଧ ଜାହାଜ ଥାଇଲାଣ୍ଡ ଉପସାଗର ନିକଟରେ ଯାଉଥିବାବେଳେ ଏକ ସାମୁଦ୍ରିୁକ ଝଡ଼ର ସମ୍ମୁଖୀନ ହୋଇଥିଲା । ପ୍ରାଚୁଆପ୍ ଖିରି ଖାନ ନାମକ ଉପକୂଳ ନିକଟରେ ଥିବାବେଳେ ଜାହାଜରେ ପାଣି ପଶିଯାଇଥିଲା । ଜାହାଜର ପାଓ୍ବାର କଣ୍ଟ୍ରୋଲରେ ପାଣି ପଶିଯିବାରୁ ଜାହାଜର ବିଦ୍ୟୁତ ସରବାରହ ବନ୍ଦ ହୋଇଯାଇଥିଲା । ଏହି ସମୟରେ ଜାହାଜରେ ୧୦୬ ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ୭୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଆଉ ୩୧ ଜଣଙ୍କ ସନ୍ଧାନ ଜାରି ରହିଛି ।
ତେବେ ନିଖୋଜ ୩୧ ଜଣ ବ୍ୟକ୍ତି ଲାଇଫ ଜ୍ୟାକେଟ୍ ପିନ୍ଧିଥିବା ଅନୁମାନ କରାଯାଉଛି । ଏଣୁ ସେମାନେ ଜୀବିତ ଥିବାର ସମ୍ଭାବନା ଅଧିକ ଅଛି । ସୋମବାର ସକାଳେ ଥାଇଲାଣ୍ଡ ନୌସେନାର ଏକ ଡୋର୍ନିଆର ବିମାନ ସିହକ୍ ହେଲିକପ୍ଟର ମାଧ୍ୟମରେ ନିଖୋଜମାନଙ୍କୁ ଖୋଜା ଚାଲିଛି ।
ଥାଇଲାଣ୍ଡ ଗଣମାଧ୍ୟମ ଆହୁରି ମଧ୍ୟ ରିପୋର୍ଟ ପ୍ରକାଶ କରିଛି ଯେ କେବଳ ଯୁଦ୍ଧ ଜାହାଜ ନୁହେଁ, ଆଉ ଏକ କାର୍ଗୋ ଜାହାଜ ବି ବୁଡ଼ିଯାଇଛି । ତେବେ ଏହି ଜାହାଜ ସଂପର୍କରେ ଅଧିକ ତଥ୍ୟ ମିଳିପାରିନାହିଁ ।