ବିଦେଶରେ ବି ବାବା ମାନଙ୍କ ପ୍ରାଦୁର୍ଭାବ, ଭଗବାନ ବୁଦ୍ଧଙ୍କ ନାଁରେ ଲୋକଙ୍କୁ କୋଟି କୋଟି ଡଲାରର ଚୂନ ଲଗାଇଦେଲେ ଏହି ବୌଦ୍ଧ ଭିକ୍ଷୁ

ବ୍ୟାଙ୍କକ୍‌ : ଆମ ଭାରତରେ ବିଭିନ୍ନ ବାବାଜୀ ଓ ମାତାଜୀ ମାନେ ଲୋକଙ୍କଠାରୁ କୋଟି କୋଟି ଚାନ୍ଦା ନେଇ ବିଳାଶମୟ ଜୀବନଯାପନ କରୁଥିବାର ଅନେକ ଉଦାହରଣ ରହିଛି । ଏପରି କେତେକ ବାବା ଏବେ ଜେଲରେ ଅଛନ୍ତି । କିନ୍ତୁ ବିଦେଶରେ ମଧ୍ୟ ଏପରି ଘଟଣା ବିରଳ ନୁହେଁ । ନିକଟରେ ଥାଇଲାଣ୍ଡରେ ଏପରି ଏକ ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଛି । ଥାଇଲାଣ୍ଡ ବାସିନ୍ଧା ଓ୍ଵିରାପନ ସୁକଫୋନ ହେଉଛନ୍ତି ଜଣେ ପୂର୍ବତନ ବୌଦ୍ଧ ଭିକ୍ଷୁ । ତାଙ୍କ ସନ୍ୟାସୀ ନାଁ ହେଉଛି ଲୁଆଙ୍ଗ ପୁ ନେନଖାମ । ଭିକ୍ଷୁ ବା ସନ୍ୟାସୀ ହୋଇ ମଧ୍ୟ ସେ ବିଳାସ ବ୍ୟସନ ଓ ସାଂସାରିକ ବାସନା ତ୍ୟାଗ କରିପାରିନଥିଲେ । ପ୍ରଥମେ ସେ ଏକ ଆଶ୍ରମ ପ୍ରତିଷ୍ଠା କଲେ । ଏହା ପରେ ପ୍ରଚାର କରିଦେଲେ ଯେ ସେ ସିଧାସଳଖ ଭଗବାନ ବୁଦ୍ଧଙ୍କ ସହ କଥାବାର୍ତ୍ତା କରିପାରନ୍ତି । ଏହା ପରେ ତାଙ୍କ ପାଖକୁ ଲୋକଙ୍କ ସୁଅ ଛୁଟିଲା । ଏହି ମୌକାରେ ତାଙ୍କ ପାଖରେ ଅର୍ଥର ଅଭାବ ରହିଲା ନାହିଁ । କିନ୍ତୁ ଏତିକିରେ ସେ ସନ୍ତୁଷ୍ଟ ନଥିଲେ । ଏଣୁ ସେ ଭଗବାନ ବୁଦ୍ଧଙ୍କର ଏକ ବିଶାଳ ସୁନା ମୂର୍ତ୍ତି ଗଢିବା ବାହାନାରେ ଲୋକଙ୍କ ପାଖରୁ ମୋଟା ଆକାରରେ ଚାନ୍ଦା ସଂଗ୍ରହ କରିବା ଆରମ୍ଭ କଲେ ।

ଏପରିଭାବେ କୋଟି କୋଟି ଡଲାର ସଂଗ୍ରହ ପରେ ସେ ମୂର୍ତ୍ତି କରିବା ବଦଳରେ ତାହାକୁ ବିଳାଶ ବ୍ୟସନରେ ଉଡାଇବାକୁ ଲାଗିଲେ । ଏପରିକି ସେ ଏକ ପ୍ରାଇଭେଟ ଜେଟରେ ବୁଲୁଥିବାର ଭିଡିଓ ୟୁଟ୍ୟୁବରେ ଭାଇରାଲ ହେବା ପରେ ତାଙ୍କର କାରନାମା ପଦାକୁ ଆସିଲା । ତେବେ ପୁଲିସ କୌଣସି ତଦନ୍ତ ଆରମ୍ଭ କରିବା ପୂର୍ବରୁ ହିଁ ସେ ଆମେରିକା ଫେରାର ହୋଇଯାଇଥିଲେ । ଇତି ମଧ୍ୟରେ ଏକ ସନ୍ୟାସୀ ହୋଇ ମଧ୍ୟ ବିଳାସବ୍ୟସନ ଏପରିକି ନାରୀମାନଙ୍କ ସହ ରାତ୍ରୀଯାପନ କରିବା ଅପରାଧରେ ତାଙ୍କର ବୌଦ୍ଧଭିକ୍ଷୁ ପଦବୀ ପ୍ରତ୍ୟାହାର କରିନିଆଗଲା । ଥାଇଲାଣ୍ଡ ପୁଲିସ ପ୍ରାୟ ୪ ବର୍ଷ ଉଦ୍ୟମ କରିବା ପରେ ଏବର୍ଷ ତାଙ୍କୁ ଆମେରିକାରୁ ଥାଇଲାଣ୍ଡ ଅଣାଯାଇଛି । ଥାଇଲାଣ୍ଡର ଏକ କୋର୍ଟ ତାଙ୍କୁ ମୋଟ ୧୧୪ ବର୍ଷ ଜେଲଦଣ୍ଡ ଦେଇଛନ୍ତି । ତେବେ ସେ ମୋଟ ୨୦ ବର୍ଷ ଜେଲ ଦଣ୍ଡ ଭୋଗିବେ, କାରଣ ସମାନ ପ୍ରକାରର ଅପରାଧରେ ଥାଇଲାଣ୍ଡରେ ସର୍ବାଧିକ ୨୦ ବର୍ଷ ଜେଲଦଣ୍ଡର ବ୍ୟବସ୍ଥା ରହିଛି ।

ସମ୍ବନ୍ଧିତ ଖବର