ନୂଆଦିଲ୍ଲୀ: ମହାକୁମ୍ଭ ଦଳାଚକଟା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବିରୋଧୀ ଦଳ ନେତାମାନେ ଉକ୍ତ ପ୍ରସଙ୍ଗରେ ସରକାରକୁ ‌ଘେରିବାକୁ ଚେଷ୍ଟା କରିଛନ୍ତି।  ସମାଜବାଦୀ ପାର୍ଟି (ସପା) ସୁପ୍ରିମୋ ଅଖିଳେଶ ଯାଦବ ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ ବିଜେପି ‌ନେତୃତ୍ବାଧୀନ ଉତ୍ତରପ୍ରଦେଶ ସରକାର ମହାକୁମ୍ଭ ଦଳାଚକଟା ମୃତ୍ୟୁସଂଖ୍ୟ‌ା ଲୁଚାଉଛନ୍ତି।  ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭା‌ଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗନେଇ ଅଖିଳେଶ କହିଛନ୍ତି ସରକାର ଲଗାତାର ବଜେଟ୍‌ ସଂଖ୍ୟା ଦେଉଛନ୍ତି। ଦୟାକରି ସରକାର କୁମ୍ଭରେ କେତେ ଲୋକ ମରିଛନ୍ତି ସେହି ସଂଖ୍ୟା ଦିଅନ୍ତୁ।  କୁମ୍ଭରେ କେତେ ମରିଛନ୍ତି ଏବଂ କେତେ ନିଖୋଜ ଅଛନ୍ତି, କେତେ ଆହତ ‌ହୋଇଛନ୍ତି ସେ ସମସ୍ତ ତଥ୍ୟ ସରକାର ସଂସଦରେ ଦାଖଲ କରିବାପାଇଁ ସେ କହିଛନ୍ତି।

Advertisment

ସପା, କଂଗ୍ରେସ ମିଛ ପ୍ରଚାର କରୁଛନ୍ତି: ଯୋଗୀ
ସରକାର ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି: ଅଖିଳେଶ

ଅଖିଳେଶ ଦାବି କରିଛନ୍ତି ଯେ କୁମ୍ଭରେ ଦଳାଚକଟା‌ ପରେ ରାସ୍ତାରେ ପଡ଼ିଥିବା ମର ଶରୀର ଗୁଡ଼ିକୁ ହଟାଇବାପାଇଁ ସରକାର ଜେସିବି ମେସିନ୍‌ ଏବଂ ଟ୍ରାକ୍ଟର ବ୍ୟବହାର କରିଛନ୍ତି।  ଲୋକମାନେ ଆର୍ଶୀବାଦ ନେବାପାଇଁ ଆସିଥିଲେ କିନ୍ତୁ ସେମାନେ ନିଜ ଆତ୍ମୀୟସ୍ବଜନଙ୍କ ମରଶରୀର ଧରି ‌ଫେରିଲେ।  ସେ ମଧ୍ୟ ଦାବି କରିଛନ୍ତି ଯେ ମୃତକମାନଙ୍କ ଶରୀର ଶବଗୃହରେ ପଡ଼ିଥିବାବେଳେ ସରକାର ହେଲିକପ୍ଟରରୁ ଫୁଲ ବର୍ଷା କରୁଥିଲେ।  କୁମ୍ଭରେ ସଠିକ୍‌ ପରିଚାଳନାରେ ବିଫଳ ହୋଇଥିବା କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସେ ଦାବି କରିଛନ୍ତି।  ଅଖିଳେଶ କହିଛନ୍ତି ଯେ ଘଟଣା ଘଟିବାର ୧୭ ଘଣ୍ଟା ପରେ ଏବଂ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିବାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ ଘଟଣାରେ ଶୋକ ପ୍ରକାଶ କରିଥିଲେ।

ଇତି ମଧ୍ୟରେ ବିଜେପି ସାଂସଦ  ହେମା ମାଳିନୀ କହିଛନ୍ତି, ଦଳାଚକଟା ଅତି ଛୋଟ ଘଟଣା।  ହେମା ମାଳିନୀ କହିଛନ୍ତି, ଆମେ କୁମ୍ଭ ଯାଇଥିଲୁ ଏବଂ ଆମେ ପବିତ୍ର ବୁଡ଼ ପକାଇଲୁ। ସେହି ସମୟରେ ଦଳାଚକଟା ହୋଇଥିଲା। କିନ୍ତୁ ଏହା ସେତେ ବଡ଼ ଘଟଣା ନଥିଲା।  ଏହାକୁ ଅତିରଞ୍ଜିତ କରାଯାଉଛି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ସମାଲୋଚନା କରିଛନ୍ତି।  କଂଗ୍ରେସ ଏବଂ ସପା ମହାକୁମ୍ଭ ମୃତ୍ୟୁକୁ ନେଇ ମିଛ ପ୍ରସାର କରୁଛନ୍ତି ବୋଲି ସେ କହିଛନ୍ତି। ସେମାନେ ଏହାଠାରୁ ବଡ଼ ଦୁର୍ଘଟଣା ଚାହୁଥିଲେ ବୋଲି ଯୋଗୀ କହିଛନ୍ତି।