ଥାନେ: ମହାରାଷ୍ଟ୍ରରେ ପୃଥକପୃଥକ ସ୍ଥାନରୁ ଆତ୍ମହତ୍ୟା କରିବାକୁ ଯାଉଥିବା ଦୁଇଜଣ ମହିଳାଙ୍କୁ ଗତ ମଙ୍ଗଳବାର ପୁଲିସ ଉଦ୍ଧାର କରିଥିବା ବୁଧବାର ଖବର ମିଳିଛି। ଏଦୁହେଁ ଘରୋଇ ତଥା ଅନ୍ୟାନ୍ୟ ସମସ୍ୟା ହେତୁ ଆତ୍ମହତ୍ୟା କରିବାକୁ ଯାଉଥିଲେ ବୋଲି ଜଣାପଡ଼ିଛି।
ଟିଟୱାଲା ପୁଲିସ ଷ୍ଟେସନର ଜଣେ ସହକାରୀ ପୁଲିସ ଇନ୍ସପେକ୍ଟର କହିଛନ୍ତି ଯେ ସେମାନେ ରାୟତା ନଦୀ ବ୍ରିଜ୍ ଦେଇ ଯାଉଥିବା ବେଳେ କଲ୍ୟାଣ ସହରର ୬୦ ବର୍ଷିୟ ବାସିନ୍ଦା ପାଣି ଭିତରକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା।
ଏହି ଦୃଶ୍ୟ ଦେଖି ତାଙ୍କୁ ବଞ୍ଚାଇବାକୁ ଯାଉଯାଉ ସେ ପୋଲ ଉପରୁ ଡେଇଁ ପଡ଼ିଥିଲେ। କିନ୍ତୁ କଥାରେ ଅଛି ‘ରଖେ ହରି ମାରେ କିଏ’। ମହିଳା ଜଣକ ପୋଲରୁ ତଳକୁ ଡେଇଁଲା ବେଳେ ତାଙ୍କ ଶାଢ଼ି ପୋଲର ରଡର ଲାଗି ଯାଇଥିଲା।
ସେ ନଦୀରେ ପଡ଼ିବା ବଦଳରେ ପୋଲରେ ଝୁଲି ରହିଥିଲେ। ସୌଭାଗ୍ୟବଶତଃ ଏହି ସମୟରେ ଘଟଣାସ୍ଥଳରେ ଦେବଦୂତ ସାଜି ପୁଲିସ ଆସି ପହଞ୍ଚି ଯାଇଥିଲା। ଆଉ ମହିଳାଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରିଥିଲା।
ସେହିପରି ଅନ୍ୟ ଏକ ଘଟଣା ମଙ୍ଗଳବାର ଅପରାହ୍ନରେ ଘଟିଥିଲା। ୪୫ ବର୍ଷୀୟ ମହିଳା ପୋଲରୁ ଭର୍ସୋଭା କ୍ରିକକୁ ଡେଇଁ ପଡିଥିଲେ। ମହିଳା ଜଣକଙ୍କୁ ପୋଲରୁ ଡେଇଁ ପଡ଼ିଥିବା ଦେଖି ଏମବିଭିଭି ପୁଲିସର ଜଣେ କନଷ୍ଟେବଳ ଘଟଣାସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ତାଙ୍କୁ ପାଣି ଭିତରୁ ଉଦ୍ଧାର କରିଥିବା ଏମବିଭିଭି ପୁଲିସ କମିଶନରଙ୍କ ପକ୍ଷରୁ ପ୍ରକାଶ।
କିଛି ଘରୋଇ ସମସ୍ୟା ଯୋଗୁଁ ମହିଳା ଜଣକ ବିରକ୍ତ ହୋଇ ଏପରି ପଦକ୍ଷେପ ନେଇଥିବା ପୁଲିସ କହିଛି।