ଧନ୍ୟବାଦ ପ୍ରସ୍ତାବକୁ ବିଜେଡିର ସମର୍ଥନ: ଅଧିକ ସମାଲୋଚନା, କମ ପ୍ରଶଂସା

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିଜେଡି ସଂସଦରେ ନିଜ ଆଭିମୁଖ୍ୟକୁ ପୁଣିଥରେ ସ୍ପଷ୍ଟ କରିଛି। ଆଲୋଚନା କାଳରେ ଦଳ ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ଧନ୍ୟବାଦ ପ୍ରସ୍ତାବକୁ ସମର୍ଥନ କରିଛି। ଉଭୟ ସଦନରେ ଆଲୋଚନରେ ଭାଗ ନେଇଛି ବିଜେଡି। ଲୋକସଭାରେ ଦଳର ଲୋକସଭା ନେତା ପିନାକୀ ମିଶ୍ର ଓ ରାଜ୍ୟସଭାରେ ଦଳର ରାଜ୍ୟସଭା ନେତା ସସ୍ମିତ ପାତ୍ର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ମହିଳା ସଂରକ୍ଷଣ ବିଲ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ସ୍ଥାନ ପାଇ ନଥିବାରୁ ଏହି ବିଲକୁ ଶୀଘ୍ର ପାରିତ କରିବା ପାଇଁ ବିଜେ଼ଡି ଦାବି କରିଛି। ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିବଦ୍ଧତାକୁ ଦଳ ଦୋହାରାଇଛି। ଲୋକସଭାରେ ଶ୍ରୀ ମିଶ୍ର କହିଲେ ଯେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ମହିଳା ସଶକ୍ତିକରଣକୁ ଉଲ୍ଲେଖ କରିଛନ୍ତି। ଅମୃତ କାଳରେ ସେମାନଙ୍କୁ ଅଧିକାର ମିଳିଛି ବୋଲି କହିଛନ୍ତି। ହେଲେ ମହିଳା ସଂରକ୍ଷଣ ବିଲ ଯାହା ଦଶନ୍ଧି ଧରି ପଡ଼ିରହିଛି, ସେ ସପଂର୍କରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ କିଛି କୁହାଯାଇନାହିଁ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଂରକ୍ଷଣ ବିଲକୁ ପାରିତ କରିବାକୁ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀଙ୍କ ନିକଟରେ କ୍ରମାଗତ ଭାବେ ଦାବି କରିଆସୁଛନ୍ତି। ଏହି ବିଲକୁ ଶୀତଳ ଭଣ୍ଡାରକୁ ଠେଲି ଦିଆଯାଇଛି। ଏହି ପ୍ରସଙ୍ଗରେ ରାଜ୍ୟସଭାରେ ଡ. ପାତ୍ର କହିଲେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ମହିଳା ସଶକ୍ତିକରଣ-ନାରୀ ଶକ୍ତି କଥା ଉଲ୍ଲେଖ କରାଯାଇଛି। ନାରୀ ଶକ୍ତି କଥା ଆସିବା ସମୟରେ ଆଜି ମହିଳା ସଂରକ୍ଷଣ ବିଲ କେଉଁଠି ବୋଲି ସେ ପ୍ରଶ୍ନ କରିଥିଲେ। ଆଉ କେତେ ଦିନ ଅପକ୍ଷୋ କରିବାକୁ ପଡ଼ିବ? ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କ ସମୟରେ ଆମେ‌ କଣ ମହିଳା ସଂରକ୍ଷଣ ବିଲକୁ ପାରିତ କରିପାରିବା ନାହିଁ ବୋଲି ସସ୍ମିତ ପ୍ରଶ୍ନ କରିଥିଲେ।

ମହିଳା ସଶକ୍ତିକରଣ କୁହାଯାଇଛି, କିନ୍ତୁ ସଂରକ୍ଷଣ ବିଲ୍‌ କଥା ଉଲ୍ଲେଖ ନାହିଁ: ବିଜେଡି
ଅଭିଭାଷଣ ଭରସାଯୋଗ୍ୟ ନଥିବା ଦସ୍ତାବିଜ: ପିନାକୀ
ଓଡିଶାକୁ ‘ସ୍ପେସାଲ୍‌ ଫୋକସ୍‌ ଷ୍ଟାଟସ’ ପ୍ରଦାନ କର: ସସ୍ମିତ
ଅଧିକ ସମାଲୋଚନା, କମ ପ୍ରଶଂସା

ଆଲୋଚନାରେ ବିଜେଡି ଉଭୟ ସଦନରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ପୁଣିଥରେ ଚାଲୁ ରଖିବା ପାଇଁ ଦାବି କରିଛି। ପୂର୍ବରୁ ଗରିବ ଲୋକଙ୍କୁ ମୁଣ୍ଡପିଛା ୧୦ କିଲୋ ଚାଉଳ ମିଳୁଥିଲା। ଏବେ ଏହା ୫ କିଲୋକୁ ଖସିଆସିଛି। ଉଭୟ ସଦନରେ ବିଜେଡି ରାଜ୍ୟର ୧୬୯ ଆଦିବାସୀଙ୍କୁ ଜନଜାତିର ମାନ୍ୟତା ପ୍ରଦାନ କରାଯିବା ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ଲୋକସଭାରେ ଶ୍ରୀ ମିଶ୍ର କହି‌ଲେ ଯେ ଅଭିଭାଷଣରେ ଯେଉଁ ତଥ୍ୟ ଦିଆଯାଇଛି ତାହା ଭରସାଯୋଗ୍ୟ ନଥିବା ଦସ୍ତାବିଜ ଓ ଅର୍ଦ୍ଧ ସତ୍ୟ। ଏହାର ଉଦାହରଣ ଦେଇ ସେ କହିଲେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଗରିବମାନଙ୍କ ସମସ୍ୟା ଉପରେ ଅଲୋକପାତ କରିଥିବାବେଳେ ବଜେଟରେ ମନରେଗା ଯୋଜନାରେ ଆବଣ୍ଟନ ରାଶିକୁ ୯୦ ହଜାର କୋଟି ଟଙ୍କାରୁ ୬୦ ହଜାର କୋଟି ଟଙ୍କାକୁ ହ୍ରାସ କରାଯାଇଛି। ଯଦି ଗରିବଙ୍କ ସମସ୍ୟା ପ୍ରତି ସମବେଦନା ଅଛି ତାହାହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ମନରେଗା ଆବଣ୍ଟନର ପୁନଃ ସମୀକ୍ଷା କରନ୍ତୁ ବୋଲି ଶ୍ରୀ ମିଶ୍ର କହିଥିଲେ। ରାଷ୍ଟ୍ରପତି ଅଭିଭାଷଣରେ ଭଗବାନ ବିର୍ସା ମୁଣ୍ଡାଙ୍କ ସଂପର୍କରେ ଉଲ୍ଲେଖ କରିଥିବା ପ୍ରସଙ୍ଗକୁ ଉଲ୍ଲେଖ ଶ୍ରୀ ମିଶ୍ର କହିଲେ ଯେ ବିର୍ସା ମୁଣ୍ଡାଙ୍କ ନାମରେ ରାଜ୍ୟ ସରକାର ରାଉରକେଲାରେ ସବୁଠାରୁ ବଡ ହକି ଷ୍ଟାଡିୟମ ନିର୍ମାଣ କରିଛନ୍ତି। ଯାହାକୁ କି ଗିନିଜ୍‌ ବୁକ ଅଫ ରେକର୍ଡରେ ସାମିଲ କରାଯାଇଛି। ଅଭିଭାଷଣରେ ପ୍ରତି ଦିନ ୫୫ ହଜାର ଗ୍ୟାସ ସଂଯୋଗ କରାଯାଉଥିବା ଉଲ୍ଲେଖ କରାଯାଇଛି। ଯାହାକି ଅତିରଂଜିତ ବୋଲି ସେ କହିବା ସହ ଖଣି ନିଲାମି ମାମଲାରେ ସେ କେନ୍ଦ୍ର ସରକାରଙ୍କର ପଦକ୍ଷେପକୁ ପ୍ରଶଂସା କରିଥିଲେ। ବିଶ୍ବକପ ହକି ପାଇଁ ରାଉରକେଲା ବିମାନବନ୍ଦର ପ୍ରତିଷ୍ଠାକୁ ନେଇ ସେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ।

ଡ. ପାତ୍ର ଓଡିଶାକୁ ‘ସ୍ପେସାଲ୍‌ ଫୋକସ୍‌ ଷ୍ଟାଟସ’ ପ୍ରଦାନ କରିବା ପାଇଁ ଦାବି କରିଥିଲେ। ସେ କହିଲେ ଯେ ଅଂଶଦାନ ଢାଞ୍ଚା ୯୦ (କେନ୍ଦ୍ର)-୧୦ (ରାଜ୍ୟ) ଆଧାରରେ ଦିଆଯାଉ। କେନ୍ଦୁପତ୍ରରେ ୧୮ ପ୍ରତିଶତ ଜିଏସ୍‌ଟି ପ୍ରସଙ୍ଗ ମଧ୍ୟ ସେ ଉଠାଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ‌ଯୋଜନାରେ ଓଡ଼ିଶାର ସାତ ‌ଲକ୍ଷ ଲୋକ ଆଜି ମଧ୍ୟ ଆବାସ ପାଇଁ ବଂଚିତ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ। ଚାଷୀମାନଙ୍କ ପ୍ରସଙ୍ଗରେ ସ୍ବାମୀନାଥନ କମିସନଙ୍କ ସୁପାରିସ ଲାଗୁ କରାନଯିବା ତଥା ଦେଢ଼ଗୁଣା ଏମ୍‌ଏସ୍‌ପି ବୁଦ୍ଧି କରିବା ପ୍ରସଙ୍ଗ ଉପରେ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧିତ ଖବର