ଦିଲ୍ଲୀ ଦଙ୍ଗାରେ ଜାଳି ଦେଇଥିଲେ ଘର, ମୁଖ୍ୟମନ୍ତ୍ରୀଙ୍କ ସହାୟତାରେ ପୁଣି ଘର ତିଆରି କଲେ ବିଏସଏଫ୍ ଯବାନ୍ ଅନିଶ

‘ଦଙ୍ଗାରେ ଜଳିଥିବା ଘର ସଜାଡ଼ିଲି, ହେଲେ..’

ନୂଆଦିଲ୍ଲୀ : ‘ଦଙ୍ଗାକାରୀମାନେ ଭାଙ୍ଗି ଦେଇଥିବା ମୋ ଘରକୁ ସଜାଡ଼ି ପାରିଲି। ହେ‌ଲେ, ଦଙ୍ଗାରେ ପୋଡ଼ି ପାଉଁଶ ହୋଇଯାଇଥିବା ମୋ ବିବାହ ସାମଗ୍ରୀକୁ ଆଉ ତିଆରି କରିପାରିନାହିଁ। ଦେଶର ସୁରକ୍ଷା ପାଇଁ ଜଣେ କର୍ତ୍ତବ୍ୟପରାୟଣ ଯବାନ ଭାବେ କାର୍ଯ୍ୟ କରୁଥିବାବେଳେ ଧର୍ମାନ୍ଧମାନେ ମୋତେ ପାକିସ୍ତାନୀ ବୋଲି କହିବା ମୁଁ ଭୁଲି ପାରିନାହିଁ।’

ଘଟଣାର ଏକ ବର୍ଷ ପରେ ଭାବବହ୍ବଳ ହୋଇ ‘ସମ୍ବାଦ’କୁ ଏହା କହିଛନ୍ତି ବିଏସ୍‌ଏଫ୍‌ରେ କାର୍ଯ୍ୟରତ ଯବାନ ମହମ୍ମଦ ଅନିଶ। ଗତବର୍ଷ ଦଙ୍ଗାକାରୀମାନେ ଗ୍ୟାସ୍ ସିଲିଣ୍ଡର ଫୋପାଡ଼ି ଅନିଶଙ୍କର ଦୁଇ ମହଲା ଘରକୁ ଜାଳି ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାହାଯ୍ୟ ଯୋଗୁଁ ସେ ଘର ତିଆରି କରିବାକୁ ସକ୍ଷମ ହୋଇଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଗତବର୍ଷ ଫେବୃୟାରୀ ୨୫ରେ ଉତ୍ତର- ପୂର୍ବ ଦିଲ୍ଲୀର ଖଜୁରୀ ଖାସ୍ ଅଞ୍ଚଳରେ ଥିବା ଯବାନ ମହମ୍ମଦ ଅନିଶଙ୍କ ଘରକୁ ଦଙ୍ଗାକାରୀମାନେ ସମ୍ପୂର୍ଣ୍ଣ ରୂପେ ଜାଳି ଦେଇଥିଲେ। ସେତେବେଳେ ତାଙ୍କ ବାପା ମହମ୍ମଦ ମୁନିଶ(୫୫), ଚାଚା ମହମ୍ମଦ ଅହମ୍ମଦ(୫୯) ଓ ୧୮ ବର୍ଷୀୟ ଭଉଣୀ ନେହା ପର୍‌ବିନ୍ ଘରେ ଉପସ୍ଥିତ ଥିଲେ। କୌଣସି ମତେ ସେମାନେ ଘରୁ ବାହାରି ପଳାଇଯିବାକୁ ସକ୍ଷମ ହୋଇଥିଲେ। ଘଟଣାର ଏକ ବର୍ଷ ପୂର୍ତ୍ତି ଅବସରରେ ‘ସମ୍ବାଦ’ ସହିତ ଏକ ସ୍ବତନ୍ତ୍ର ବାର୍ତ୍ତାଳାପ‌ରେ ଅନିଶ କହିଛନ୍ତି, ସେଦିନର ଘଟଣା ସମୟରେ ସେ ମାଲ୍‌କାନ୍‌ଗିରିର ସ୍ବାଭିମାନ ଅଞ୍ଚଳରେ ବିଏସ୍‌ଏଫ୍‌ର ୯ମ ବାଟାଲିୟାନ୍‌ରେ କନେଷ୍ଟବଳ ରୂପେ କାର୍ଯ୍ୟରତ ଥିଲେ। ଅନିଶଙ୍କୁ ତାଙ୍କ ବାପା ଯେତେବେଳେ ଘଟଣା ସମ୍ପର୍କରେ ଫୋନ୍‌ରେ ଅବଗତ କରାଇଲେ, ସେ ଆଚମ୍ବିତ ହେବା ସହ ମ୍ରିୟମ୍ରାଣ ହୋଇଯାଇଥିଲେ। ୨୦୧୩ରୁ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ରେ ଦେଶର ସୁରକ୍ଷା ପାଇଁ ଜଣେ କର୍ତ୍ତବ୍ୟପରାୟଣ ଯବାନ ରୂପେ କାର୍ଯ୍ୟ କରୁଥିବାବେଳେ ଧର୍ମାନ୍ଧ ଦଙ୍ଗାକାରୀମାନେ ତାଙ୍କୁ ପାକିସ୍ଥାନୀ ଅଭିହିତ କରିବା ଏବଂ ତାଙ୍କ ଘର ଜାଳିଥିବାର ବ୍ୟଥା ତାଙ୍କୁ ଏବେ ବି ବିଚଳିତ କରୁଛି ବୋଲି ଅନିଶ୍ କହିଛନ୍ତି।

ତେବେ, ଏହିଭଳି ଏକ ସମୟରେ ସାହାଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ଅନିଶ। ସେ କହିଛନ୍ତି, ‘ମୋତେ ସାହାଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗେଇ ଆସିଲେ, ମୋର ଦୁଃଖ ବୁଝିଲେ ତଥା ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କଲେ। ଏଇଥିପାଇଁ ମୁଁ ତଥା ମୋର ପରିବାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ। ’ ‘ମୁଖ୍ୟମନ୍ତ୍ରୀଙ୍କୁ ଆମେ ଧନ୍ୟବାଦ ଜଣାଉଛୁ’, ବୋଲି ଅନିଶ କହିଛନ୍ତି।

‘ଘଟଣା ଘଟିଥିବାର ବର୍ଷ ବିତିଗଲା, ମୁଁ ଜଳିଯାଇଥିବା ଦୁଇ ମହଲା ଘରକୁ ତ ତିଆରି କରିପାରିଲି; ହେଲେ ଦଙ୍ଗାରେ ମୋର ବିବାହ ପାଇଁ ରଖାଯାଇଥିବା ସାମଗ୍ରୀ, ଗହଣା, ଆସବାବ ପତ୍ର ଓ ଗାଡି ପୋଡି ପାଉଁଶ ହୋଇ ଯାଇଥିଲା, ଯାହା ଆଉ ତିଆରି ହୋଇପାରିନାହିଁ। ’ ଚଳିତ ବର୍ଷ ଏପ୍ରିଲରେ ତାଙ୍କର ବିବାହ ହେବ ବୋଲି ଅନିଶ ସୂଚନା ଦେଇଛନ୍ତି। ପ୍ରକାଶଥାଉକି, ଦଙ୍ଗାପରଠାରୁ ଅନିଶ୍ ବିଏସ୍‌ଏଫ୍‌ର ଦିଲ୍ଲୀସ୍ଥିତ ମୁଖ୍ୟାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି।

ସମ୍ବନ୍ଧିତ ଖବର