କୁନି ଝିଅ ପାଇଁ ଏକାଠି ଲାଗିପଡ଼ିଲେ କେନ୍ଦ୍ରମନ୍ତ୍ରୀ ଓ କଂଗ୍ରେସ ସାଂସଦ, ମେଡ଼ିସିନ ଉପରୁ ହଟାଇଲେ ସୀମାଶୁଳ୍କ

ନୂଆଦିଲ୍ଲୀ: କୁନି ଝିଅକୁ ବଞ୍ଚାଇବାକୁ ଏକାଠି ପ୍ରୟାସ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଓ କଂଗ୍ରେସ ସାଂସଦ | କଂଗ୍ରେସ ସାଂସଦ ଶଶି ଥରୁର ଏଭଳି ଏକ ପ୍ରୟାସ ବାବଦରେ ଟ୍ୱିଟରରେ ପୋଷ୍ଟ ସେୟାର କରିଛନ୍ତି | କର୍କଟ ରୋଗୀଙ୍କ ପାଇଁ ଆବଶ୍ୟକ ଜୀବନ ରକ୍ଷାକାରୀ ଔଷଧରୁ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଛାଡ କରିଥିବାରୁ ଥରୁର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଦେଇଥିଲେ | ବାସ୍ତବରେ ଥରୁରଙ୍କୁ ଜଣେ କୁନି ଝିଅର ବାପା-ମା ଜଣାଇଥିଲେ ଯେ ସେମାନଙ୍କ ଝିଅକୁ ଏକ ବିରଳ ରୋଗ ହୋଇଛି | ଏଥିପାଇଁ ଇମ୍ୟୁନୋଥେରାପି ଚିକିତ୍ସା ଏବଂ ବିଶେଷ ଭାବରେ ମହଙ୍ଗା ଔଷଧ ଡାଇନୁଟୁକ୍ସିମାବ ବିଟା ଦିଆଯିବାର ଆବଶ୍ୟକ ରହିଛି | ଏହି ଔଷଧର ଦାମ ୬୩ ଲକ୍ଷ ଟଙ୍କା ହୋଇଥିବାବେଳେ ବିଭିନ୍ନ ଲୋକଙ୍କ ପାଖରୁ ମାଗି ଏହି ଦମ୍ପତି ଯଦିଓ ଔଷଧ ପାଇଁ ଟଙ୍କା ଦେଇଥିଲେ କିନ୍ତୁ ଔଷଧ ଉପରେ ଲାଗୁହୋଇଥିବା ଜିଏସଟି ମୂଲ୍ୟ ଦେଇପାରିନଥିଲେ | ଏହି ଔଷଧ ଉପରେ ୭ ଲକ୍ଷ ଟଙ୍କାର ଜିଏସଟି ବକେୟା ଥିଲା। ସେଥିପାଇଁ ଏହି ଔଷଧ ବିଦେଶରୁ ଆସିଯାଇଥିଲେ ବି ବିମାନବନ୍ଦରର ସୀମାଶୁଳ୍କ ଅଧିକାରୀ ଦେଇନଥିଲେ |

ନିଜ ଝିଅର ଔଷଧ ଉପରେ ୭ ଲକ୍ଷ ଟଙ୍କା ଜିଏସଟି ଦେଇପାରିବେ ନାହିଁ ବୋଲି କହିବା ପରେ ଥରୁର ସୀତାରମଣଙ୍କୁ ଅନୁରୋଧ କରିଥିଲେ। ତିରୁବନନ୍ତପୁରମ୍ ସାଂସଦ ସୀତାରମଣଙ୍କୁ ଚିଠି ଲେଖି ଏହି ଔଷଧ ଉପରୁ ଜିଏସଟି ଛାଡ ପାଇଁ ଅନୁରୋଧ କରିଥିଲେ | ଥରୁର ଲେଖିଥିଲେ ଯେ, କୁନି ଝିଅର ବାପା-ମା ବହୁତ ପରିଶ୍ରମ କରି ଔଷଧ ପାଇଁ ଟଙ୍କା ଯୋଗାଡ କରିଛନ୍ତି | ଯଦି ଆପଣ( ନିର୍ମଳା ସୀତାରମଣ) ଚାହିଁବେ ତେବେ ହିଁ ଝିଅଟିର ବଂଚିପାରିବ | ଏହି ସୀମାଶୁଳ୍କ କାରଣରୁ ମୁମ୍ବାଇ ବିମାନବନ୍ଦରରେ ଥିବାବେଳେ ଶୀଘ୍ର ଔଷଧ ପଡିରହିଲେ ଏହା ନଷ୍ଟ ହୋଇଯିବା ସହ ଝିଅର ଜୀବନ ଚାଲିଯିବ ବୋଲି ଉଲ୍ଲେଖ କରିଥିଲେ | ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ଜାଣିବା ପରେ ତୁରନ୍ତ ତାଙ୍କ ବ୍ୟକ୍ତିଗତ ସଚିବ ସରନ୍ୟା ଭୁଟିୟାଙ୍କୁ ସୀମାଶୁଳ୍କ ବୋର୍ଡର ଅଧ୍ୟକ୍ଷ ବିବେକ ଜୋହରୀଙ୍କ ସହ କଥା ହେବାକୁ ନିର୍ଦ୍ଦେଶ ଦେଇଥିଲେ | ଏହା ପରେ ସୀମାଶୁଳ୍କ ଅଧ୍ୟକ୍ଷ ନିଜେ ବିମାନବନ୍ଦର ଯାଇ ଏହି ଔଷଧ କୁନି ଛୁଆର ବାପା-ମାଙ୍କ ପଠାଇବାର ବ୍ୟବସ୍ଥା କରିଥିଲେ | ଏହାପରେ କୃତଜ୍ଞତା ଜଣାଇ ଥରୁର କହିଛନ୍ତି, “ଆପଣ ସରକାର, ରାଜନୀତି ଏବଂ ସର୍ବୋପରି ମାନବିକତା ଉପରେ ମୋର ବିଶ୍ୱାସକୁ ନିଶ୍ଚିତ କରିଛନ୍ତି’।

ସମ୍ବନ୍ଧିତ ଖବର