ଭାରତର ଭୁଲ୍‌ ମା‌ନଚିତ୍ର ଦେଖାଇ କ୍ଷମା ମାଗିଲେ ଥରୁର

ଗାନ୍ଧି ପରିବାରକୁ ଖୁସି କରିବାକୁ ଥରୁର ଅନର୍ଥ କରୁଛନ୍ତି: ବିଜେପି

ନୂଆଦିଲ୍ଲୀ : କଂଗ୍ରେସ ନେତା ଶଶି ଥରୁର ଶୁକ୍ରବାର ଦିନ ଦଳ ସଭାପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବା ସହ ଏକ ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି। ତେବେ ଥରୁରଙ୍କ ନିର୍ବାଚନୀ ଇସ୍ତାହାରକୁ ନେଇ ବିବାଦ ଉପୁଜିଛି। ଥରୁର ଏହି ଇସ୍ତାହାର‌ରେ ଭାରତର ଏକ ଭୁଲ୍‌ ଏବଂ ବିକୃତ ମାନଚିତ୍ର ସ୍ଥାନିତ କରିଛନ୍ତି । ଥରୁର ଦେଇଥିବା ମାନଚିତ୍ରରେ ଜମ୍ମୁ କାଶ୍ମୀର ଏବଂ ଲଦାଖ ନାହିଁ। ଏହାକୁ ନେଇ ବିବାଦ ବଢ଼ିବାପରେ ଥରୁରଙ୍କ ଅଫିସ ପକ୍ଷରୁ ଇସ୍ତାହାରରେ ତ୍ରୁଟି ସଂଶୋଧନ କରାଯାଇଛି। କିନ୍ତୁ ସଂଶୋଧନ ସତ୍ତ୍ବେ ସୋସିଆଲ ମିଡିଆ ମଞ୍ଚରେ ଏହା ଘୂରି ବୁଲୁଛି।

ତେବେ ବିଜେପି ଆଜି ଏହି ପ୍ରସଙ୍ଗରେ ଥରୁରଙ୍କ ଉପରେ ବର୍ଷିଛି। ବିଜେପି ନେତା ଅମିତ ମାଲବୀୟ କହିଛନ୍ତି , ଥରୁର ତାଙ୍କ ନିର୍ବାଚନ ଇସ୍ତାହାରରେ ଦେଶର ଏକ ଖଣ୍ଡିତ ମାନଚିତ୍ର ଦେବା ଦୁର୍ଭାଗ୍ୟଜନକ। ରାହୁଲ ଗାନ୍ଧି, ଭାରତ ଯୋଡ଼ୋ ଯାତ୍ରାରେ ଥିବା ସମୟରେ କଂଗ୍ରେସ ସଭାପତି ପ୍ରାର୍ଥୀ ଭାରତକୁ ଖଣ୍ଡ ବିଖଣ୍ଡିତ ଭାବେ ଦେଖିବାକୁ ଚାହୁଛନ୍ତି। ସେ ଭାବୁଛନ୍ତି ଏଭଳି କରିବା ଦ୍ବାରା ସେ ଗାନ୍ଧି ପରିବାରର ପ୍ରିୟପାତ୍ର ହେବେ।

ଅନ୍ୟପକ୍ଷେ କଂଗ୍ରେସ ଏହି ପ୍ରସଙ୍ଗଠାରୁ ଦୂରେଇ ରହିଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଏହା ବହୁତ ବଡ଼ ତ୍ରୁଟି। କିନ୍ତୁ ଦଳର ଏଥିରେ କିଛି ସମ୍ପୃକ୍ତି ନାହିଁ। ବିବାଦ ବଢ଼ିବାପରେ ଥରୁର ଏହି ଭୁଲ୍‌ ପାଇଁ ନିଃସର୍ତ୍ତ କ୍ଷମା ମାଗିଛନ୍ତି। ଭୁଲ୍‌ ଜାଣିବାପରେ ଆମେ ତୁରନ୍ତ ସଂଶୋଧନ କରିଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର