ଶବ୍ଦ ଚାତୁରୀରେ ଚେତନଙ୍କୁ ଖୁସି କଲେ ଥରୁର୍‌

ନୂଆଦିଲ୍ଲୀ: ଇଂରାଜୀ ଶବ୍ଦର ଯାଦୁଗର ଭାବେ ପରିଚିତ ସାଂସଦ ଶଶି ଥରୁର ନିଜ ଶବ୍ଦ ଚାତୁରୀରେ ଲେଖକ ଚେତନ ଭଗତଙ୍କ ମନସ୍କାମନା ପୂରଣ କରିବା ଘଟଣା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି। ଶ୍ରୀ ଥରୁର୍‌ ଓ ଶ୍ରୀ ଭଗତଙ୍କ ଭିତରେ ହୋଇଥିବା ବାକ୍ୟାଳାପ ହିଁ ଅନେକ ସାମାଜିକ ଗଣମାଧ୍ୟମ ଅନୁଗାମୀଙ୍କୁ ଆପ୍ୟାୟିତ କରିଛି। ସୂଚନାନୁଯାୟୀ, ଏକ ଖବର କାଗଜ ଆଲେଖ୍ୟରେ ଦେଶର ଯୁବପିଢ଼ି କିପରି ସାମ୍ପ୍ରତିକ ଆର୍ଥିକ ସଂକଟ ସମ୍ପର୍କରେ ମୁଣ୍ଡ ଖେଳାଇ ସରକାରଙ୍କୁ ପ୍ରତିକାର ପାଇଁ ବାଧ୍ୟ କରାଇବା ଜରୁରୀ ବୋଲି ଶ୍ରୀ ଭଗତ ଦେଇଥିବା ପରାମର୍ଶକୁ ଶ୍ରୀ ଥରୁର୍‌ ଖୁବ୍‌ ତାରିଫ କରିଥିଲେ। ଏହା ଏକ ଉତ୍ତମ(Superb) ବିଚାର ବୋଲି ଶ୍ରୀ ଥରୁର୍‌ ଟିପ୍ପଣୀ କରି ଶ୍ରୀ ଭଗତଙ୍କୁ ସାଧାରଣ ଭାଷାରେ ପ୍ରଶଂସା କରିଥିଲେ। ତେବେ ଶ୍ରୀ ଭଗତ ଏଥିରେ ସନ୍ତୁଷ୍ଟ ନହୋଇ ଥରୁର୍‌ଙ୍କ ଠାରୁ ଟିକେ ଉଚ୍ଚକୋଟୀର ସମ୍ଭ୍ରାନ୍ତ ଶୈଳୀରେ ତଥା କିଛି ଅସାଧାରଣ ଶବ୍ଦରେ ତାରିଫ୍‌ ଆଶା କରିଥିଲେ।

ଏହାକୁ ଗ୍ରହଣ କରି ଥରୁର୍‌ ଟ୍ବିଟ୍‌ କଲେ, You are not sesquipedalian nor given to rodomontade.(ତୁମେ ବୃହତ୍‌ ଶବ୍ଦଭାଷୀ ନୁହେଁ କି ଆତ୍ମ ପ୍ରଶଂସକ ନୁହେଁ) Your ideas are unembellished with tortuous convolutions(ତୁମ ଚିନ୍ତାଧାରାଗୁଡ଼ିକ କପଟପୂର୍ଣ୍ଣ ଛନ୍ଦରେ ବିସ୍ତାରିତ) and expressed without ostentation.(ଏବଂ ଅତିଶୟ ପ୍ରଦର୍ଶନ ବିନା ପ୍ରକାଶିତ)। I appreciate the limpid perspicacity of today’s column.(ଆଜି ସ୍ତମ୍ଭର ସାଦା ତଥା ସ୍ପଷ୍ଟ ଶୈଳୀର ତୀକ୍ଷ୍ଣ ଅନ୍ତର୍ଦୃଷ୍ଟିକୁ ମୁଁ ପସନ୍ଦ କରୁଛି)। ଥରୁର୍‌ଙ୍କ ଏହି ବିରଳ ବାକ୍ୟସମୂହ ଭଗତଙ୍କୁ ଯେତେ ସନ୍ତୁଷ୍ଟ କରିଥାଉ ନା କାହିଁକି, ଥରୁର୍‌ଙ୍କ ପ୍ରଶଂସକ, ସମର୍ଥକ ତଥା ଅନୁଗାମୀମାନଙ୍କୁ କିନ୍ତୁ ମୁଗ୍ଧ ହେବା ପାଇଁ ରୋଚକ ଖୋରାକ ଯୋଗାଇ ଦେଇଛି। ଚାକିରି ଓ କର୍ମସଂସ୍ଥାନ ସମସ୍ୟାର ସମାଧାନ ପାଇଁ ସେମାନେ ସରକାରଙ୍କୁ ଯୁଗଗୋଷ୍ଠୀ ବାଧ୍ୟ କରିବା ଜରୁରୀ। ସେମାନେ ଯଦି ମୁଣ୍ଡ ଖେଳେଇବେନି, ସରକାର କାହିଁକି ଚିନ୍ତା କରିବେ ବୋଲି ଭଗତ ତାଙ୍କ ସ୍ତମ୍ଭରେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର