ନୂଆଦିଲ୍ଲୀ : କଂଗ୍ରେସ ସଭାପତି ନିର୍ବାଚନକୁ ନେଇ ଏବେ ଦଳର ବରିଷ୍ଠ ନେତା ଶଶୀ ଥରୁର ଚର୍ଚ୍ଚାରେ ଅଛନ୍ତି। କଂଗ୍ରେସର ନୂଆ ଅଣ-ଗାନ୍ଧି ଅଧ୍ୟକ୍ଷ ହେବା ନେଇ ଏହି ଚର୍ଚ୍ଚା ଚାଲିଛି । ମାଲୟାଲାମ ଦୈନିକ ମାତୃଭୂମିରେ ଶଶୀ ଥରୁରଙ୍କ ସଦ୍ୟ ପ୍ରକାଶିତ ଏକ ଲେଖାକୁ ନେଇ ଗୁଞ୍ଜରଣ ଉଠିଛି ଯେ ସେ କଂଗ୍ରେସର ନୂଆ ସଭାପତି ହେବା ନେଇ ଯୋଜନା କରୁଥାଇ ପାରନ୍ତି।

Advertisment

ସାମ୍ବାଦିକମାନେ ଯେତେବେଳେ ମଙ୍ଗଳବାର ଏ ବିଷୟରେ ତିରୁଅନନ୍ତପୁରମ୍ ସାଂସଦଙ୍କୁ ପଚାରିଲେ ସେ କହିଲେ, କିଛି କହିବାର ନାହିଁ କିନ୍ତୁ ଯାହା ଲେଖିଛନ୍ତି ତାହାକୁ ସେ ଗ୍ରହଣ କରୁଛନ୍ତି। ସୋମବାର ଉକ୍ତ ପ୍ରବନ୍ଧରେ ସେ ଲେଖିଥିଲେ ‘ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ସର୍ବପୁରାତନ ଦଳ ଭିତରେ ଦେଖାଦେଇଥିବା କିଛି ନେତାଙ୍କ ଅସନ୍ତୋଷ ସମସ୍ୟା ସମାଧାନର ଏକ ସୁସ୍ଥ ପନ୍ଥା’। ସଭାପତି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି କି ବୋଲି ପ୍ରଶ୍ନ ଉପରେ ସେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ ମଧ୍ୟ ଖୁବ୍‌ଶୀଘ୍ର ଏ ବାବଦରେ ସେ ତାଙ୍କ ନିଷ୍ପତ୍ତି ଜଣାଇବେ ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି।

ଉକ୍ତ ନିବନ୍ଧରେ ଥରୁର ଲେଖିଥିଲେ ଯେ କେବଳ ସଭାପତି ନିର୍ବାଚନ ନୁହେଁ, କଂଗ୍ରେସ କାର୍ଯ୍ୟକାରିଣୀରେ ପ୍ରାୟ ଏକ ଡଜନ ପଦବି ଖାଲି ପଡ଼ିଛି, ସେଗୁଡ଼ିକ ମଧ୍ୟ ନିର୍ବାଚନ ପ୍ରକ୍ରିୟାରେ ପୂରଣ ପାଇଁ କଂଗ୍ରେସ ଘୋଷଣା କରିବା ଉଚିତ। କଂଗ୍ରେସରେ ସାଂଗଠନିକ ପୁନର୍ବିନ୍ୟାସ ପାଇଁ ଦାବି କରୁଥିବା ଜି୨୩ର ଅନ୍ୟତମ ସଦସ୍ୟ ଶଶୀ ଥରୁର ଏହା ତାଙ୍କ ନିବନ୍ଧରେ ଲେଖିଛନ୍ତି। ସେ କହିଛନ୍ତି ଯେ ଗଣତାନ୍ତ୍ରିକ ପଦ୍ଧତିରେ ଜଣେ ସଭାପତି ବଛାଯିବା କଂଗ୍ରେସକୁ ପୁନରୁଜ୍ଜୀବିତ କରିବାରେ ଯଥେଷ୍ଟ ସହାୟକ ହେବ।