ତିରୁଅନନ୍ତପୁରମ୍: ହାଇକମାଣ୍ଡଙ୍କ କ୍ରମାଗତ ଅବହେଳାର ଶିକାର ହେବା ପରେ ୪ ଥର କଂଗ୍ରେସ ସାଂସଦ ହୋଇଥିବା ଶଶୀ ଥରୁରଙ୍କର ଦଳ ପ୍ରତି ଅସନ୍ତୋଷ ବଢ଼ିବାରେ ଲାଗିଛି। ନିକଟରେ କେରଳ କଂଗ୍ରେସରେ ନେତୃତ୍ୱଶୂନ୍ୟତାକୁ ନେଇ ତାଙ୍କର ସର୍ବସାଧାରଣ ସମାଲୋଚନା ଏବଂ ଦଳରେ ତାଙ୍କର ଭୂମିକା ଉପରେ ଆଲୋଚନା ପାଇଁ ରାହୁଲ ଗାନ୍ଧୀଙ୍କ ସହ ବୈଠକ ସଂଗଠନ ଭିତରେ ତାଙ୍କ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ସୃଷ୍ଟି କରିଛି। ତେବେ କେରଳର କଂଗ୍ରେସ କର୍ମକର୍ତ୍ତାମାନେ କହିଛନ୍ତି ଯେ ଥରୁର ଦଳ ଛାଡ଼ିବେ ନାହିଁ। କେପିସିସି ସଭାପତି କେ ସୁଧାକରନ ରବିବାର କହିଛନ୍ତି ଯେ ଥରୁର ଦଳ ଛାଡ଼ିବେ କିମ୍ବା ସିପିଏମ୍ରେ ଯୋଗ ଦେବେ ବୋଲି ମୁଁ ବିଶ୍ୱାସ କରେ ନାହିଁ। ଆସନ୍ତା ବର୍ଷ କେରଳ ବିଧାନସଭା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ଥରୁର ମୁଖ୍ୟମନ୍ତ୍ରୀ ପଦ ପାଇଁ ମୁଖ୍ୟ ଦାବିଦାର ଅଟନ୍ତି। ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ବିଭିନ୍ନ ସର୍ଭେରେ ତାଙ୍କୁ ରାଜ୍ୟରେ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ସବୁଠାରୁ ଗ୍ରହଣୀୟ କର୍ମକର୍ତ୍ତା ଭାବରେ ମାନ୍ୟତା ଦିଆଯାଇଛି।
ତିରୁଅନନ୍ତପୁରମ୍ ସାଂସଦଙ୍କ ମନ୍ତବ୍ୟ ଦଳର ରାଜ୍ୟ ନେତୃବୃନ୍ଦଙ୍କୁ ଅକଳରେ ପକାଇଛି। ଥରୁରଙ୍କୁ ସମର୍ଥନ କରିଥିବା ସୁଧାକରନ ତାଙ୍କୁ ଦଳୀୟ ସୀମା ଅତିକ୍ରମ ନ କରିବାକୁ ଚେତାବନୀ ଦେଇଛନ୍ତି। ଗଣମାଧ୍ୟମ ଜରିଆରେ ପ୍ରତିକ୍ରିୟା ଦେବା ଥରୁରଙ୍କ ପାଇଁ ଠିକ୍ ଆଭିମୁଖ୍ୟ ନୁହେଁ। ସିଡବ୍ଲ୍ୟୁସି ସଦସ୍ୟ ରମେଶ ଚେନ୍ନିଥାଲା ଥରୁରଙ୍କ ପ୍ରତି ଦଳର ବ୍ୟବହାରକୁ ସମର୍ଥନ କରି କହିଛନ୍ତି ଯେ ତାଙ୍କୁ ଏକାଧିକ ସୁଯୋଗ ଦିଆଯାଇଛି। କଂଗ୍ରେସକୁ ଥରୁର ଦରକାର ଏବଂ ସେଥିପାଇଁ ତାଙ୍କୁ ୪ ଥର ସାଂସଦ ଓ ଥରେ କେନ୍ଦ୍ରମନ୍ତ୍ରୀ କରାଯାଇଥିଲା। ତାଙ୍କୁ ଦଳର ସର୍ବୋଚ୍ଚ ସଂସ୍ଥାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦବି ଦିଆଯାଇଥିଲା। ଚେନ୍ନିଥାଲା ମନେ ପକାଇଥିଲେ ଯେ କିପରି ସେ ଥରୁରଙ୍କୁ ଜାତିସଂଘରୁ ଫେରିବା ପରେ କଂଗ୍ରେସରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/congress-mp-shashi-tharoor.jpg)