ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍‌ସର ଆବୁ ଧାବିରେ ଆସନ୍ତାବର୍ଷ ଫେବ୍ରୁ୍ଆରିରେ ଏକ ମନ୍ଦିରର ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ। ମୋଦୀଙ୍କୁ ଏଥିପାଇଁ ଆମନ୍ତ୍ରଣ କରାଯାଇଛି। ଏହି ପ୍ରସଙ୍ଗରେ କଂଗ୍ରେସ ସାଂସଦ ଶଶୀ ଥରୁର୍‌ ବିଜେପି ଓ ମୋଦୀଙ୍କୁ କଟାକ୍ଷ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନ କରିବେ।

Advertisment

ଥରୁର କହିଛନ୍ତି, ୨୦୨୪ରେ ବିଜେପି ଏହାର ମୁଖ୍ୟ ପ୍ରସଙ୍ଗକୁ ଫେରିବ ଏବଂ ନରେନ୍ଦ୍ର ମୋଦୀଙ୍କୁ ଦେଶ ସମ୍ମୁଖରେ ‘ହିନ୍ଦୁ ହୃଦୟ ସମ୍ରାଟ’ ଭାବେ ଉପସ୍ଥାପନ କରିବ। ଥରୁର ଅଭିଯୋଗ କରିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ହିନ୍ଦୁତ୍ବ ବନାମ ଲୋକକଲ୍ୟାଣ ରୂପ ନେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଜାନୁଆରି ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ଏବଂ ଫେବ୍ରୁଆରି ୧୪ରେ ଆବୁ ଧାବିରେ ବିଏପିଏସ୍‌ ହିନ୍ଦୁ ମନ୍ଦିର ନିର୍ମାଣ କରିବେ। ଏହାପରେ ଖୁବ୍‌ଶୀଘ୍ର ନିର୍ବାଚନ ଘୋଷଣା ହେବା ନେଇ ମୁଁ ଆଶା କରୁଛି ବୋଲି ଥରୁର୍‌ କହିଛନ୍ତି। ୨୦୧୪ରେ ମୋଦୀ ଭାରତୀୟ ଭୋଟରଙ୍କ ନିକଟରେ ଅର୍ଥନୈତିକ ବିକାଶର ଅବତାର ଓ ଗୁଜରାଟ ବିକାଶ ମଡେଲର ସିଇଓଭାବେ ଭା‌ବେ ଉପସ୍ଥାପିତ ହୋଇଥିଲେ-ଯିଏକି ସାରା ଦେଶ ପାଇଁ ବିକାଶ ଆଣିବେ। ୨୦୧୯ରେ ସେହି କାହାଣୀ ବିମୁଦ୍ରୀକରଣ ଯୋଗୁ ଫିକା ପଡ଼ିଯାଇଥିଲା। ତେବେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ମୋଦୀ ୨୦୧୯ ସାଧାରଣ ନିର୍ବାଚନରେ ଜାତୀୟ ସୁରକ୍ଷା ପ୍ରସଙ୍ଗକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ପ୍ରଚାର କରିଥିଲେ। ତେବେ ଏହା ସ୍ପଷ୍ଟ ଯେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ନିଜର ମୂଳ ପ୍ରସଙ୍ଗକୁ ଫେରିବ। ଦେଶ ସାମ୍ନାରେ ମୋଦୀଙ୍କୁ ହିନ୍ଦୁ ହୃଦୟ ସମ୍ରାଟ ଭାବେ ବିଜେପି ଉପସ୍ଥାପିତ କରିବ ବୋଲି ଥରୁର କହିଛନ୍ତି।

ଥରୁର୍‌ ପ୍ରଶ୍ନ କରିଛନ୍ତି- ଅଚ୍ଛେ ଦିନ୍‌ କୁଆଡ଼େ ଗଲା? ବର୍ଷକୁ ୨ କୋଟି ନିଯୁକ୍ତି ସୃଷ୍ଟି ପ୍ରତିଶ୍ରୁତି କ’ଣ ହେଲା? ଅର୍ଥନୈତିକ ବିକାଶ ଯାହାଦ୍ବାରା ଅର୍ଥନୈତିକ ଓ ସାମାଜିକ ଭାବେ ତଳେ ଥିବା ବ୍ୟକ୍ତିମାନଙ୍କ ବିକାଶ ହୋଇ ପାରିବା ବିଷୟ କ’ଣ ହେଲା? ପ୍ରତ୍ୟେକ ଭାରତୀୟଙ୍କ ପକେଟ ଏବଂ ବ୍ୟାଙ୍କ ଆକାଉଣ୍ଟରେ ଉଦ୍‌ବୃତ୍ତ ଟଙ୍କା ରଖିବା ପ୍ରସଙ୍ଗ କ’ଣ ହେଲା? ତେଣୁ ହିନ୍ଦୁତ୍ବ ବନାମ ଲୋକ କଲ୍ୟାଣ ପ୍ରସଙ୍ଗରେ ବିତର୍କ ଆସନ୍ତା ନିର୍ବାଚନରେ ହେବ ବୋଲି ଥରୁର କହିଛନ୍ତି। ଆବୁ ଧାବିରେ ମନ୍ଦିର ଉଦ୍‌ଘାଟନ ପାଇଁ ବିଏପିଏସ୍‌ ସଂଗଠନର ସ୍ବାମୀ ଈଶ୍ବରଚରଣ ଦାସ ଏବଂ ସ୍ବାମୀ ବ୍ରହ୍ମାବିହାରୀ ଦାସଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରିଥିଲେ। ମୋଦୀ ଏଥିପାଇଁ ସମ୍ମତି ଜଣାଇଥିବା କୁହାଯାଉଛି।