ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରୁ କରୋନା ସଂକ୍ରମଣର କୌଣସି ଆଶଙ୍କା ନାହିଁ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ଶରୀରରୁ ସଂକ୍ରମଣ ବ୍ୟାପିବାର କୌଣସି ଆଶଙ୍କା ନାହିଁ । ବରଂ ପ୍ଲାଜମା ଚିକିତ୍ସା ମାଧ୍ୟମରେ ସେମାନଙ୍କ ଦ୍ୱାରା ଅନ୍ୟମାନେ ଆରୋଗ୍ୟ ହୋଇପାରିବେ । ଏଣୁ ଆରୋଗ୍ୟ ରୋଗୀଙ୍କୁ ନେଇ ଲୋକମାନଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା ଦୂର ହେବା ଆବଶ୍ୟକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।

ସେ କହିଛନ୍ତି ଯେ ଦେଶରେ ରାପିଡ ଆଣ୍ଟିବଡି ଟେଷ୍ଟ କିଟ ବା ଆରଟି-ପିସିଆର ଯଥେଷ୍ଟ ପରିମାଣରେ ରହିଛି । ଦେଶରେ ଗତ ୨୪ ଘଣ୍ଟାରେ ମୋଟ ୧୩୯୬ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହା ସହିତ ମୋଟ ସଂକ୍ରମଣ ସଂଖ୍ୟା ୨୭୮୯୨ରେ ପହଞ୍ଚିଛି ଓ ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୦,୮୩୫ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୩୮୧ ଜଣ ଆରୋଗ୍ୟ ଲାଭ କରିଛନ୍ତି । ମୋଟ ଆରୋଗ୍ୟ ସଂଖ୍ୟା ୬୧୮୪ରେ ପହଞ୍ଚିଛି ଓ ଆରୋଗ୍ୟ ହାର ୨୨.୧୭% କୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଦେଶର ୮୫ଟି ଜିଲ୍ଲାରେ ଗତ ୧୪ ଦିନ ହେଲା କୌଣସି ମାମଲା ଦେଖାଯାଇନାହିଁ । ସେହିପରି ୧୬ ଟି ଜିଲ୍ଲା, ଯେଉଁଠାରେ ପୂର୍ବରୁ ସଂକ୍ରମଣ ମାମଲା ଦେଖାଦେଇଥିଲା, ଗତ ୨୮ ଦିନରେ କୌଣସି ମାମଲା ଦେଖାଯାଇନାହିଁ । ଏହି ତାଲିକାରେ ଯୋଗ ଦେଇଥିବା ୩ଟି ନୂଆ ଜିଲ୍ଲା ହେଲା ମହାରାଷ୍ଟ୍ରର ଗୋନ୍ଦିଆ, କର୍ଣାଟକର ଦେବାନଗରେ ଓ ବିହାରର ଲଖ#ସରାଇ ।

ସମ୍ବନ୍ଧିତ ଖବର