୭ବର୍ଷ ପରେ ଝିଅକୁ ମିଳିଲା ନ୍ୟାୟ, କିନ୍ତୁ ନିର୍ଭୟାର ଏହି ଇଚ୍ଛାକୁ ପୂରଣ କରି ପାରି ନ ଥିବାରୁ ଆଜି ବି ହୃଦୟ ଫାଟିଗଲା ଭଳି ଲାଗେ: ଆଶା ଦେବୀ
ନୂଆଦିଲ୍ଲୀ: ଶୁକ୍ରବାର ପ୍ରତ୍ୟୁଷରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦିଆଯାଇଛି। ୭ ବର୍ଷ ପରେ ଫାଶୀ ଖୁଣ୍ଟରେ ନରରୂପୀ ରାକ୍ଷସ ଝୁଲିବା ପରେ ନିର୍ଭୟାଙ୍କ ମା’ ଆଶା ଦେବୀ ନ୍ୟାୟପାଳିକା ଏବଂ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ବିଳମ୍ବରେ ହେଉ ପଛେ ତାଙ୍କ ଝିଅକୁ ନ୍ୟାୟ ମିଳିଛି। ସେ ପୁଣି କହିଛନ୍ତି, ଆମ ଝିଅ ଆଉ ନାହିଁ କି, ଫେରିବ ନାହିଁ। ସେ ଚାଲିଯିବା ପରେ ଆମେ ଏହି ସଂଗ୍ରାମ ଆରମ୍ଭ କରିଥିଲୁ। ଏ ସଂଗ୍ରାମ ତା’ ପାଇଁ ଥିଲେ ବି ଆମେ ଆମ ଭବିଷ୍ୟତର ଝିଅମାନଙ୍କ ପାଇଁ ସଂଗ୍ରାମ ଚାଲୁ ରଖିବୁ।’
Sambad is now on WhatsApp
Join and get latest news updates delivered to you via WhatsApp
ଏସବୁ ଭିତରେ ନିର୍ଭୟଙ୍କ ମା’ କହିଛନ୍ତି, ‘ନିର୍ଭୟା ରାମ ସିଂହ (ବସ୍ ଡ୍ରାଇଭର), ରାମସିଂହର ଭାଇ ମୁକେଶ ସିଂହ. ଅକ୍ଷୟ ଠାକୁର, ବିନୟ ଶର୍ମା, ପୱନ ଗୁପ୍ତା ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ଜୀବନ-ମରଣ ସହ ସଂଘର୍ଷ କରୁଥିବା ବେଳେ ମୋତେ କିଛି ମାଗି ଥିଲା, ଯାହାକୁ ମୁଁ ଚାହିଁକି ବି ପୂରଣ କରି ପାରି ନଥିଲି। ଆଜି ବି ସେ କଥା ଭାବିଲେ ଛାତି ମୋର ଫାଟି ଯାଉଛି।’
ଆଶା ଦେବୀ ଜୀବନର ସବୁଠାରୁ ଦୁଃଖଦ ମୁହୂର୍ତ୍ତକୁ ମନେ ପକାଇ କହନ୍ତି, ‘ସେଦିନ ଥିଲା ୨୦୧୨ମସିହା ଡିସେମ୍ବର ୧୬ ତାରିଖ। ଝିଅ ନିର୍ଭୟା ଦୁଇ-ତିନି ଘଣ୍ଟା ଭିତରେ ଘରକୁ ଫେରିବାର ଥିଲା। କିନ୍ତୁ ୪ରୁ ୫ଘଣ୍ଟା ହେବ ଘରକୁ ନ ଫେରିବାରୁ ଝିଅକୁ କଲ କରିଥିଲି। କିନ୍ତୁ ସେ ଫୋନ୍ ଉଠାଇ ନଥିଲା। ଆମେ ସମସ୍ତେ ମିଶି ତାକୁ ବହୁ ଖୋଜାଖୋଜି କରିଥିଲୁ। କିନ୍ତୁ କୌଣସି ଖବର ମିଳି ନ ଥିଲା। ଏହି ଖୋଜାଖୋଜି ଭିତରେ ଫୋନ୍ ଆସିଲା କି ନିର୍ଭୟା ଦୁଷ୍କର୍ମର ଶିକାର ହୋଇ ସଫଦରଗଞ୍ଜ ହସ୍ପିଟାଲ୍ରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛି।
ହସ୍ପିଟାଲ ପହଞ୍ଚିବା ପରେ ଝିଅର ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥା ଦେଖି ମୁଁ ସ୍ଥାଣୁ ପାଲଟି ଯାଇଥିଲି। ଝିଅ ମୋତେ ଧରି ଭୋଭୋ ହୋଇ କାନ୍ଦିବାକୁ ଲାଗିଥିଲା। ମୁଁ ସବୁ ଜାଣି ପାରୁ ଥିଲି, କିନ୍ତୁ କିଛି କହିବା ଅବସ୍ଥାରେ ନଥିଲି। କେବଳ ‘ହେ ଭଗବାନ ମୋ ଝିଅକୁ ଭଲ କରି ଦିଅ’ ବୋଲି ମନେମନେ ଏତିକି ହିଁ ମୁଁ ଡାକୁଥିଲି। ଝିଅ ନିର୍ଭୟା ଏହି ସମୟରେ ‘ମା’ ମୋତେ ବୁନ୍ଦେ ପାଣି ଦେ’ ବୋଲି ଅତି ବିକଳରେ ମାଗିଥିଲା । କିନ୍ତୁ ସେହି ସମୟରେ ଝିଅକୁ ପାଣି ଦେବାକୁ ଡାକ୍ତରଙ୍କ ଅନୁମତି ନ ଥିଲା। ଝିଅ ଦୁଷ୍କର୍ମର ଶିକାର ହେବାର ୧୦-୧୨ଦିନ ପର୍ଯ୍ୟନ୍ତ ଜୀବନ-ମରଣ ସହ ସଂଘର୍ଷ କରୁଥିଲା, କିନ୍ତୁ ମୁଁ ଏମିତି ଜଣେ ମା’ ମୋ ଝିଅର ଶୋଷ ମେଣ୍ଟାଇବାକୁ ପାଣି ବୁନ୍ଦେ ଦେଇ ପାରି ନଥିଲି। ଆଜି ବି ପାଣି ପିଇବାକୁ ଗ୍ଲାସ ଉଠାଇଲେ ଝିଅ କଥା ଭାବି ମନ ମୋର କ’ଣ ହୋଇଯାଏ। ମା’ ହୋଇ ଝିଅର ଏହି ଶେଷ ଇଚ୍ଛାଟିକୁ ସେଦିନ ବି ପୂରଣ କରି ପାରି ନ ଥିଲି କି ବଞ୍ଚି ଥିଲା ଯାଏଁ କେବେ ବି ପୂରଣ କରି ପାରିବି ନାହିଁ।’