ଏହା ଠିକ ହେଲାନି… ଟ୍ରୁଡୋଙ୍କ ଉପରେ ବିରକ୍ତ ହେଲେ ଜିନପିଙ୍ଗ୍

ବାଲି : ଇଣ୍ଡୋନେସିଆର ବାଲିରେ ଚାଲିଥିବା ଜି-୨୦ ସମ୍ମିଳନୀ ବେଳେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଓ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିବା ସମଗ୍ର ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଛି । ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଦେଖାଯାଉଛି, କିପରି ସି ଜିନପିଙ୍ଗ୍ ଟ୍ରୁଡୋଙ୍କ ଉପରେ ବିରକ୍ତ ହେଉଛନ୍ତି ଓ ଟ୍ରୁଡୋ ତାହାର ଜବାବ ଦେଉଛନ୍ତି ।

ଗତ କାଲି ଅର୍ଥାତ୍, ମଙ୍ଗଳବାରଦିନ ଜିନପିଙ୍ଗ୍  ଓ ଟ୍ରୁଡୋଙ୍କ ମଧ୍ୟରେ ଏକ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା । କିନ୍ତୁ ଏହି ଆଲୋଚନାର ବିଷୟବସ୍ତୁ ସଂପର୍କରେ ଆଜି କାନାଡାର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହୋଇଥିବା ଗୋପନ କଥାବାର୍ତ୍ତା କିପରି ପ୍ରେସକୁ ଲିକ୍ ହେଲା ତାହାକୁ ନେଇ ଚୀନ ରାଷ୍ଟ୍ରପତି ବିରକ୍ତ ହୋଇଯାଇଛନ୍ତି ।

 


ଟ୍ରୁଡୋଙ୍କୁ ସେ କହିଛନ୍ତି, ଆମ ଭିତରେ ଯାହା ନିଷ୍ପତ୍ତି ହୋଇଥିଲା ତାହା ଖବରକାଗଜକୁ ଲିକ୍ ହୋଇଗଲା..ଏହା ଠିକ ହେଲାନି । ଏପରି ଆଲୋଚନା ହୁଏ ନାହିଁ, ଯଦି ତୁମ ପଟେ ବିଶ୍ବସ୍ତତା ନ ରହିଲା । ଚୀନ ରାଷ୍ଟ୍ରପତି ମାଣ୍ଡାରିନ (ଚୀନ ଭାଷା)ରେ ଏସବୁ କହୁଥିବାବେଳେ ତାଙ୍କ ଅନୁବାଦକ ଏହାକୁ ଇଂରାଜୀରେ ଟ୍ରୁଡୋଙ୍କୁ କହିଥିଲା ।

ଏହାର ଜବାବରେ ଟ୍ରୁଡୋ କହିଥିଲେ ଯେ, ଦୁଇ ପକ୍ଷ ମଧ୍ୟରେ ମୁକ୍ତ ଓ ଖୋଲା ଆଲୋଚନା ହୋଇଥିଲା ଓ କେତେକ କ୍ଷେତ୍ରରେ ଦୁଇପକ୍ଷ ମଧ୍ୟରେ ଅସହମତ ଜାରି ରହିବ । ତେବେ ଏହି ଯୁକ୍ତିତର୍କ ପରେ ଉଭୟ କରମର୍ଦ୍ଦନ କରିଥିଲେ ।

 

 

ସମ୍ବନ୍ଧିତ ଖବର