କର୍ଣ୍ଣାଟକ ରାଜ୍ୟପାଳ ଭାବେ ଶପଥ ନେଲେ ଥାୱରଚାନ୍ଦ ଗେହଲଟ

ବେଙ୍ଗାଲୁରୁ : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ ଆଜି କର୍ଣ୍ଣାଟକର ୧୯ତମ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। କର୍ଣ୍ଣାଟକ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଅଭୟ ଶ୍ରୀନିବାସ ଓକା ରାଜ୍ୟପାଳ ଗେହଲଟ୍‌ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ରାଜ୍ୟପାଳ ବଜୁଭାଇ ବାଲା, କର୍ଣ୍ଣାଟକ ବିଧାନସଭା ବାଚସ୍ପତି ବିଶ୍ବେଶ୍ବର ‌ହେଗଡେ କାଗେରୀ, ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଏବଂ ତାଙ୍କ କ୍ୟାବିନେଟ୍‌ ସହକର୍ମୀ, ମୁଖ୍ୟ ସଚିବ ପି ରବି କୁମାର ଏବଂ ଅନ୍ୟ ବରିଷ୍ଠ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ। ଧଳା ରଙ୍ଗର ସୁଟ୍‌ ଏବଂ ଏକ ହିମାଚଳୀ କ୍ୟାପ୍‌ ପିନ୍ଧିଥିବା ଗେହଲଟ ରାଜଭବନରେ ଶପଥ ନେଇଛନ୍ତି। ଶପଥ ନେବାaପରେ ଜଷ୍ଟିସ୍‌ ଓକା, ବାଲା ଏବଂ ୟେଦୁରପ୍ପା ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ୭୩ ବର୍ଷୀୟ ଗେହଲଟ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରୀ ଥିଲେ। ଗତ ୬ ତାରିଖରେ ଗେହଲଟ୍‌ କର୍ଣ୍ଣାଟକର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଥିବା ରାଷ୍ଟ୍ରପତି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର