ନୂଆଦିଲ୍ଲୀ: ପୂରା ବିଶ୍ବ ଏବେ ଯୁଦ୍ଧର ଘନଘଟାରେ ପ୍ରଭାବିତ ହୋଇଛି । ରୁଷ୍-ୟୁକ୍ରେନ୍ ଓ ଇସ୍ରାଏଲ-ଗାଜା ଯୁଦ୍ଧର ଗତିପଥ ଆଗକୁ ଅଧିକ ମାରାତ୍ମକ ଓ ବ୍ୟାପକ ହେବ ବୋଲି ଆଶଙ୍କା କରାଯାଉଥିବା ବେଳେ ମଧ୍ୟପ୍ରାଚ୍ୟର ଲଢ଼େଇ ଏବେ ଏସିଆକୁ ବ୍ୟାପିଲାଣି। ପାକିସ୍ତାନ ଓ ଇରାନ ପରସ୍ପର ଉପରେ କ୍ଷେପଣାସ୍ତ୍ର ମାଡ଼ କରି ଆଉ ଏକ ଲମ୍ବା ସଂଘର୍ଷର ଦ୍ବାର ଖୋଲିଦେଇଛନ୍ତି। ମୁସ୍ଲିମ ରାଷ୍ଟ୍ରମାନେ ଏହି ସାମରିକ ଉତ୍ତେଜନା ନେଇ ଦୁଇ ଭାଗ ହୋଇଯିବା ସଙ୍କେତ ମିଳିଲାଣି। ଆମେରିକା ତଥା ନାଟୋ ରାଷ୍ଟ୍ରଙ୍କ ସହାୟତା ଅଭାବରୁ ୟୁକ୍ରେନ ଆଗକୁ ରୁଷ୍ର ଭୟାନକ ଆକ୍ରମଣକୁ ମୁକାବିଲା କରିପାରିବ ନାହିଁ ବୋଲି କୁହାଯାଉଥିବା ବେଳେ ଗାଜାକୁ ନେଇ ଇସ୍ରାଏଲ ଉପରେ ବଢ଼ିଚାଲିଥିବା ଅନ୍ତର୍ଜାତୀୟ ଚାପ ମଧ୍ୟ ଗାଜାର ବିନାଶକୁ ରୋକିପାରିବ ନାହିଁ ବୋଲି କୁହାଯାଉଛି।
ଗାଜାକୁ ସଂପୂର୍ଣ୍ଣ ଧ୍ବଂସ ମୁହଁକୁ ନେଇଥିବା ଇସ୍ରାଏଲ ହମାସ୍ ଆତଙ୍କବାଦୀଙ୍କ ମୂଳପୋଛ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ ବୋଲି ଘୋଷଣା କରିଛି। ବିଶ୍ବରେ ଏବେ ୧୫ଟି ରାଷ୍ଟ୍ର ଯୁଦ୍ଧ, ଗୃହଯୁଦ୍ଧ ଏବଂ ଆତଙ୍କୀ ବିଦ୍ରୋହ ମୁକାବିଲା କରୁଛନ୍ତି। ଆମେରିକା ଓ ବ୍ରିଟେନକୁ ଚ୍ୟାଲେଂଜ କରି ହୁତି ଆତଙ୍କବାଦୀମାନେ ଲୋହିତ ସାଗରରେ ବିତ୍ପାତ ମଚାଇଥିବା ବେଳେ ଆମେରିକା ୟେମେନରେ ଏବେ ହୁତି ଆତଙ୍କବାଦୀଙ୍କ ଆଡ଼ା ଧ୍ବସ୍ତ କରୁଛି। ଏଭଳି ସ୍ଥିତିରେ ବିଶ୍ୱବ୍ୟାପୀ ଲଢ଼େଇ ଶେଷ କରିବା ପାଇଁ ଚାଲିଥିବା କୂଟନୈତିକ ପ୍ରୟାସ ବିଫଳ ହେଉଛି। ଦୁଇ ଦଶନ୍ଧି ଧରି ବିଶ୍ବରେ ଯୁଦ୍ଧର ବିସ୍ତାର ଚାଲିଥିବା ବେଳେ ପ୍ରଥମେ ଲିବିୟା, ସିରିଆ ଓ ୟେମେନରେ ୨୦୧୧ ଆରବ ବିଦ୍ରୋହ ଯୋଗୁଁ ସଂଘର୍ଷ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଆଜରବାଇଜାନ-ଆର୍ମେନିଆ ଯୁଦ୍ଧ ଚାଲିଥିବା ବେଳେ ମିଆଁମାରରେ ସେନା ଓ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ୨୦୨୨ରୁ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଚାଲିଥିଲି ଏବଂ ଗତବର୍ଷ ଅକ୍ଟୋବରରୁ ଇସ୍ରାଏଲ-ଗାଜା ଯୁଦ୍ଧ ଯୋଡ଼ି ହୋଇଯାଇଛି ।