ବେଜିଂ: ଚୀନର ତିଆନଜିନ୍‌ ସହରରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ଦୁଇ ଦିନିଆ ଶିଖର ସମ୍ମିଳନୀ ଆଜି ଶେଷ ହୋଇଛି। ୨୫ତମ ଶିଖର ସମ୍ମିଳନୀର ମିଳିତ ଘୋଷଣାନାମାରେ ଗତ ଏପ୍ରିଲ ୨୨ର ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଭିଆଇଥିବା ରାଷ୍ଟ୍ର ପାକିସ୍ତାନର ନାଁ ନିଆଯାଇ ନଥିଲେ ମଧ୍ୟ ସେହି ଦେଶ ମିଳିତ ‌ଘୋଷଣାନାମାରେ ଦସ୍ତଖତ କରିଛି। ଏସ୍‌ସିଓ ଦେଶଗୁଡ଼ିକର ମିଳିତ ଶତ୍ରୁ ଆତଙ୍କବାଦ ବୋଲି କୁହାଯାଇଛି। ଏଥିରେ ରୁଷ୍‌, ଚୀନ ଓ ଇରାନ ସମେତ ଏସ୍‌ସିଓର ୧୦ ସ୍ଥାୟୀ ସଦସ୍ୟ ଦସ୍ତଖତ କରିଛନ୍ତି। 

Advertisment

ଜୁନ୍‌ ୨୬ରେ ଏସ୍‌ସିଓର ପ୍ରତି‌ରକ୍ଷା ମନ୍ତ୍ରୀମାନଙ୍କର ବୈଠକ ଚୀନର କ୍ବିଙ୍ଗଡାଓ ସହରରେ ହୋଇଥିଲା। ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୈଠକରେ ଯୋଗ ଦେଇଥିଲେ। କିନ୍ତୁ ପହଲଗାମ ଆକ୍ରମଣ ଘଟଣାକୁ ନିନ୍ଦା କରାଯାଇ ନଥିବାରୁ ରାଜନାଥ ସେଥିରେ ଦସ୍ତଖତ କରିବାକୁ ମନା କରିଦେଇଥିଲେ। କିନ୍ତୁ ଏସ୍‌ସିଓର ଶିଖର ବୈଠକରେ ପରିସ୍ଥିତି ବଦଳି ଯାଇଛି। ସମ୍ମିଳନୀରେ ଭାଷଣ ଦେବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନର ନାଁ ନେଇ ନାହାନ୍ତି। କିନ୍ତୁ କିଛି ରାଷ୍ଟ୍ର ଖୋଲାଖୋଲି ଆତଙ୍କବାଦକୁ ସମର୍ଥନ କରୁଛନ୍ତି ବୋଲି କହିଥିଲେ। ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ ଦୃଢ଼ ଭାବେ ଛିଡ଼ା ହୋଇଛି ଏବଂ ଏଥିରେ ଏସ୍‌ସିଓର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦ୍ବୈତ ମାନଦଣ୍ଡ ଗ୍ରହଣଯୋଗ୍ୟ ‌ନୁହେଁ ବୋଲି ମତ ଦେଇଛନ୍ତି। 

ଦସ୍ତଖତ କଲା ପାକିସ୍ତାନ
ଆତଙ୍କବାଦ ବିରୋଧରେ ଦ୍ବୈତ ମାନଦଣ୍ଡ ଗ୍ରହଣୀୟ ‌ନୁହେଁ: ମୋଦୀ

ପ୍ରଧାନମନ୍ତ୍ରୀ କହିଛନ୍ତି, ଏସ୍‌ସିଓ ପ୍ରତି ଭାରତର ଚିନ୍ତାଧାରା ଓ ନୀତି ତିନିଟି ମୁଖ୍ୟ ସ୍ତମ୍ଭ ଉପରେ ଆଧାରିତ। ସେଗୁଡ଼ିକ ହେଲା ଏସ୍‌ ବା ସୁରକ୍ଷା, ସି ବା ସଂଯୋଗୀକରଣ ଏବଂ ଓ ବା ସୁଯୋଗ। ସୁରକ୍ଷା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆତଙ୍କବାଦ କେବଳ ଗୋଟିଏ ଦେଶ ପାଇଁ ଆହ୍ବାନ ନୁହେଁ ବରଂ ସମଗ୍ର ମାନବଜାତି ପାଇଁ ଆହ୍ବାନ ପାଲଟିଛି। ଆତଙ୍କବାଦ ବିରୋଧରେ ଆମକୁ ମିଳିତଭାବେ ଲଢ଼େଇ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଏସ୍‌ସିଓର ପରବର୍ତ୍ତୀ ଅଧ୍ୟକ୍ଷ ତଥା କିର୍ଗିଜସ୍ତାନର ରାଷ୍ଟ୍ରପତି ଜାପାରୋଭଙ୍କୁ ଶୁଭକାମନା ଜଣାଇଥିଲେ। ତିଆନଜିନର ଏସ୍‌ସିଓ ଘୋଷଣାନାମାରେ ମଧ୍ୟ ମୋଦୀଙ୍କ ଏଭଳି ମତ ପ୍ରତିଫଳିତ ହୋଇଛି। ଯେକୌଣସି ପ୍ରକାର ଆତଙ୍କବାଦକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ନିନ୍ଦା କରିଛନ୍ତି। ଆତଙ୍କବାଦ ବିରୋଧୀ ଲଢ଼େଇରେ ଦୋମୁହାଁ ନୀତି ଗ୍ରହଣଯୋଗ୍ୟ ନୁହେଁ ବୋଲି କୁହାଯିବା ସହ ଏହା ବିରୋଧରେ ଲଢ଼େଇ ପାଇଁ ଅନ୍ତର୍ଜାତୀୟ ସମୁଦାୟକୁ ଆହ୍ବାନ କରାଯାଇଛି। ‌ଘୋଷଣାନାମାରେ ପହଲଗାମ ଆକ୍ରମଣରେ ମୃତାହତଙ୍କ ପାଇଁ ଗଭୀର ସହାନୁଭୂତି ଓ ସମବେଦନା ବ୍ୟକ୍ତ କରାଯାଇଛି। ଏଭଳି ଆକ୍ରମଣର ଷଡ୍‌ଯନ୍ତ୍ରକାରୀ, ଆୟୋଜକ ଓ ପ୍ରଯୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଥିରେ କୁହାଯାଇଛି।

ଗୋଟିଏ ଗାଡ଼ିରେ ଗଲେ ମୋଦୀ, ପୁଟିନ

ବେଜିଂ: ଚୀନ୍‌ର ତିଆନଜିନ୍‌ରେ ଆଜି ଏସ୍‌ସିଓ ଶିଖର ସମ୍ମିଳନୀ ଶେଷ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେମାନଙ୍କ ଦ୍ବିପା‌କ୍ଷିକ ବୈଠକସ୍ଥଳକୁ ଗୋଟିଏ ଗାଡ଼ିରେ ଯାତ୍ରା କରିଥିଲେ। ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଏକ ପୋଷ୍ଟ୍ କରି ଏସଂକ୍ରାନ୍ତ ସୂଚନା ଦେଇଛନ୍ତି। ମୋଦୀ କହିଛନ୍ତି, ଏସ୍‌ସିଓ ସମ୍ମିଳନୀ ଶେଷ ହେବାପରେ ରାଷ୍ଟ୍ରପତି ପୁଟିନ ଓ ମୁଁ ଗୋଟିଏ ଗାଡ଼ିରେ ଦ୍ବିପାକ୍ଷିକ ବୈଠକ ସ୍ଥଳକୁ ଯାଇଥିଲୁ। ତାଙ୍କ ସହ ଖୁବ୍‌ ଫଳପ୍ରଦ କଥାବାର୍ତ୍ତା 
ହୋଇଛି। ତେବେ ମିଳିଥିବା ସୂଚନାନୁଯାୟୀ ଏସ୍‌ସିଓ ସମ୍ମିଳନୀ ପରେ ପୁଟିନ ମୋଦୀଙ୍କ ସହ ଯାତ୍ରା କରିବାକୁ ଚାହିଥିଲେ। ସେମାନେ ଏକାଠି ଗୋଟିଏ ଗାଡ଼ିରେ ରିଜ୍‌ କାର୍ଲଟନ୍‌ ହୋଟେଲ ଯାଇଥିଲେ। ଏଥିପାଇଁ ପୁଟିନ ମୋଦୀଙ୍କୁ ପ୍ରାୟ ୧୦ ମିନିଟ୍‌ ଅପେକ୍ଷା ମଧ୍ୟ କରିଥିଲେ। ଉଭୟ ନେତା ଦ୍ବିପାକ୍ଷିକ ବୈଠକସ୍ଥଳରେ ପହଞ୍ଚିବା ପରେ ବି ସେଠାରେ ଆଉ ୪୫ ମିନିଟ୍‌ କାର୍‌ରେ କଥା ହୋଇଥିଲେ। ଏହାପରେ ଉଭୟ ମୋଦୀ ଏବଂ ପୁଟିନ ପ୍ରାୟ ୧ ଘଣ୍ଟା ଧରି ଦ୍ବିପାକ୍ଷିକ ବୈଠକ କରିଥିଲେ। 
ଦ୍ବିପାକ୍ଷିକ ବୈଠକରେ ପୁଟିନ ତାଙ୍କ ପ୍ରାରମ୍ଭିକ ମନ୍ତବ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ମହାମହିମ ପ୍ରଧାନମନ୍ତ୍ରୀ ଜୀ’ ଏବଂ ‘ପ୍ରିୟ ଦୋସ୍ତ’ କହି ସମ୍ବୋଧନ କରିଛନ୍ତି। ମୋଦୀଙ୍କୁ ଭେଟି ଖୁବ୍‌ ଖୁସି ଥିବା ସେ କହିଛନ୍ତି। ଭାରତ-ରୁଷ୍‌ ମଧ୍ୟରେ ଅତି ଭଲ ସମ୍ପର୍କ ରହିଛି ଏବଂ ଆଜିର ବୈଠକ ଭାରତ-ରୁଷ୍‌ ସମ୍ପର୍କକୁ ଅଧିକ ସୁଦୃ୍ଢ଼ କରିବ ବୋଲି ପୁଟିନ କହିଛନ୍ତି। ଉଲ୍ଲେଖଯୋଗ୍ୟ,  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି।
ଏଭଳି ସମୟରେ ରୁଷ୍‌ ରାଷ୍ଟ୍ରପତି ପୁଟିନଙ୍କର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଏଭଳି ବ୍ୟବହାରକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଆମେରିକାର ଚାପ ସତ୍ତ୍ବେ ଭାରତ ରୁଷ୍‌ ସହ ତୈଳ ବାଣିଜ୍ୟ ବନ୍ଦ କରିନାହିଁ।  ଭାରତ କହିଛି ଯେ ଏହାର ଜାତୀୟ ସ୍ବାର୍ଥ ସବୁଠୁ ଆଗରେ। ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ମୋଦୀ ପୁଟିନଙ୍କୁ ପ୍ରଥମ ଥର ଭେଟିଛନ୍ତି। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କୁ କହିଛନ୍ତି ଯେ ଚଳିତ ବର୍ଷ ଶେଷରେ ତାଙ୍କ ଭାରତ ଗସ୍ତ ପାଇଁ ୧୪୦ କୋଟି ଭାରତୀୟ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କୁ କହିଛନ୍ତି ଯେ ସେ ଆଶା କରୁଛନ୍ତି ଯେ ରୁଷ ଏବଂ ୟୁକ୍ରେନ ଶୀଘ୍ର ସେମାନଙ୍କର ଯୁଦ୍ଧ ସମାପ୍ତ କରିବା ପାଇଁ ଆଗକୁ ବଢ଼ିବେ। ବୈଠକରେ ପୁଟିନ ମୋଦୀଙ୍କୁ କହିଛନ୍ତି, ପ୍ରିୟ ବନ୍ଧୁ, ୨୧ ଡିସେମ୍ବରରେ ଆମର ସ୍ୱତନ୍ତ୍ର ଏବଂ ସୁବିଧାପ୍ରାପ୍ତ ରଣନୈତିକ ସହଭାଗିତା ହାସଲର ୧୫ ବର୍ଷ ପୂରଣ ହେବ। ମୁଁ ଆତ୍ମବିଶ୍ୱାସର ସହ କହିପାରିବି ଯେ ଆମର ସମ୍ପର୍କ ନୀତି-ଆଧାରିତ ଏବଂ ଏଥିରେ ବହୁମୁଖୀ ସହଯୋଗ ରହିଛି।