ନୂଆଦିଲ୍ଲୀ: ଜାଇଡସ୍ କାଡିଲା ଏହାର ‘ଜାଇକୋଭ-ଡି’ କରୋନା ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଲୋଡ଼ିଛି। ୩ ଡୋଜ୍ ବିଶିଷ୍ଟ ଏହି ଟିକା ବିଶ୍ବର ପ୍ରଥମ ପ୍ଲାଜମିଟ୍ ଡିଏନ୍ଏ ଟିକା। ବିନା ଛୁଞ୍ଚିରେ ଏହି ଟିକା ଦିଆଯିବ ଏବଂ ପିଲାଙ୍କ ପାଇଁ ଏହା ନିରାପଦ ବୋଲି କମ୍ପାନି କହିଛି। ବାର୍ଷିକ ୧୨ କୋଟି ଡୋଜ୍ ଟିକା ଉତ୍ପାଦନ ଯୋଜନା ରଖିଛି। ସ୍ବଦେଶୀ ଟିକା ‘ଜାଇକୋଭ-ଡି’ ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିଲେ ଭାରତରେ ଏହା ହେବ ପଞ୍ଚମ କରୋନା ଟିକା। ପୂର୍ବରୁ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିସିଲ୍ଡ, ଭାରତ ବାୟୋଟେକ୍ର କୋଭାକ୍ସିନ, ରୁଷିଆର ସ୍ପୁଟନିକ୍-ଭି ଏବଂ ଆମେରିକାର ମଡର୍ଣ୍ଣା କମ୍ପାନି ର୍ନିମିତ ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିଛି।
ବିନା ଛୁଞ୍ଚିରେ ଏକ ଆପ୍ଲିକେଟର ମାଧ୍ୟମରେ ଏହି ଟିକା ଦିଆଯିବ। ଫାର୍ମାଜେଟ୍ ସହ ମିଶି କମ୍ପାନି ଏହି ଆପ୍ଲିକେଟରର ବିକାଶ କରିଛି। ଜାଇଡସ୍ କାଡିଲା ପକ୍ଷରୁ ଦାବି କରାଯାଇଛି ଲକ୍ଷଣ ଥିବା କରୋନା ରୋଗ କ୍ଷେତ୍ରରେ ଏହା ୬୬.୬ ପ୍ରତିଶତ ଫଳପ୍ରଦ ଏବଂ ମଧ୍ୟମ ଧରଣର ରୋଗ କ୍ଷେତ୍ରରେ ଏହା ୧୦୦ ପ୍ରତିଶତ ଫଳପ୍ରଦ। ଏଥିସହିତ ଉକ୍ତ ଟିକା ୧୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ମଧ୍ୟ ନିରାପଦ ବୋଲି କୁହାଯାଇଛି। ‘ଜାଇକୋଭ-ଡି’ ଟିକା ଚୂଡ଼ାନ୍ତ ପର୍ଯ୍ୟାୟରେ ୨୮ ହଜାରରୁ ଅଧିକ ସ୍ବେଚ୍ଛାସେବୀଙ୍କ ଠାରେ ପରୀକ୍ଷା ହୋଇଥିଲା। ଏମାନଙ୍କ ମଧ୍ୟରେ ପ୍ରାୟ ୧୦୦୦ ସ୍ବେଚ୍ଛାସେବୀଙ୍କ ବୟସ ୧୨ରୁ ୧୮ ବର୍ଷ ଥିଲା ବୋଲି କମ୍ପାନି କହିଛି।