ନୂଆଦିଲ୍ଲୀ: ଫ୍ରାନ୍ସ ଠାରୁ ଭାରତ ୩୬ଟି ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲ କିଣିବା ପାଇଁ ଚୁକ୍ତି କରିଛି। ବର୍ତ୍ତମାନ ସୁଦ୍ଧା ଫ୍ରାନ୍ସ ୨୬ଟି ବିମାନ ପ୍ରଦାନ କରିସାରିଛି। ୪.୫ ଜେନେରେସନର ଏହି ଲଢ଼ୁଆ ବିମାନ ଗୁଡ଼ିକ ଅମ୍ବାଲା ଏବଂ ହସିମାରାରେ ମୁତୟନ କରାଯାଇଛି। ଆସନ୍ତାମାସରୁ ୩ ମାସ ପର୍ଯ୍ୟନ୍ତ ଫ୍ରାନ୍ସରୁ ମାସକୁ ୩ଟି ଲେଖାଏଁ ରାଫେଲ ବିମାନ ଆସିବ। ଅକ୍ଟୋବର ୧୩ ତାରିଖରେ ଜାମନଗରଠାରେ ଅବତରଣ କରିବ। ବାଟରେ ଆସିବା ସମୟରେ ସଂଯୁକ୍ତ ଆରବ ଏମିରେଟ୍‌ସ ସହଯୋଗରେ ଆକାଶରେ ଏଥିରେ ଇନ୍ଧନ ଭର୍ତ୍ତି ହେବ। ନଭେମ୍ବର ଏବଂ ଡିସେମ୍ବରରେ ୩ଟି ଲେଖାଏଁ ରାଫେଲ ବିମାନ ଆସିବା ଫଳରେ ଭାରତରେ ମୋଟ ରାଫେଲ ସଂଖ୍ୟା ୩୫ରେ ପହଞ୍ଚିବ। ତେବେ ଶେଷ ରାଫେଲ୍‌ଟି ଆସନ୍ତାବର୍ଷ ଜାନୁଆରି ମାସରେ ଆସିବ। ତାହା ହେବ ଶେଷ ଅର୍ଥାତ ୩୬ତମ ରାଫେଲ୍‌।

Advertisment

୩୬ତମ ରାଫେଲ ଅନ୍ୟଗୁଡ଼ିକ ଠାରୁ ସ୍ବତନ୍ତ୍ର। ଏଥିରେ ଭାରତର ଆବଶ୍ୟକତା ଅନୁଯାୟୀ ୧୩ଟି ସ୍ବତନ୍ତ୍ର ସୁବିଧା ରହିବ। ସେହି ସୁବିଧା ଗୁଡ଼ିକ ମଧ୍ୟରେ ଶକ୍ତିଶାଳୀ ରେଡିଓ ଅଲ୍ଟିମିଟର, ରାଡାର ୱାର୍ଣ୍ଣିଂ ରିସିଭର, ଲୋ ବ୍ୟାଣ୍ଡ ଜାମର, ଫ୍ଲାଇଟ ଡାଟା ରେକର୍ଡର, ହାଇ ଅଲ୍ଟିଚ୍ୟୁଟ ଇଞ୍ଜିନ ଷ୍ଟାର୍ଟ-ଅପ୍‌, ସିନ୍ଥେଟିକ୍ ଆପେର୍ଚର ରାଡାର, ଗ୍ରାଉଣ୍ଡ ମୁଭିଂ ଟାର୍ଗେଟ ଇଣ୍ଡିକେଟର ଆଣ୍ଡ ଟ୍ରାକିଂ, ଇନଫ୍ରା-ରେଡ୍‌ ସର୍ଚ୍ଚ ଆଣ୍ଡ ଟ୍ରାକ, ହେଲମେଟ-ମାଉଣ୍ଟେଡ ଡିସ‌ପ୍ଲେ, ମିସାଇଲ ଆପ୍ରୋଚ ୱାର୍ଣ୍ଣିଂ ସିଷ୍ଟମସ ଏବଂ ଭେରି ହାଇ-ଫ୍ରିକ୍ବେନ୍ସି ରେଞ୍ଜ ଡେକୟସ ଆଦି ରହିଛି। ରାଫେଲ ବିମାନରେ ଉନ୍ନତମାନର କ୍ଷେପଣାସ୍ତ୍ରର ପ୍ରୟୋଗ ପାଇଁ ଫ୍ରାନ୍ସ ପୂର୍ବରୁ ଭାରତୀୟ ବାୟୁସେନାକୁ ହାମର, ସ୍କାଲପ ଏବଂ ମେଟୋର ଆଦି କ୍ଷେପଣାସ୍ତ୍ର ଯୋଗାଇ ସାରିଛି।