ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଆସନ୍ତାକାଲି (୯ ତାରିଖ) ଭାରତର ୫୦ତମ ପ୍ରଧାନବିଚାରପତି ଭାବେ ଶପଥ ଗ୍ରହଣ କରିବେ। ୨ ବର୍ଷରୁ ଅଧିକ କାଳ ଏହି ପଦବିରେ ରହିବା ଅବସରରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ଦେବା ସୁଯୋଗ ପାଇବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ। ଦେଶର ନ୍ୟାୟିକ ଇତିହାସରେ ପ୍ରଥମ ଥର ପାଇଁ ପିତାଙ୍କ ପରେ ପୁତ୍ର ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ପିତା ହେଉଛନ୍ତି ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନବିଚାରପତି ୱାଇ ଭି ଚନ୍ଦ୍ରଚୂଡ଼। ସେ ୧୯୭୮ରେ ଦେଶର ୧୬ତମ ପ୍ରଧାନ ବିଚାରପତି ହୋଇଥିଲେ।

Advertisment

ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଆଗରେ ଏବେ ରହିଛି ଅନେକ ଆହ୍ବାନ। ୩୭୦ ଧାରା ଉଚ୍ଛେଦ ଏବଂ ନାଗରିକତା ସଂଶୋଧନ ଆଇନର ବୈଧତା ଇତ୍ୟାଦି ମାମଲା ଉପରେ ସେ ଯାହା ବି ରାୟ ଦେବେ, ତା’ର ବହୁତ ବଡ଼ ରାଜନୈତିକ ପ୍ରଭାବ ରହିବ। ତା’ଛଡ଼ା ବିପୁଳ ସଂଖ୍ୟାରେ ପଡ଼ିରହିଥିବା ମାମଲା, ଯଥେଷ୍ଟ ଭିତ୍ତିଭୂମିର ଅଭାବ, ନ୍ୟାୟ ପ୍ରଦାନରେ ବିଳମ୍ବ ଇତ୍ୟାଦି ସମସ୍ୟାର ସେ କିପରି ସମାଧାନ କରିବେ, ତାହା ମଧ୍ୟ ତାଙ୍କ ଆଗରେ ଏକ ଆହ୍ବାନ। କଲେଜିୟମ୍‌ର ମୁଖ୍ୟ ହିସାବରେ ସୁପ୍ରିମ୍‌କୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ଖାଲି ରହିଥିବା ପଦବିଗୁଡ଼ିକ ପୂରଣ କରିବା ବି ତାଙ୍କର ଦାୟିତ୍ବ।