ବରେଲ୍ଲୀ: ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାର ଜଣେ ୬୫ ବର୍ଷୀୟ ବ୍ୟକ୍ତି ବାବୁ ଭାରତୀ । ଦୀର୍ଘ ୪୨ ଦିନ ହେବ ସେ ନିଜ ପରିବାର ସଦସ୍ୟଙ୍କୁ ଦେଖିନାହାନ୍ତି। ରମଜାନ୍ରେ ବି ସେ ତାଙ୍କ ଘରକୁ ଯାଇନାହାନ୍ତି। କାରଣ ସେ ବି ଜଣେ କରୋନା ଯୋଦ୍ଧା। କରୋନା ମହାମାରୀ ବିରୋଧରେ ସେ ଲଢ଼େଇ ଜାରି ରଖିଛନ୍ତି। ବାବୁ ଜଣେ ଆମ୍ବୁଲାନ୍ସ ଚାଳକ। ସେ ଉତ୍ତରପ୍ରଦେଶର ସମ୍ଭଲ୍ ଜିଲ୍ଲାରେ ଆମ୍ବୁଲାନ୍ସ ଚଳାନ୍ତି। ମାର୍ଚ୍ଚ ୨୩ ତାରିଖରୁ ବାବୁ ସମ୍ଭଲ୍ ଜିଲ୍ଲାର ଅବରୋଧ ଅଞ୍ଚଳ ଏବଂ ହଟ୍ସ୍ପଟ୍ ଅଞ୍ଚଳରୁ କରୋନା ସନ୍ଦିଗ୍ଧ ଏବଂ ରୋଗୀମାନଙ୍କୁ ହସ୍ପିଟାଲ୍କୁ ନେଉଛନ୍ତି। ସେଥିପାଇଁ ସେ ସେ ତାଙ୍କ ଘରକୁ ଯାଇ ପାରୁନାହାନ୍ତି। ଦୀର୍ଘ ୪୨ ଦିନ ହୋଇଯିବ ସେ ଆମ୍ବୁଲାନ୍ସକୁ ଘର କରି ଆମ୍ବୁଲାନ୍ସରେ ଶୋଉଛନ୍ତି। ବାବୁ କହିଛନ୍ତି ସେ ଆମ୍ବୁଲାନ୍ସରେ ଶୋଉଛନ୍ତି ଏବଂ ବାଟରେ ଯେଉଁଠି ଟ୍ୟୁବ୍ୱେଲ୍ ଦେଖନ୍ତି ସେଠାରେ ଗାଧୋଇ ପଡ଼ନ୍ତି। ଜିଲ୍ଲା ହସ୍ପିଟାଲ୍ ପକ୍ଷରୁ ତାଙ୍କ ଖାଦ୍ୟର ବନ୍ଦୋବସ୍ତ କରାଯାଉଛି। ତେବେ ସେ କରୋନା ଯୁଦ୍ଧରେ ଜିତିବାପରେ ହିଁ ଘରକୁ ଫେରିବେ ବୋଲି କହିଛନ୍ତି।
ସମ୍ଭଲ୍ରେ କରୋନା ବିରୋଧିବା ରୢାପିଡ୍ ଆକ୍ସନ୍ ଟିମ୍ ଇନଚାର୍ଜ ଡ. ନିରଜ ଶର୍ମା କହିଛନ୍ତି, ବାବୁ ମହାମାରୀ ଆରମ୍ଭରୁ ତାଙ୍କ ଟିମ୍ରେ ସାମିଲ ଥିଲେ। ବାବୁଙ୍କ ଦ୍ବାରା ୭୦୦ ରୋଗୀଙ୍କୁ ହସ୍ପିଟାଲ୍ ନିଆଯାଇଛି। ବାବୁଙ୍କ ଅବଦାନ ଅତୁନଳୀୟ। ଦିନ ହେଉ କି ରାତି ଯେକୌଣସି ସମୟରେ ତାଙ୍କୁ ଡାକିଲେ ସେ ସର୍ବଦା ପ୍ରସ୍ତୁତ ଥାନ୍ତି। ବାବୁଙ୍କ ଘର ମଣ୍ଡି କିଶନଦାସ ସରାଇ ଗ୍ରାମରେ। ହସ୍ପିଟାଲ୍ଠାରୁ ୯ କିମି ଦୂରରେ ତାଙ୍କ ଘର ଅବସ୍ଥିତ। ରମଜାନ୍ ପାଇଁ ତାଙ୍କୁ ଘରକୁ ଯିବାକୁ କୁହାଯାଇଥିଲେ ବି ସେ ଯାଇନାହାନ୍ତି। ବାବୁ କହିଛନ୍ତି , ପ୍ରତିଦିନ ସକାଳେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ କଥା ହୁଅନ୍ତି। ସେମାନଙ୍କୁ ନିଶ୍ଚିତ କରାନ୍ତି ଯେ ସେ ସୁରକ୍ଷିତ ଅଛନ୍ତି। କରୋନା ଯୋଗୁଁ ବୟସ୍କଙ୍କ ପ୍ରତି ଅଧିକ ବିପଦ ଥିବା ଜାଣି ମଧ୍ୟ ବାବୁ ଏଥିରେ ଭୟ କରିନାହାନ୍ତି। ସେ କହିଛନ୍ତି ସେ ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରତି ସମୟରେ ସେ ତାଙ୍କ ଆମ୍ବୁଲାନ୍ସକୁ ସାନିଟାଇଜ୍ କରୁଛନ୍ତି। ତେଣୁ ଭୟ କରିବାର କିଛି ନାହିଁ। କରୋନା ସଙ୍କଟ ସମୟରେ ତାଙ୍କ ଦାୟିତ୍ବ ଖୁବ୍ ଗୁରୁତ୍ବପୂର୍ଣ୍ଣ ଜାଣି ସେ ଘରକୁ ଫେରିବାକୁ ଚାହିନାହାନ୍ତି।