ପୁଣେ : ସଦ୍ଗୁରୁ ସ୍ୱାମୀ ନିଗମାନନ୍ଦ ସରସ୍ବତୀଦେବଙ୍କ ଦ୍ବାରା ପ୍ରତିଷ୍ଠିତ ନୀଳାଚଳ ସାରସ୍ୱତ ସଂଘ, ପୁରୀ ପକ୍ଷରୁ ୭୩ ତମ ଭକ୍ତ ସମ୍ମିଳନୀ ପାଇଁ ଏକ ପ୍ରସ୍ତୁତି ବୈଠକ ପୁଣେ ମଞ୍ଜରିସ୍ଥିତ ଶ୍ରୀଶ୍ରୀ ଠାକୁର ନିଗମାନନ୍ଦ ଆସନ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ବର୍ଷ ଫେବ୍ରୁଆରିରେ ଏହି ଭକ୍ତ ସମ୍ମିଳନୀ ପୁଣେଠାରେ ଅନୁଷ୍ଠିତ ହେବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା। ବୈଠକରେ ପୂରା ଦେଶର ବିଭିନ୍ନ ବିଭାଗର ମୁଖ୍ୟମାନେ ଯୋଗଦାନ କରି ଭକ୍ତ ସମ୍ମିଳନୀ ବିଷୟରେ ବିଷଦ୍ ଭାବେ ଆଲୋଚନା କରିଥିଲେ। ନୀଳାଚଳ ସାରସ୍ୱତ ସଂଘ ପୁରୀଙ୍କ ତରଫରୁ ସଂଘ ସଭାପତି ସନ୍ତୋଷ କୁମାର ମହାନ୍ତି, ପରିଚାଳକ ଶରତ ଚନ୍ଦ୍ର ସିଂଦେବ, ଉପସଭାପତି କମ୍ବୁଚରଣ ଧର ଓ ପରିଚାଳନା ମଣ୍ଡଳୀ ସଦସ୍ୟମାନେ ଯୋଗ ଦେଇଥିଲେ। ସ୍ଥାନୀୟ ବିଧାୟକ ଅଶୋକ ବାପୁ ପୱାର, ଏନ୍ସିପି ନେତା ସୁରେଶ ଘୁଲେ ଯୋଗଦାନ କରି ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୂରା ବିଶ୍ବରୁ ଅନୁନ୍ୟ ୧୦ ହଜାର ଭକ୍ତ ଯୋଗ ଦେବେ।
ନୀଳାଚଳ ସାରସ୍ୱତ ସଂଘ ତରଫରୁ ଭାରତର ବିଭିନ୍ନ ସ୍ଥାନରେ ପ୍ରତିବର୍ଷ ଏହି ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହୁଏ। ଆସନ୍ତାବର୍ଷ ଏହା ପୁଣେଠାରେ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି। ପ୍ରବାସୀ ସଂଘ ସଭାପତି ସଂଗ୍ରାମ ଧର, ସମ୍ପାଦକ ସୂର୍ଯ୍ୟକାନ୍ତ ବଳ, କୋଷାଧ୍ୟକ୍ଷ ରବିନାରାୟଣ ଦାସ, ପୁଣେ ସଂଖା ସଂଘ ସଭାପତି ବି. ସୁରେଶ ତଥା ପ୍ରବାସୀ ଶାଖା ସଂଘର ସଦସ୍ୟମାନେ ସହଯୋଗ କରିଥିଲେ।