୭ମ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ଉଦ୍‌ଯାପିତ : ଶାସ୍ତ୍ରୀୟ ମାନ୍ୟତାର ସ୍ମୃତିଚାରଣ, ଭାଷାର ଉନ୍ନତି ପାଇଁ ମାନସମନ୍ଥନ

ସୌମ୍ୟରଂଜନଙ୍କୁ ପ୍ରଥମ ଓଡ଼ିଆ ସ୍ତମ୍ଭ ସାହିତ୍ୟ ସମ୍ମାନ
ବିଭିନ୍ନ କ୍ଷେତ୍ରରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା
୨ ଦିନରେ ୭ଟି ଆଲୋଚନାଚକ୍ର ସମ୍ପନ୍ନ

ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ୍‌ ‘ଦି ଇଣ୍ଟେଲେକ୍ଟସ୍‌’ ପକ୍ଷରୁ ଦୁଇଦିନିଆ ମାତୃଭାଷ‌ା ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ‘ସମ୍ବାଦ’ରେ ପ୍ରକାଶ ପାଉଥିବା ସ୍ତମ୍ଭ ‘ଆମ ଘରର ହାଲଚାଲ’ ପାଇଁ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ‘ପ୍ରଥମ ଓଡ଼ିଆ ସ୍ତମ୍ଭ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଛି। ଏଥିସହିତ, ବହୁ ବିଶିଷ୍ଟ ବ୍ୟକ୍ତି, ଅନୁଷ୍ଠାନ ଓ ଯୁବ ପ୍ରତିଭାଙ୍କୁ ‘ପ୍ରବାସୀ ଭାଷା ସମ୍ମାନ-୨୦୨୧’ ପ୍ରଦାନ କରାଯାଇଛି। ଏହି ସମ୍ମିଳନୀରେ ୪୦ରୁ ଊର୍ଦ୍ଧ୍ବ ଦେଶ, ସମସ୍ତ ୬ଟି ଭାରତୀୟ ଶାସ୍ତ୍ରୀୟ ଭାଷା ଓ ଅନ୍ୟ ଭାରତୀୟ ଭାଷାର ପ୍ରତିନିଧିମାନଙ୍କୁ ନେଇ ୭ଟି ଆଲୋଚନାଚକ୍ର ଅନୁଷ୍ଠିତ ହେବା ସହିତ ଓଡ଼ିଆ ଭାଷାର ବିକାଶ ସମ୍ପର୍କରେ ବିଚାରବିମର୍ଶ କରାଯାଇଛି। ଏଥିସହିତ, ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତାର ସ୍ମୃତିଚାରଣ କରାଯାଇଛି।

ଚଳିତବର୍ଷ କରୋନାକୁ ଦୃଷ୍ଟିରେ ରଖି ‘ଦି ଇଣ୍ଟେଲେକ୍ଟସ୍‌’ ପକ୍ଷରୁ ଗତ ଶନିବାର ଓ ରବିବାର ଦିନ ଦୁଇଦିନ ଧରି ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ‘ମାତୃଭ‌ାଷା ମହାକୁମ୍ଭ’ରେ ବିଶ୍ୱର ବିଭିନ୍ନ ଦେଶରେ ଥିବା ଓଡ଼ିଆ ସାଂସ୍କୃତିକ ସଂଗଠନଗୁଡିକର ମିଳିତ ପ୍ରୟାସରେ ଗଠିତ ‘ଫାଉଣ୍ଡେସନ ଅଫ୍‌ ଓଡିଆ ଡାୟୋସ୍କୋରା’ ସହଯୋଗୀ ଭାବରେ ଅଂଶଗ୍ରହଣ କରିଥିଲା। ‘ଦି ଇଣ୍ଟେଲେକ୍ଟସ୍‌’ ର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର, ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ବିଶିଷ୍ଟ ଭାଷାବିତ୍‌ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, , ‘ ଓଡ଼ିଶା ସୋସାଇଟି ଅଫ ଆମେରିକାସ୍‌’ ର ଅଧ୍ୟକ୍ଷା କୁକୁ ଦାସ ଓ ବିଶିଷ୍ଟ ଚିନ୍ତକ, ଲେଖକ ତଥା ଆୟୋଜନ କମିଟିର ଅଧକ୍ଷ ଡଃ ଭଗବାନ ପ୍ରକାଶ ଯୋଗଦେଇ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇବାର ସ୍ମୃତିକୁ ରୋମନ୍ଥନ କରିବା ସହିତ ଆଗାମୀ ପିଢ଼ିଙ୍କୁ ମାତୃଭାଷାର ଶିକ୍ଷା ସଠିକ୍‌ ଭାବରେ ପ୍ରଦାନ କରିବା ଉପରେ ଗୁରୁତ୍ବାରୋପ କରିଥିଲେ ।

ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଓଡ଼ିଆ ଭ‌ାଷାର ଉନ୍ନତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ସାଂସଦ ଡ.ପାତ୍ର ମାତୃଭାଷାର ବହୁଳ ବ୍ୟବହାର ଉପରେ ଗୁରୁତ୍ବାରୋପ କରିଥିଲେ। ‘ସମ୍ବାଦ’ ସଂପାଦକ ତଥା ବିଧାୟକ ଶ୍ରୀ ପଟ୍ଟନାୟକ ସମସ୍ୟାକୁ କେବଳ ଆଲୋଚନା କରି ଛାଡ଼ିଦେଲେ ତାହା ସମାଧାନ ହୁଏନାହିଁ; ବରଂ ଛୋଟ ଛୋଟ ପ୍ରୟାସ ମାଧ୍ୟମରେ ଏହାର ସମାଧାନର ସୂତ୍ର ବାହାର କରି ମାତୃଭାଷା ପ୍ରତି ନିଜର ଦାୟିତ୍ବ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ। ଭାଷାବିତ୍‌ ଶ୍ରୀ ପଟ୍ଟନାୟକ କହିଥିଲେ ‌ଯେ, ମାତୃଭାଷା ହିଁ ଶିଶୁର ସମ୍ପୂର୍ଣ୍ଣ ବୌଦ୍ଧିକ ବିକାଶ କରିବା ଦିଗରେ ସହାୟକ ହୋଇଥାଏ ।

ଏହି ଦୁଇଦନିଆ ସମ୍ମିଳନୀରେ ମାତୃଭାଷା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଅନୁଷ୍ଠିତ ୭ଟି ଅାଲୋଚନାଚକ୍ରରେ ମାତୃଭାଷା ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ, ବିଶିଷ୍ଟ ଭାଷାବିତ୍‌ ପ୍ରଫେସର୍‌ କପିଳ କପୁର, ଦିଲ୍ଲୀ ବିଶ୍ବବିଦ୍ୟାଳୟର ପ୍ରଫେସର ବଳରାମ ପାଣି, ସୋବିତ ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର କୁମାର ଶେଖର ବିଜେନ୍ଦ୍ର, ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ପ୍ରଫେସର ମିନତୀ ପଣ୍ଡା, ପ୍ରଫେସର ଉଦୟନାଥ ସାହୁ, ଡ. ବସନ୍ତ କୁମାର ପଣ୍ଡା, ଡଃ ଏ. ଜେ. ଥୋମାସ, ଡଃ. ଏମ ନାଇଡୁ, ପ୍ରଫେସର ପୁରୁଷୋତ୍ତମ ବିଲିମିଲେ, ପ୍ରଫେସର ବି. ଏନ. ପଟ୍ଟନାୟକ, କମ୍ପ୍ୟୁଟର ବିଜ୍ଞାନର ପ୍ରାଧ୍ୟାପିକା ଡଃ ସଂଘମିତ୍ରା ମହାନ୍ତି, ଓଡ଼ିଆ ଲିପି ବିଶେଷଜ୍ଞ ଶୁଦ୍ଧିର ପଟେଲ ଓ ଅନଞ୍ଜ ପଣ୍ଡା, ଡଃ. ସୁବାସିନୀ ବାରିକ, ଡଃ ନାଚାତ୍ତାର ସିଂ, ଶୁଭେନ୍ଦୁ ବିଶ୍ବାଳ, ଉତ୍କଳ ନାୟକ ଏବଂ ଅନେକ ଯୁବ ତଥା ପ୍ରବୀଣ ବିଶେଷଜ୍ଞ ଅଂଶଗ୍ରହଣ କରିଥିଲେ ।

ସମ୍ମିଳନୀରେ ବିଶ୍ବର ବିଭିନ୍ନ ଦେଶରେ ଅବସ୍ଥାପିତ ଓଡ଼ିଆ ସଂଗଠନର ପ୍ରତିନିଧି ତଥା ଦେଶର ବିଭିନ୍ନ ସ୍ଥାନରେ ଓଡ଼ିଆ ସ୍ବାଭିମାନ ଓ ଭାଷାକୁ ପ୍ରଚାର ଓ ପ୍ରସାର ପାଇଁ କାମ କରୁଥିବା ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ନିଜର ପ୍ରୟାସ ବିଷୟରେ ଅବଗତ କରାଇଥିଲେ । ସେମାନଙ୍କ ମଧ୍ୟରେ, ଦୀପ୍ତି ରଞ୍ଜନ ନନ୍ଦ ମାଲେସିୟାରୁ, ସୁମନ୍ତ ମାନସିଂ ଇଂଲଣ୍ଡରୁ, ସଂଜୀବ କୁମାର ବାରିକ କତାରରୁ, ଅରୁଣ କୁମାର ପ୍ରହରାଜ ବାହାରିନରୁ, ଜଗନ୍ନାଥ ଦାସ ମରିସସ୍‌ରୁ, ଅନୀଲ ପଟ୍ଟନାୟକ ଆମେରିକାରୁ, ସାଇ ମନୋଜ ମହାପାତ୍ର ଓମାନରୁ, ତନ୍ମୟ ପଣ୍ଡା କାନାଡାରୁ, ସଂଜୀବ ପଣ୍ଡା ସିଙ୍ଗାପୁରରୁ, ଜୟଶ୍ରୀ ଦାସ ଲଣ୍ଡନରୁ, ପ୍ରଣବ ପାଣି ବେଙ୍ଗାଲୁରୁରୁ , ନଗେନ୍ଦ୍ର ନାଥ ସ୍ବାଇଁ ଓଡିଶା ଯୋଗଦେଇଥିଲେ। ପ୍ରାକ ଉଦ୍‌ଘାଟନୀ ଉତ୍ସବରେ ଏକ ବହୁଭାଷୀ ଅନ୍ତର୍ଜାତୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି କବିତା ପାଠୋତ୍ସବକୁ କବି ପରମବ୍ରହ୍ମ ତ୍ରିପାଠୀ (ଓଡ଼ିଶା), ଡ ସୁନନ୍ଦା ମିଶ୍ର (କାନାଡା), ଡଃ ସୁନିତା ଯାଦବ (ମହାରାଷ୍ଟ୍ର) ଓ ବିନା ପ୍ରଧାନ (ମାଲେସିୟା ) ପରିଚାଳନା କରିଥିଲେ।

ଏହି ଅବସରରେ ‘ସମ୍ବାଦ’ ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ‘ପ୍ରଥମ ଓଡ଼ିଆ ସ୍ତମ୍ଭ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଥିଲା। ସେହିଭଳି, ଡ. ଜଗନ୍ନାଥ ପ୍ରସାଦ ଦାସଙ୍କୁ ‘ଆମ ଗୌରବ ସମ୍ମାନ’ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ, ଔପନ୍ୟାସିକ ଭାଗୀରଥି ଦାସ, ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀ, ଓଡ଼ିଶୀ ନୃତ୍ୟାଙ୍ଗନା ଇଲିୟାନ ସିଟାରିଷ୍ଟ, ଇଂ. ପ୍ରଭାକର ସ୍ବାଇଁ, ପ୍ର. ଯତୀନ୍ଦ୍ର ନାୟକ, ପ୍ରଦ୍ୟୁମ୍ନ ଶତପଥୀ, , ଡଃ. ହରପ୍ରସାଦ ମିଶ୍ର, ଡଃ ସରୋଜ ସିଂ, ଡଃ. ବିଜୟ ବିଶ୍ବାଳ , ପ୍ରଶାନ୍ତ ଭୂୟାଁଙ୍କୁ ସମ୍ମାନିତ କରାଯାଇଥିଲା। ଭାଷାର ବିକାଶ ପାଇଁ ବିଶେଷ ଅବଦାନ ରଖିଥିବା ସଂଗଠନ ମଧ୍ୟରେ ଜ୍ଞାନ ମଣ୍ଡଳ ପାଇଁ ଡଃ. ପାବକ କାନୁନଗୋ, ଇଫ୍‌କୋ ପାଇଁ ଜ୍ଞାନ ଚାନ୍ଦ ଆଚାର୍ଯ୍ୟ , ଦୈନିକ ସମ୍ବାଦପତ୍ର ‘ପ୍ରମେୟ’ ଓ କୋରାପୁଟ ସାହିତ୍ୟ ମହୋତ୍ସବକୁ ସମ୍ମାନିତ କରାଯାଇଥିଲା । ଯୁବ ପ୍ରେରଣା ବିଭାଗରେ ୟୁଟ୍ୟୁବ ଚାନେଲ ‘ନଟିଆ’କୁ ଓରଫ ସମୀର ରଞ୍ଜନ ମହାନ୍ତି, ଓଡ଼ିଆ ରାପ ସଙ୍ଗୀତ ପାଇଁ ରାପର ବିଗଡିଲ ଓରଫ ସମୀର ରିଷୁ ମହାନ୍ତିଙ୍କୁ ଓ ଗଜପତି (ବିଷ୍ଣୁ ମୋହନ ଅଧିକାରୀ )ଙ୍କୁ ସୋସିଆଲ ମିଡ଼ିଆ ପାଇଁ ସମ୍ମାନିତ କରାଯାଇଥିଲା ।

ସୋନାଲୀ ସ୍ବାଇଁ, ବି ନାରାୟଣ ଷଡ଼ଙ୍ଗୀ ଓ ଶ୍ରୀସିକ୍ତା ଶୁଭଦର୍ଶନୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ସମ୍ପାଦକ ଶ୍ୟାମାନୁଜ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଆଣ୍ଠାନ ରାଉତ, ଆଶୁତୋଷ ଷଡଙ୍ଗୀ ଓ ପ୍ରିୟାଂଶୁ ପାଢୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର