ନୂଆଦିଲ୍ଲୀ: ସମବାୟ ସମିତିଗୁଡ଼ିକର ସୁପରିଚାଳନା ପାଇଁ ଉଦ୍ଦିଷ୍ଟ ୯୭ତମ ସମ୍ବିଧାନ ସଂଶୋଧନକୁ ମଙ୍ଗଳବାର ସୁପ୍ରିମକୋର୍ଟର ଏକ ତିନିଜଣିଆ ଖଣ୍ଡପୀଠ ୨:୧ ମତରେ କାଏମ୍ ରଖିଛନ୍ତି। ତେବେ ସମବାୟ ସମିତିଗୁଡ଼ିକର ଗଠନ ଓ କାର୍ଯ୍ୟକାରିକତା ପାଇଁ ରହିଥିବା ଏକ ପ୍ରାବଧାନ (୯ ବି ଅଂଶ)କୁ ଜଷ୍ଟିସ୍ ଆର୍ ଏଫ୍ ନରିମାନ୍, କେ ଏମ୍ ଜୋସେଫ୍ ଓ ବି ଆର୍ ଗଭାଇଙ୍କୁ ଗଠିତ ଖଣ୍ଡପୀଠ ସେଥିରୁ ବାଦ୍ ଦେଇଛନ୍ତି।
ସୂଚନାଯୋଗ୍ୟ, ସମ୍ବିଧାନର ଏହି ୯୭ତମ ସଂଶୋଧନ ସଂସଦରେ ୨୦୧୧ ଡିସେମ୍ବରରେ ଗୃହୀତ ହେବା ସହ ୨୦୧୨ ଫେବ୍ରୁଆରିରୁ ତାହା କାର୍ଯ୍ୟକାରୀ ହୋଇଥିଲା। ତେବେ ସମବାୟ ସମିତିଗୁଡ଼ିକ ରାଜ୍ୟର ବିଷୟ ହୋଇଥିବାରୁ ସଂସଦ ଏ ସମ୍ପର୍କରେ କୌଣସି ଆଇନ କାନୁନ ପ୍ରଣୟନ କରିପାରିବ ନାହିଁ ବୋଲି ଗୁଜରାଟ ହାଇକୋର୍ଟ ୨୦୧୩ ମସିହାରେ ଦେଇଥିବା ଏକ ରାୟକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟର ଶରଣ ପଶିଥିଲେ।
ଏ ପ୍ରସଙ୍ଗରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ମଧ୍ୟ ସମବାୟ ସମିତିଗୁଡ଼ିକର ପରିଚାଳନା ପାଇଁ ରାଜ୍ୟମାନଙ୍କର ରହିଥିବା ସ୍ବତନ୍ତ୍ର କ୍ଷମତାଗୁଡ଼ିକ ଉକ୍ତ ସମ୍ବିଧାନ ସଂଶୋଧନ ଦ୍ବାରା କ୍ଷୁଣ୍ଣ ହେଉଛି ନା ନାହିଁ ତାହା ତର୍ଜମା କରିଥିଲେ। ଏ ପରିପ୍ରେକ୍ଷୀରେ ୯୭ତମ ସଂଶୋଧନ ରାଜ୍ୟର କ୍ଷମତା ଉପରେ ଆଦୌ ହସ୍ତକ୍ଷେପ କରୁନାହିଁ, ପରନ୍ତୁ ଏହା ସମବାୟ ସମିତିଗୁଡ଼ିକର ପରିଚାଳନାରେ ସମାନତା ଆଣିବା ପାଇଁ ଉଦ୍ଦିଷ୍ଟ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ଯୁକ୍ତି କରିଥିଲେ।