ଖାଲିଜ୍‌ ଟାଇମ୍ସ, ନ୍ୟୁୟର୍କ ଟାଇମ୍ସକୁ ଅର୍ଥ ଦେଇ ଖବର ଛପାଇଛି ଆପ୍‌: ବିଜେପି

ନୂଆଦିଲ୍ଲୀ : ଦିଲ୍ଲୀର ଶିକ୍ଷା ମଡେଲ ବିଷୟରେ ଏକ ସମାନ ରିପୋର୍ଟ ନ୍ୟୁୟର୍କ ଟାଇମ୍ସ ଏବଂ ଖାଲିଜ ଟାଇମ୍ସରେ ପ୍ରକାଶ ପାଇବାର କିଛି ଘଣ୍ଟା ପରେ ବିଜେପି ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଆମ୍‌ ଆଦ୍‌ମୀ ପାର୍ଟି ଅର୍ଥ ବିନିମୟରେ ବିଦେଶୀ ପତ୍ରିକାରେ ଖବର ଛାପି ହଟଚମଟ କରିବାକୁ ଚେଷ୍ଟା କରୁଛି ବୋଲି ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବୀୟ ଟ୍ବିଟ୍‌ କରିଛନ୍ତି।

‘ନ୍ୟୁୟର୍କ ଟାଇମ୍ସ’ ଏବଂ ‘ଖାଲିଜ ଟାଇମ୍ସ’ କିପରି ସମାନ ଆର୍ଟିକିଲ, ସମାନ ଶବ୍ଦ ଏବଂ ସମାନ ବ୍ୟକ୍ତିଙ୍କ ଦ୍ୱାରା ଲେଖା ପ୍ରକାଶ ପାଇଲା ଏବଂ ଦିଲ୍ଲୀର ଶିକ୍ଷା ବ୍ୟବସ୍ଥାକୁ ନେଇ ଏଭଳି ଛଦ୍ମ ବିଜ୍ଞାପନ କାହିଁକି ପ୍ରକାଶ କରାଯାଉଛି’ ବୋଲି ମାଲବୀୟ ପ୍ରଶ୍ନ କରିଛନ୍ତି। ଏକ ପେଡ୍‌ ନ୍ୟୁଜକୁ ନେଇ ଦିଲ୍ଲୀବାସୀଙ୍କୁ ଠକିବା ପାଇଁ ଆପ୍‌ର ଏଭଳି ଉଦ୍ୟମ ନିନ୍ଦନୀୟ ବୋଲି ସେ କହିଛନ୍ତି। ନ୍ୟୁୟର୍କ ଟାଇମ୍ସରେ ‘ଦିଲ୍ଲୀର ଶିକ୍ଷା ବିପ୍ଳବ’କୁ ନେଇ ପ୍ରକାଶ ପାଇଥିବା ଲେଖା ଏକ ପେଡ୍‌ ନ୍ୟୁଜ୍ ହୋଇଥିବାରୁ ଏହା ପଛରେ ଆପ୍‌ ସରକାରର କି ଆଭିମୁଖ୍ୟ ରହିଛି ବୋଲି ମାଲବୀୟ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର