ଦୁର୍ଘଟଣା ନେଇ ରାଜନୀତି ତେଜିଲା: ମମତା-ଲାଲୁ-ନୀତୀଶଙ୍କ ଅମଳର ଦୁର୍ଘଟଣାର ତାଲିକା ଦେଲା ବିଜେପି

ନୂଆଦିଲ୍ଲୀ: ଓଡ଼ିଶା ରେଳ ଦୁର୍ଘଟଣା ପରେ ବିରୋଧୀ ଦଳଗୁଡ଼ିକ ଦ୍ବାରା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବି ଜୋର ଧରିଥିବା ବେଳେ ପୂର୍ବ ସରକାରମାନଙ୍କରେ ମମତା ବାନାର୍ଜୀ, ଲାଲୁ ଯାଦବ ଓ ନୀତୀଶ କୁମାର ରେଳମନ୍ତ୍ରୀ ଥିବ‌ା ବେଳେ କେତେ ରେଳ ଦୁର୍ଘଟଣା, ମୃତ୍ୟୁ ଓ ରେଳଗାଡ଼ି ଲାଇନ୍‌ଚ୍ୟୁତ ହେବା ଘଟଣା ଘଟିଛି ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ତାହାର ତାଲିକା ପ୍ରଦାନ କରାଯାଇଛି। ଏହି ତାଲିକା ଅନୁଯାୟୀ ମମତା ବାନାର୍ଜୀ ରେଳମନ୍ତ୍ରୀ ଥିବା ସମୟରେ ୫୪ଟି ରେଳ ଦୁର୍ଘଟଣା ଘଟିଛି, ୮୩୯ଟି ରେଳଗାଡ଼ି ଲାଇନ୍‌ଚ୍ୟୁତ ହୋଇଛି ଏବଂ ମୋଟ ୧୪୫୧ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସେହିପରି ନୀତୀଶ କୁମାର ରେଳମନ୍ତ୍ରୀ ଥିବା ସମୟରେ ୭୯ଟି ଓ ଲାଲୁ ପ୍ରସାଦ ଯାଦବଙ୍କ ଅମଳରେ ୫୧ଟି ଦୁର୍ଘଟଣା ଘଟିଛି।

ମମତା ବାନାର୍ଜୀ ଓଡ଼ିଶାର ବାଲେଶ୍ବର ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି ଯେ ଯଦି ଦୁର୍ଘଟଣା-ନିରୋଧୀ ବ୍ୟବସ୍ଥା (କବଚ) କରାଯାଇଥାନ୍ତା, ତେବେ ଏହି ଦୁର୍ଘଟଣାକୁ ରୋକାଯାଇ ପାରିଥାନ୍ତା। ସେହିପରି ଲାଲୁ ଯାଦବ କହିଛନ୍ତି ଯେ କେନ୍ଦ୍ର ସରକାର ରେଳ ବିଭାଗକୁ ଧ୍ବଂସ କରିଦେଇଛନ୍ତି। ତୁରନ୍ତ ଦୁର୍ଘଟଣାର କାରଣ ଜାଣିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସେ ଦାବି କରିଛନ୍ତି। ମମତା ବାନାର୍ଜୀ ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରେ ଯୋଗ ଦେଇ ୧୯୯୯ ମସିହାରେ ଅଟଳବିହାରୀ ବାଜପେୟୀଙ୍କ କ୍ୟାବିନେଟ୍‌ରେ ରେଳମନ୍ତ୍ରୀ ଥିଲେ। ଉପା-୨ ଅମଳରେ କଂଗ୍ରେସ ନେତୃତ୍ବାଧୀନ ମେଣ୍ଟରେ ଯୋଗଦେଇ ୨୦୦୯ରେ ମଧ୍ୟ ସେ ଦ୍ବିତୀୟବାର ରେଳମନ୍ତ୍ରୀ ହୋଇଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଟଳ ବିହାରୀ ବାଜପେୟୀଙ୍କ ଅଧୀନରେ କେନ୍ଦ୍ରରେ ରେଳମନ୍ତ୍ରୀ ଥିବା ବେଳେ ଲାଲୁ ପ୍ରସାଦ ଯାଦବ ଉପା ସରକାରରେ ୨୦୦୪ରେ ରେଳମନ୍ତ୍ରୀ ଥିଲେ।

ପୂର୍ବ ରେଳମନ୍ତ୍ରୀ ଓ ବର୍ତ୍ତମାନର ଅଶ୍ବିନୀ ବୈଷ୍ଣବଙ୍କ ମଧ୍ୟରେ ପ୍ରଭେଦ ଦର୍ଶାଇଛି ବିଜେପି। ବିଜେପି କହିଛି, ଦୁର୍ଘଟଣା ସମୟରେ ମମତା ବାନାର୍ଜୀଙ୍କ କାର୍ଯ୍ୟ ଦୁର୍ଘଟଣା ସ୍ଥଳରେ ପହଞ୍ଚି କେବଳ ଫଟୋ ଉଠାଇବା ଓ ରାଜନୀତି କରିବାରେ ସୀମିତ ଥିଲା। କିନ୍ତୁ ଅଶ୍ବିନୀ ବୈଷ୍ଣବ ଗତ ୩୦ ଘଣ୍ଟା ହେଲା ଦୁର୍ଘଟଣାସ୍ଥଳରେ ରହି ଅକ୍ଳାନ୍ତ ଭାବରେ ଉଦ୍ଧାର କାର୍ଯ୍ୟର ତତ୍ତ୍ବାବଧାନ କରିଛନ୍ତି। ପୂର୍ବ ସରକାର, ପୂର୍ବ ମନ୍ତ୍ରୀ ଓ ବର୍ତ୍ତମାନ ସରକାର ମଧ୍ୟରେ ଏହାହିଁ ପାର୍ଥକ୍ୟ। ବର୍ତ୍ତମାନ ରେଳବିଭାଗ, ଗୃହ ବ୍ୟାପାର ମନ୍ତ୍ରଣାଳୟ ଓ ଏନ୍‌ଡିଆର୍‌ଏଫ୍‌ କର୍ମଚାରୀମାନେ ମିଳିତ ଭାବରେ ପରିସ୍ଥିତିର ମୁକାବିଲା କରୁଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ପହଞ୍ଚି ଆହତମାନଙ୍କ ଚିକିତ୍ସାର ସୁବନ୍ଦୋବସ୍ତ କରୁଛନ୍ତି। ଜୀବନହାନି ଯେତେ କମ୍ ହୋଇପାରିବ ତାହାର ସେ ବ୍ୟବସ୍ଥା କରୁଛନ୍ତି। କିନ୍ତୁ ବିରୋଧୀ ଦଳ ଦୁର୍ଘଟଣାର କାରଣ ଓ କବଚକୁ ନେଇ କେବଳ ସରକାରଙ୍କୁ ଦୋଷ ଦେବା ଛଡ଼ା ଆଉ କିଛି କରିବା ଦେଖାଯାଉ ନାହିଁ ବୋଲି ବିଜେପି କହିଛି।

ସମ୍ବନ୍ଧିତ ଖବର