‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ମିନିଷ୍ଟର୍‌’ ବଢୁଛି ବିବାଦ

ବାସ୍ତବତା ବଦଳିପାରିବନି: ଅନୁପମ୍‌ ଖେର୍‌ ବିଜେପି-କଂଗ୍ରେସ ମୁହାଁମୁହିଁ

ମୁମ୍ବାଇ: ବହୁଚର୍ଚ୍ଚିତ ‘ଦି ଆକ୍ସ‌ିଡେଣ୍ଟାଲ୍‌ ପ୍ରାଇମ୍‌ମିନିଷ୍ଟର’ ଚଳଚ୍ଚିତ୍ରର ଟ୍ରେଲର୍‌ ଗୁରୁବାର ରିଲିଜ୍‌ ହେବା ପରେ ଏହା ବଡ଼ ବିବାଦ ଅଭିମୁଖେ ଟାଣିହୋଇ ଯାଉଛି। ଟ୍ରେଲର୍‌କୁ ଯୁବ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯିବା ପରେ ବିଜେପି ଏହାର ଟ୍ରେଲର୍‌କୁ ଟ୍ବିଟ୍‌ କରି କଂଗ୍ରେସକୁ ତୀବ୍ର ସମାଲୋଚନା କରିଛି। ବିଜେପି କହିଛି ଯେ ଏହି ଟ୍ରେଲର୍‌ରୁ ସ୍ପଷ୍ଟ ହେଉଛି ଯେ ଗୋଟିଏ ପରିବାର ଦୀର୍ଘ ୧୦ ବର୍ଷ ଧରି ଦେଶକୁ ବନ୍ଧକ ରଖି ଭୁଆଁ ବୁଲାଉଥିଲା। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ହିସାବ‌ରେ ମନମୋହନ ସିଂହ ଯେଉଁ ଗୁରୁଦାୟିତ୍ବ ପାଳନ କରିବାର ଥିଲା, ସେଥିରେ ସେ ବିଫଳ ହୋଇଛନ୍ତି। ତେବେ କେଉଁ ଉଦ୍ଦେଶ୍ୟରେ ଏବଂ କାହା ସ୍ବାର୍ଥରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ ବୋଲି ବିଜେପି ପ୍ରଶ୍ନ କରିଛି। ଯୁବ କଂଗ୍ରେସ ପକ୍ଷରୁ ଗତକାଲି ଚଳଚ୍ଚିତ୍ରର ଟ୍ରେଲର୍‌କୁ ବିରୋଧ କରାଯାଇ ରିଲିଜ୍‌ ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ ଭାବେ କଂଗ୍ରେସ ସମ୍ମୁଖରେ ପ୍ରଦର୍ଶନ ପାଇଁ ଦାବି କରିଥିଲା। ନଚେତ୍‌ ଚଳଚ୍ଚିତ୍ରକୁ ରିଲିଜ୍‌ କରାଇଦିଆଯିବ ନାହିଁ ବୋଲି ଫିଲ୍ମ ନିର୍ମାତାଙ୍କୁ ଚେତାବନୀ ଦେଇଥିଲା।

ଏହି ରାଜନୈତିକ ଡ୍ରାମାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅନୁପମ୍‌ ଖେର୍‌ କଂଗ୍ରେସର ଏଭଳି ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି। ଯାହା ଘଟିଯାଇଛି ତାହା ବାସ୍ତବ ଏବଂ ବାସ୍ତବତାକୁ କେହି ବଦଳାଇ ପାରିବେ ନାହିଁ। ସେ କହିଛନ୍ତି, ବ୍ୟକ୍ତିଗତ ସ୍ବାଧୀନତା ସପକ୍ଷରେ ସବୁବେଳେ ମତ ଦେଉଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ଦଳୀୟ କର୍ମକର୍ତ୍ତାମାନଙ୍କୁ ନିୟନ୍ତ୍ରଣ କରିବା ଆବଶ୍ୟକ। ସେମାନେ ଯେଉଁଭଳି ଭାବେ ଆଚରଣ ପ୍ରଦର୍ଶନ କରୁଛନ୍ତି, ତାହା ସହ୍ୟ କରାଯିବ ନାହିଁ। ତା’ଛଡ଼ା ଏକ ପୁସ୍ତକରେ ଲିଖିତ ଘଟଣାବଳିକୁ ଆଧାର କରି ଫିଲ୍ମ ନିର୍ମାଣ କରାଯାଇଛି ଏବଂ ପୁସ୍ତକ ଲେଖିଥିବା ସଞ୍ଜୟ ବାରୁ ସେତେବେଳେ ମନମୋହନଙ୍କ ନିକଟତର ଥିଲେ। ପୁସ୍ତକକୁ ନେଇ ସେତେବେଳେ କେହି ପ୍ରଶ୍ନ ଉଠାଇନଥିବା ବେଳେ ଏବେ ଚଳଚ୍ଚିତ୍ରକୁ ନେଇ ଏତେ ପାଲା କାହିଁକି ହେଉଛି ବୋଲି ଅନୁପମ୍‌ ଖେର୍‌ ପ୍ରଶ୍ନ କରିଛନ୍ତି। ଅନୁପମ୍‌ ଖେର୍‌ କହିଛନ୍ତି, ରାଜନୀତି ଉପରେ ଆଧାରିତ ଏହି ଚଳଚ୍ଚିତ୍ର ବେଶ୍‌ ଉଚ୍ଚକୋଟୀର ଏବଂ ସବୁ ଦିଗରୁ ଏହା ନିଜ ଶ୍ରେଷ୍ଠତା ପ୍ରତିପାଦନ କରିବ। ଚଳଚ୍ଚିତ୍ର ଓସ୍କାର ପାଇଁ ମଧ୍ୟ ଯୋଗ୍ୟ। ତା’ଛଡ଼ା ଏହା ମୋର ଶ୍ରେଷ୍ଠ ଫିଲ୍ମ ଏବଂ ଏଥିରୁ ହଟିବାର ସମ୍ଭାବନା ନାହିଁ। ଫିଲ୍ମର ଟ୍ରେଲର୍‌କୁ ବିଜେପି ଟ୍ବିଟ୍‌ କରିବା ପରେ କଂଗ୍ରେସ ଏହାକୁ ସମାଲୋଚନା କରି କହିଛି ଯେ ବିଜେପି ଏବେ ଏହାକୁ ନେଇ ରାଜନୈତିକ ଫାଇଦା ଉଠାଇବାକୁ ଚାହୁଛି। ଉଲ୍ଲେଖଯୋଗ୍ୟ, ମଧ୍ୟ ପ୍ରଦେଶରେ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ମିନିଷ୍ଟରକୁ ମୁକ୍ତିଲାଭ କରିବାକୁ ନଦେବା ପାଇଁ କଂଗ୍ରେସ ଯୋଜନା କରୁଥିବା ରିପୋର୍ଟକୁ ଦଳର ବରିଷ୍ଠ ନେତା ରଣଦୀପ ସୁର୍ଯେୱାଲା ଖଣ୍ଡନ କରିଛନ୍ତି। ଏହାକୁ ଏକ ଗୁଜବ ବୋଲି ସେ କହିଛନ୍ତି, ମଧ୍ୟ ପ୍ରଦେଶ ସରକାର ଏଭଳି କୌଣସି ନିଷ୍ପତ୍ତି ନେଇନାହାନ୍ତି। କିନ୍ତୁ ବିଜେପି ଏହାକୁ ଆଧାର କରି ବିବାଦ ବଢ଼ାଇବାକୁ ଚେଷ୍ଟା କରୁଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର