‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ର ଟ୍ରେଲର୍‌ ରିଲିଜ୍‌ ପରେ ଜୋର୍‌ ଧରିଲା ରାଜନୀତି; ଚାଲିଲା କଂଗ୍ରେସ ଓ ବିଜେପି ମଧ୍ୟରେ ଟଣାଓଟରା

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ର ଟ୍ରେଲର୍‌ ରିଲିଜ୍‌ ହେବା ପରେ କେନ୍ଦ୍ର ରାଜନୀତି ଜୋର୍‌ ଧରିଛି। ଚଳଚ୍ଚିତ୍ରକୁ ନେଇ ଚିନ୍ତିତ ହୋଇ ପଡ଼ିଛି କଂଗ୍ରେସ। କିପରି ଭାବେ ଡ. ସିଂହଙ୍କୁ କଂଗ୍ରେସ ବ୍ୟବହାର କରି ଗାନ୍ଧୀ ପରିବାରର ଉତ୍ତରାଧିକାରୀ ଯୋଗ୍ୟ ହେବା ପର୍ଯ୍ୟନ୍ତ ୧୦ ବର୍ଷ ଧରି ଚୌକି ବଞ୍ଚାଇ ରଖିଥିଲା ତାହା ଚଳଚ୍ଚିତ୍ରର ସାରମର୍ମ ବୋଲି ବିଜେପି ଦାବି କରିଛି। ଚଳଚ୍ଚିତ୍ରଟିକୁ ସମେସ୍ତ ଦେଖି କଂଗ୍ରେସର ସ୍ୱରୂପ ଜାଣନ୍ତୁ ବୋଲି ବିଜେପି ଟୁଇଟର୍‌ ଜରିଆରେ ଲୋକଙ୍କୁ ଆହ୍ଵାନ କରିଥିବା ବେଳେ ଅପରପକ୍ଷରେ ଚଳଚ୍ଚିତ୍ରକୁ ପୂରାପୂରି ନଦେଖିଲେ କଂଗ୍ରେସ ଏହାକୁ ରିଲିଜ୍‌ କରାଇ ଦେବ ନାହିଁ ବୋଲି ନିଜ ଜିଦ୍‌ରେ ଅଟଳ ରହିଛି।

ମଧ୍ୟପ୍ରଦେଶରେ ଏହି ଚଳଚ୍ଚିତ୍ରର ରିଲିଜ୍‌ ଉପରେ କଂଗ୍ରେସ ରୋକ ଲଗାଇ ସାରିଲାଣି। ମଧ୍ୟପ୍ରଦେଶର କଂଗ୍ରେସ ନେତା ଦାବି କରିଛନ୍ତି କି ସଂପୂର୍ଣ୍ଣ ଚଳଚ୍ଚିତ୍ର ନ ଦେଖାଇବା ପର୍ଯ୍ୟନ୍ତ ସେମାନେ ରାଜ୍ୟରେ ଫିଲ୍ମ ରିଲିଜ୍‌ କରାଇ ଦେବେ ନାହିଁ। ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’କୁ ବିଜେପି ପକ୍ଷରୁ ଖୁବ୍‌ ସମର୍ଥନ ମିଳିଛି। ଦର୍ଶକମାନେ ନିଶ୍ଚୟ ଚଳଚ୍ଚିତ୍ରଟିକୁ ଦେଖନ୍ତୁ ବୋଲି ବିଜେପି କହିଥିବା ବେଳେ ଏହା ବିଜେପିର ନକଲି ପ୍ରୋପାଗଣ୍ଡା ବୋଲି କହି ଉପହାସ କରିଛିି କଂଗ୍ରେସ।

ଚଳଚ୍ଚିତ୍ରରେ ମନମୋହନ ସିଂହଙ୍କ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିବା ବଲିଉଡ୍‌ର ଲୋକପ୍ରିୟ ଚେହେରା ଅନୁପମ୍‌ ଖେର୍‌ ରାହୁଲ ଗାନ୍ଧୀଙ୍କୁ ଏକ ପରାମର୍ଶ ଦେଇ କହିଛନ୍ତି କି ଏହାକୁ ବିରୋଧ କରି କୌଣସି ଫାଇଦା ନାହିଁ, ଚଳଚ୍ଚତ୍ରଟିକୁ କଂଗ୍ରେସ ଯେତେ ବିରୋଧ କରିବ ତାହାକୁ ସେତେ ଲୋକପ୍ରିୟତା ମିଳିବ। ଅନୁପମ ଖେର୍‌ ଆହୁରି ବି କହିଛନ୍ତି, ‘ଚଳଚ୍ଚିତ୍ରଟି କଂଗ୍ରେସ ଉପରେ ହୋଇଛି ଯେହେତୁ ଏଥିରେ ଦଳ ଖୁସି ହେବା ଉଚିତ। ଲୋକଙ୍କୁ ସାଥିରେ ନେଇ ଚଳଚ୍ଚିତ୍ର ଦେଖିବା ଉଚିତ। ମନମୋହନ ସିଂହ ଚଳଚ୍ଚିତ୍ରରେ ଯେଉଁ ଭଳି ଭାବେ ଦେଶ ପ୍ରେମର କଥା କହୁଛନ୍ତି, ମୁଁ ଦେଶକୁ ବଞ୍ଚାଇବି ବୋଲି କହୁଛନ୍ତି ସେଥିରେ କଂଗ୍ରେସର ମହାନତା ସ୍ପଷ୍ଟ ଦିଶୁଛି।’

ମହାରାଷ୍ଟ୍ରର ଯୁବ କଂଗ୍ରେସ ଚଳଚ୍ଚିତ୍ରଟିକୁ ବିରୋଧ କରୁଥିବା ନେଇ ଅନୁପମ ଜୀ ନିଜର ମତ ରଖି କହିଛନ୍ତି, ‘ମୁଁ ରାହୁଲ ଗାନ୍ଧୀ ଜୀ ଙ୍କ ଟୁଇଟ୍‌ ପଢ଼ିଥିଲି। ସେଠାରେ ଭାବବ୍ୟକ୍ତ କରିବାର ସ୍ୱତନ୍ତ୍ରତା ଉପରେ ସେ ଲେଖିଥିଲେ। ମୋତେ ଏବେ ଲାଗୁଛି କି ଚଳଚ୍ଚିତ୍ରକୁ ବିରୋଧ କରୁଥିବା ଲୋକମାନଙ୍କୁ ସେ ଗାଳି ଦେବା ଉଚିତ ଯେ ତୁମେ ଭୁଲ୍‌ କାମ କରୁଛ ବୋଲି।’

ଗୁରୁବାର ଏହାର ଟ୍ରେଲର୍‌ ରିଲିଜ୍‌ ହେବା ପରେ ଚଳଚ୍ଚିତ୍ରର ଟ୍ରେଲର୍‌କୁ ଟୁଇଟର୍‌ରେ ସେୟାର୍‌ କରି ଭାଜପା ଲେଖଛିି, ‘ଚଳଚ୍ଚିତ୍ରର କାହାଣୀ ଖୁବ୍‌ ମନଛୁଆଁ। ଏଥିରେ ଦେଖିବାକୁ ମିଳିଛି ଯେ କିପରି ଗୋଟାଏ ପରିବାର ୧୦ ବର୍ଷ ପର୍ଯ୍ୟନ୍ତ ଦେଶକୁ ବନ୍ଧକ କରି ରଖିଥିଲା। ଡକ୍ତର ସିଂହ କେବଳ ସେବେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ ଯେବେ ପର୍ଯ୍ୟନ୍ତ ତାଙ୍କର ରାଜନୈତିକ ଶାସକ ପ୍ରସ୍ତୁତ ହୋଇ ଯାଇନଥିଲେ। ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ର ଆନୁଷ୍ଠାନିକ ଟ୍ରେଲରକୁ ଦେଖନ୍ତୁ, ଯାହାକି କିଛି ଭିତର ସତକୁ ପଦାକୁ ଆଣିଛି। ଫିଲ୍ମଟି ଜାନୁଆରି ୧୧ ତାରିଖରେ ରିଲିଜ୍‌ ହେବାକୁ ଯାଉଛି।’

 

ଏହି ଟୁଇଟ୍‌ରର ପ୍ରତି ଜବାବରେ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ଵାଲା ରିଟୁଇଟ୍‌ କରି ଲେଖିଛନ୍ତି କି, ‘ବିଜେପିର ଏପରି ନକଲି ପ୍ରୋପାଗଣ୍ଡା କଂଗ୍ରେସକୁ ରୋକିପାରିବ ନାହିଁ। ମୋଦି ସରକାରଙ୍କୁ ଏପରି କିଛି ପ୍ରଶ୍ନ କରିବା କଂଗ୍ରେସ ବନ୍ଦ କରିବ ନାହିଁ

:ଗ୍ରାମୀଣ ସଂକଟ

:ବେରୋଜଗାର ହାର ବୃଦ୍ଧି

:ବିମୁଦ୍ରାକରଣ

:ଜିଏସ୍‌ଟି

:ଅସଫଳ ମୋଦିନୋମିକ୍ସ

:ଅନ୍ୟ ସମସ୍ତ ଭ୍ରଷ୍ଟାଚାର’

ଶେଷରେ ସୂର୍ଯ୍ୟେଓ୍ଵାଲା ‘ଚୌକିଦାର ହିଁ ଚୋର’ ବୋଲି ଲେଖି ଟୁଇଟ୍‌ ସମାପ୍ତ କରିଛନ୍ତି।

ସମ୍ବନ୍ଧିତ ଖବର