ସକ୍ରିୟ ମାମଲା ୩୫ ଲକ୍ଷ ଛୁଇଁବ, ୩ ଲକ୍ଷ ୮୨ ହଜାର ନୂଆ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ସକ୍ରିୟ ମାମଲା ଗତ ଏପ୍ରିଲ ୪ ରେ ୭.୩୭ ଲକ୍ଷ ଥିବାବେଳେ ଗୋଟିଏ ମାସ ମଧ୍ୟରେ ଏହା ୩୪.୮୫ ଲକ୍ଷକୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା‌ରେ ୪୭୨ ପ୍ରତିଶତ ବୃଦ୍ଧି ହୋଇଛି। ସକ୍ରିୟ ମାମଲା ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଏକ ବୋଝ ହୋଇଯାଇଛି । ଦେଶରେ ଏବେ ୧୨ଟି ରାଜ୍ୟରେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି। ଏହି ୧୨ ରାଜ୍ୟରୁ କେବଳ ୩ଟି ରାଜ୍ୟ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ଛତିଶଗଡ଼ରେ ସଂକ୍ରମଣ ମାମଲା କମୁଛି। ଗୁଜରାଟ, ତାମିଲନାଡ଼ୁ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ପୂର୍ବାପେକ୍ଷା ସକ୍ରିୟ ମାମଲା ବଢ଼ିଛି। ଦିଲ୍ଲୀରେ ମଧ୍ୟ ଗତ ସପ୍ତାହରେ ସକ୍ରିୟ ମାମଲା ହ୍ରାସ ହୋଇଛି।

ମହାରାଷ୍ଟ୍ର କରୋନା ଯୋଗୁଁ ସର୍ବାଧିକ ପ୍ରଭାବିତ ରାଜ୍ୟ। ମହାରାଷ୍ଟ୍ରରେ ଏବେ ସକ୍ରିୟ ମାମଲା ୬.୪୧ ଲକ୍ଷ ରହିଥିବା ବେଳେ ଗତ ୨୪ ଘଣ୍ଟାରେ ୯୨୦ ଜଣଙ୍କ ମୃତ୍ୟୁ ହୋଇଛି। ଗତ ସପ୍ତାହ ତୁଳନାରେ ମହାରାଷ୍ଟ୍ର ସକ୍ରିୟ ମାମଲା ୬୦ ହଜାର କମିଛି। ମହାରାଷ୍ଟ୍ରରେ ଅଧିକାଂଶ କୋଭିଡ୍‌ ହଟ୍‌ସ୍ପଟ୍‌ ଜିଲ୍ଲାରେ ଆରୋଗ୍ୟଙ୍କ ସଂଖ୍ୟା ବଢ଼ୁଛି। ଅନ୍ୟପକ୍ଷେ କର୍ଣ୍ଣାଟକରେ ଏବେ ମହାରାଷ୍ଟ୍ର ଭଳି ସ୍ଥିତି। ଗତମାସରେ କର୍ଣ୍ଣାଟକରେ ପଜିଟିଭ୍‌ ହାର ୪ ପ୍ରତିଶତରୁ କମ୍‌ ଥିଲା। କିନ୍ତୁ ଏବେ କର୍ଣ୍ଣାଟକରେ ପଜିଟିଭ୍‌ ହାର ପ୍ରାୟ ୩୦ ପ୍ରତିଶତ ରହିଛି। କେରଳରେ ସକ୍ରିୟ ମାମଲା ଏବେ ୩.୫୬ ଲକ୍ଷ ଥିବାବେଳେ ଗୁଜରାଟରେ ସକ୍ରିୟ ମାମଲା ୧.୪୮ ଲକ୍ଷ। ଗତମାସରେ ଗୁଜରାଟ ସକ୍ରିୟ ମାମଲାରେ ପ୍ରାୟ ୧୦ ଗୁଣା ବୃଦ୍ଧି ହୋଇଛି। ଉତ୍ତରପ୍ରଦେଶରେ ଏବେ ସକ୍ରିୟ ମାମଲା ୨.୭୨ ଲକ୍ଷ ଥିବାବେଳେ ରାଜସ୍ଥାନରେ ୧.୯୭ ଲକ୍ଷ, ଆନ୍ଧ୍ରପ୍ରଦେଶରେ ୧.୫୯ ଲକ୍ଷ, ତାମିଲନାଡ଼ୁରେ ୧.୨୫ ଲକ୍ଷ ଏବଂ ଛତିଶଗଡ଼ରେ ଏବେ ୧.୨୪ ଲକ୍ଷ ସକ୍ରିୟ ମାମଲା ରହିଛି। ପଶ୍ଚିମବଙ୍ଗରେ ସକ୍ରିୟ ମାମଲା ୧.୨୧ ଲକ୍ଷ ଥିବାବେଳେ ବିହାରରେ ୧.୧୦ ଲକ୍ଷ ସକ୍ରିୟ ମାମଲା, ହରିୟାଣାରେ ୧.୦୮ ଲକ୍ଷ ସକ୍ରିୟ ମାମଲା ରହିଛି। ଦିଲ୍ଲୀରେ ସକ୍ରିୟ ମାମଲା ଏବେ ୯୦,୫୦୦ ରହିଛି।

ଦେଶରେ ଗତ ୨୪ ଘଣ୍ଟାରେ ୩, ୮୨,୩୧୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩,୭୮୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୃତ୍ୟୁସଂଖ୍ୟା ୨,୨୬,୧୮୮ କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୨,୦୬,୬୫,୧୪୮ରେ ପହଞ୍ଚିଛି। ‌ଦେଶରେ ଏବେ ମୋଟ୍‌ ସକ୍ରିୟ ମାମଲା ୩୪,୮୭,୨୨୯ ରହିଛି। ଗତ ୨୪ ଘଣ୍ଟାରେ ୩,୩୮,୪୩୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର