ମୁମ୍ବାଇ: ଋଷି କପୁରଙ୍କ ମୃତ୍ୟୁକୁ ବର୍ଷେ ନ ପୂରୁଣୁ କପୁର ଖାନ୍ଦାନର ଆଉ ଏକ ଦୀପ ଲିଭିଗଲା। ମହାନ ଫିଲ୍ମ ନିର୍ମାତା ରାଜ କପୁରଙ୍କ ସାନ ପୁଅ ଅଭିନେତା ରାଜୀବ କପୁରଙ୍କର ଆଜି ସକାଳେ ହୃଦ୍ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଲିଉଡ୍ରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଶେଷ ଦର୍ଶନ ପାଇଁ ବାସଭବନକୁ ଲୋକଙ୍କ ସୁଅ ଛୁଟିଥିଲା। ଆଜି ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରାଜୀବଙ୍କୁ ତୁରନ୍ତ ଚେମ୍ବୁରସ୍ଥିତ ଇନ୍ଲେକ୍ ହସ୍ପିଟାଲକୁ ନେଇ ଯାଇଥିଲେ ଭାଇ ରଣଧୀର କପୁର। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସନ୍ଧ୍ୟାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
୧୯୮୩ ମସିହାରେ ‘ଏକ୍ ଜାନ୍ ହୈଁ ହମ୍’ ଚଳଚ୍ଚିତ୍ରରୁ ନିଜର କ୍ୟାରିୟର ଆରମ୍ଭ କରି ଲୋକପ୍ରିୟ ସିନେମା ‘ରାମ ତେରୀ ଗଙ୍ଗା ମୈଲି’, ‘ଆସ୍ମାନ୍’, ‘ଲଭର୍ ବୟ’, ‘ଜବରଦସ୍ତ’, ‘ହମ୍ ତୋ ଚଲେ ପର୍ଦେଶ’ରେ ଅଭିନୟ କରି ରାଜୀବ ଦର୍ଶକଙ୍କ ହୃଦୟରେ ନିଜର ଆସନ ସୁଦୃଢ଼ କରିଥିଲେ। ୧୯୯୬ ମସିହାରେ ରାଜୀବ ନିର୍ଦ୍ଦେଶନା ଦେଇଥିଲେ ଚଳଚ୍ଚିତ୍ର ‘ପ୍ରେମ୍ ଗ୍ରନ୍ଥ’, ଯେଉଁଥିରେ ଋଷି କପୁର ଏବଂ ମାଧୁରୀ ଦିକ୍ଷିତ ଅଭିନୟ କରିଥିଲେ। ୧୯୮୫ରେ ରାଜ କପୁର ଚଳଚ୍ଚିତ୍ର ‘ରାମ ତେରୀ ଗଙ୍ଗା ମୈଲି’ ନିର୍ମାଣ କରିଥିଲେ। ଚଳଚ୍ଚିତ୍ରଟି ସୁପର୍ ହିଟ୍ ହୋଇଥିଲା ସତ ହେଲେ ରାଜୀବଙ୍କ ପାଇଁ ଏହା କୌଣସି ବଡ଼ ଷ୍ଟାର୍ର ସୁଖ୍ୟାତି ଆଣିନଥିଲା। ରାଜ କପୁରଙ୍କ ନିର୍ଦ୍ଦେଶନା ଏବଂ ହିରୋଇନ୍ ମନ୍ଦାକିନୀଙ୍କ ପାଇଁ ଚଳଚ୍ଚିତ୍ର ହିଟ୍ ହୋଇଥିଲା ବୋଲି ଦର୍ଶକ ଓ ସମୀକ୍ଷକ ମତ ଦେଇଥିବା ବେଳେ ମନ୍ଦାକିନୀ ରାତାରାତି ଷ୍ଟାର୍ ହୋଇ ଯାଇଥିଲେ ଏବଂ ରାଜୀବ ଆଉ ଏକ ସୁପରହିଟ୍ ଫିଲ୍ମ ସନ୍ଧାନରେ ଥିଲେ। ରାଜୀବ ଚାହୁଥିଲେ ପିତା ଆଉ ଏକ ଚଳଚ୍ଚିତ୍ର କରନ୍ତୁ ଯେଉଁଥିରେ ସେ ହିରୋ ଭୂମିକାରେ ଅଭିନୟ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ସୁରକ୍ଷିତ ରଖିପାରିବେ। ହେଲେ ରାଜ କପୁର ତାଙ୍କୁ ନେଇ ଆଉ ଫିଲ୍ମ କଲେ ନାହିଁ। ଏଥିପାଇଁ ପିତା-ପୁତ୍ରଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ରାଜୀବ ଏତେ ରାଗି ଯାଇଥିଲେ ଯେ ପିତାଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ଯୋଗ ଦେଇ ନଥିଲେ।