ପୂର୍ବତନ ପ୍ରଧାନ ବିଚାରପତି ଆର୍‌ସି ଲାହୋଟିଙ୍କ ପରଲୋକ; ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ପ୍ରମୁଖଙ୍କ ଶୋକ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନ ବିଚାରପତି ରମେଶ ଚନ୍ଦ୍ର ଲାହୋଟିଙ୍କର ବୁଧବାର ସନ୍ଧ୍ୟାରେ ଦିଲ୍ଲୀସ୍ଥିତ ଏକ ହସ୍ପିଟାଲରେ ୮୧ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଷ୍ଟିସ୍ ଲାହୋଟିଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ନ୍ୟାୟପାଳିକା ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରିଥିଲେ। ଦରିଦ୍ର, ପୀଡ଼ିତଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ଲାଗି ସେ ସଦା ସ୍ମରଣୀୟ ରହିବେ ବୋଲି ଟ୍ବିଟର ମାଧ୍ୟମରେ ପ୍ରକାଶ କରିଥିଲେ। ଏଥି ସହ ତାଙ୍କ ପରିବାର-ପରିଜନ ଓ ଶୁଭେଚ୍ଛୁମାନଙ୍କୁ ସମବେଦନା ଜଣାଇଥିଲେ। ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଶୋକ ପ୍ରକାଶ କରିବା ସହ ତାଙ୍କର ପ୍ରଜ୍ଞା, ଭାରତୀୟ ଆଇନକାନୁନ ଉପରେ ଦଖଲ ଏବଂ ନ୍ୟାୟପାଳିକା ପ୍ରତି ତାଙ୍କର ଅବଦାନକୁ ପ୍ରଶଂସା କରିଥିଲେ।

ଏଥି ସହ ସେ ଲାହୋଟିଙ୍କ ପରିବାର ଓ ବନ୍ଧୁମାନଙ୍କୁ ସମବେଦନା ଜଣାଇଥିଲେ। ସେହିପରି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ପୂର୍ବତନ ପ୍ରଧାନବିଚାରପତିଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ। ଜଷ୍ଟିସ୍ ଲାହୋଟି ଜୁନ୍ ୧, ୨୦୦୪ରେ ଭାରତର ୩୫ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେବା ସହ ନଭେମ୍ବର ୧, ୨୦୦୫ରେ ଅବସର ଗ୍ରହଣ କରିଥିଲେ। ତାଙ୍କର ଜନ୍ମ ହୋଇଥିଲା ୧୯୪୦ ମସିହା ନଭେମ୍ବର ପହିଲାରେ ଏବଂ ୧୯୬୦ରେ ସେ ମଧ୍ୟପ୍ରଦେଶର ଗୁଣା ଜିଲ୍ଲା ବାରରେ ଯୋଗ ଦେଇ ୧୯୬୨ରୁ ଆଇନଜୀବୀ ଭାବେ ପଞ୍ଜୀକୃତ ହୋଇଥିଲେ। ୧୯୭୭ରେ ସେ ବାର୍‌ରୁ ସିଧାସଳଖ ଜିଲ୍ଲା ଓ ଦୌରା ଜଜ୍ ଭାବେ ନିଯୁକ୍ତି ପାଇଥିଲେ। ହାଇକୋର୍ଟରେ ପ୍ରାକ୍ଟିସ୍ କରିବା ପାଇଁ ୧୯୭୮ରେ ପୁଣି ସେ ବାର୍‌କୁ ଫେରିଥିଲେ ଏବଂ ୧୯୮୮ ମେ ୩ ତାରିଖରେ ମଧ୍ୟପ୍ରଦେଶ ହାଇକୋର୍ଟର ଅତିରିକ୍ତ ଜଜ୍ ଭାବେ ନିଯୁକ୍ତି ପାଇଥିଲେ। ପରେ ୧୯୮୯ ଅଗଷ୍ଟ ୪ରେ ସ୍ଥାୟୀ ବିଚାରପତି ହୋଇଥିଲେ। ତାଙ୍କୁ ୧୯୯୪ ଫେବ୍ରୁଆରି ୭ରେ ଦିଳ୍ଲୀ ହାଇକୋର୍ଟକୁ ବଦଳି କରାଯାଇଥିଲା ଏବଂ ଡିସେମ୍ବର ୯, ୧୯୯୮ରେ ସେ ସୁପ୍ରିମ୍‌କୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

ସମ୍ବନ୍ଧିତ ଖବର