ବରିଷ୍ଠ କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଣ୍ଡିସ୍‌ଙ୍କ ପରଲୋକ: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାହୁଲଙ୍କ ଶୋକ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଓସ୍କାର ଫର୍ଣ୍ଣାଣ୍ଡିସ୍‌ଙ୍କର ଆଜି ଅପରାହ୍ନରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଅନ୍ୟମାନେ ଶୋକବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଓସ୍କାରଙ୍କ ପରିବାର ସଦସ୍ୟ ଏବଂ ସମର୍ଥକମାନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଓସ୍କାରଙ୍କ ଆତ୍ମା ଶାନ୍ତିରେ ରହୁ ବୋଲି ‌ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଓସ୍କାରଙ୍କ ମୃତ୍ୟୁ ତାଙ୍କ ପାଇଁ ଏକ ବ୍ୟକ୍ତିଗତ କ୍ଷତି। ତାଙ୍କର ଅଭାବ ସବୁବେଳେ ଅନୁଭୂତ ହେବ ଏବଂ ତାଙ୍କର ଅବଦାନ ପାଇଁ ସେ ସଦାବେଳେ ମନେ ରହିବେ ବୋଲି ରାହୁଲ କହିଛନ୍ତି। ଘରେ ବ୍ୟାୟାମ କରୁଥିବାବେଳେ ଓସ୍କାର ପଡ଼ି ଯାଇଥିଲେ। ଏହାପରେ ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର ହୋଇଥିଲା। କର୍ଣ୍ଣାଟକର ମେଙ୍ଗାଲୁରୁଠାରେ ଏକ ଘରୋଇ ‌ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। ଗାନ୍ଧି ପରିବାରର ଏକାନ୍ତ ଅନୁଗତ ଓସ୍କାର ତାଙ୍କ ରାଜନୈତିକ ଜୀବନରେ ଜଣେ ଶୃଙ୍ଖଳିତ କର୍ମୀଭାବେ କାର୍ଯ୍ୟ କରିଛନ୍ତି। ୫ ଦଶନ୍ଧିର ରାଜନୈତିକ ଜୀବନରେ ସେ ଉଡୁପି ଲୋକସଭା ନିର୍ବାଚନମଣ୍ଡଳୀକୁ ସେ ୫ ଥର ଏବଂ ରାଜ୍ୟସଭାକୁ ୪ ଥର ପ୍ରତିନିଧିତ୍ବ କରିଛନ୍ତି। ପ୍ରଥମ ଥର ପାଇଁ ୧୯୮୦ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ଏହାପରେ ୧୯୮୪, ୧୯୮୯, ୧୯୯୧ ଏବଂ ୧୯୯୬ରେ ସେ ବିଜୟୀ ହୋଇଥିଲେ। ୧୯୯୮ ମସିହାରୁ ଲଗାତାର ୪ ଥର ରାଜ୍ୟସଭାକୁ ସେ ନିର୍ବାଚିତ ହୋଇଥିଲେ। ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ସେ କେନ୍ଦ୍ରରେ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ଥିଲେ। ଉପା-୨ ସରକାରରେ ମଧ୍ୟ ସେ ବିଭିନ୍ନ ବିଭାଗର ମନ୍ତ୍ରୀ ରହିଥିଲେ। କଂଗ୍ରେସ ଦଳର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ସେ କାର୍ଯ୍ୟ କରିଛନ୍ତି। ରାଜୀବ ଗାନ୍ଧିଙ୍କ ସଂସଦୀୟ ସଚିବ ମଧ୍ୟ ସେ ରହିଥିଲେ। ୧୯୪୧ ମାର୍ଚ୍ଚ ୨୭ରେ ଜନ୍ମିତ ଓସ୍କାରଙ୍କ ରାଜନୈତିକ କ୍ୟାରିୟର ଉଡ଼ୁପି ମ୍ୟୁନିସପାଲିଟିରୁ ଜଣେ କାଉନସିଲରଭାବେ ୧୯୭୨ ମସିହାରୁ ଆରମ୍ଭ ହୋଇଥିଲା। ତାଙ୍କର ପତ୍ନୀ ଏବଂ ଦୁଇ ସନ୍ତାନ ରହିଛନ୍ତି। ‌ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କର ଅତି ବିଶ୍ବସ୍ତ ଥିଲେ। ତେବେ ୧୯୮୦ରେ ସଂଜୟ ଗାନ୍ଧି ତାଙ୍କୁ ଲୋକସଭା ନିର୍ବାଚନ ଲଢ଼ିବା ସୁଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର